ବିହାରରେ ସିବିଆଇକୁ 'ନୋ ଏଣ୍ଟ୍ରି' ! ଅନୁମତି ପ୍ରତ୍ୟାହାର କରିବାକୁ 'ମହାଗଠବନ୍ଧନ' ନେତାଙ୍କ ଦାବି | News Room Odisha

ବିହାରରେ ସିବିଆଇକୁ ‘ନୋ ଏଣ୍ଟ୍ରି’ ! ଅନୁମତି ପ୍ରତ୍ୟାହାର କରିବାକୁ ‘ମହାଗଠବନ୍ଧନ’ ନେତାଙ୍କ ଦାବି

ପାଟନା: ସିବିଆଇ ପାଇଁ ଏବେ ବିହାର ‘ନୋ ଏଣ୍ଟ୍ରି’ ରାଜ୍ୟ ହୋଇପାରେ । କାରଣ ଶାସକ ମହାଗଠବନ୍ଧନର ନେତାମାନେ ସିବିଆଇକୁ ‘ସାଧାରଣ ସହମତି’ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି । ସେମାନେ ଅଭିଯୋଗ କରିଛନ୍ତି ଯେ କେନ୍ଦ୍ରର ବିଜେପି ସରକାର ତଦନ୍ତକାରୀ ସଂସ୍ଥା ଗୁଡିକୁ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରୁଛନ୍ତି। ଦିଲ୍ଲୀ ସ୍ପେଶାଲ୍ ପୋଲିସ୍ ଏଷ୍ଟାବ୍ଲିସମେଣ୍ଟ (ଡିଏସପିଇ) ଆଇନ, ୧୯୪୬ର ଧାରା ୬ ଅନୁଯାୟୀ, ରାଜ୍ୟଗୁଡ଼ିକର ଅଧିକାର ଅଧୀନରେ ତଦନ୍ତ କରିବା ପାଇଁ ସିବିଆଇ ସଂପୃକ୍ତ ରାଜ୍ୟ ସରକାରଙ୍କ ଅନୁମତି ନେବା ଆବଶ୍ୟକ | ପଶ୍ଚିମବଙ୍ଗ, ଛତିଶଗଡ, ରାଜସ୍ଥାନ, ପଞ୍ଜାବ ଏବଂ ମେଘାଳୟ ସମେତ ନଅଟି ରାଜ୍ୟ ନିଜ ଅଧୀନରେ ଥିବା ମାମଲାର ଯାଞ୍ଚ ପାଇଁ ସିବିଆଇକୁ ଦିଆଯାଇଥିବା ‘ସାଧାରଣ ସହମତି’ ପ୍ରତ୍ୟାହାର କରିସାରିଛନ୍ତି। ଏବେ ବିହାରର ନୀତୀଶ ସରକାର ମଧ୍ୟ ଏଭଳି କରିପାରନ୍ତି ବୋଲି ଚର୍ଚ୍ଚା ଜୋର୍ ଧରିଛି ।

ବରିଷ୍ଠ ଆରଜେଡି ନେତା ଶିବାନନ୍ଦ ତିୱାରୀ କହିଛନ୍ତି ଯେ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଟାର୍ଗେଟ କରିବା ପାଇଁ ବିଜେପି କେନ୍ଦ୍ରୀୟ ଏଜେନ୍ସିର ଅପବ୍ୟବହାର କରୁଛି। ଏଭଳି ପରିସ୍ଥିତିରେ ବିହାରର ମହାଗଠବନ୍ଧନ ସରକାର ସିବିଆଇକୁ ଦିଆଯାଇଥିବା ସମ୍ମତି ପ୍ରତ୍ୟାହାର କରିବା ଉଚିତ୍। ଏହା ବ୍ୟତୀତ ରାଜ୍ୟ ଏଜେନ୍ସି ମଧ୍ୟ କେନ୍ଦ୍ରୀୟ ଏଜେନ୍ସିର ଅପବ୍ୟବହାର ଯାଞ୍ଚ କରିବା ପାଇଁ ଅଦାଲତଙ୍କ ନିକଟକୁ ଯିବା ବିକଳ୍ପ ଖୋଲା ରଖିବା ଉଚିତ। ଶିବାନନ୍ଦ ତିୱାରୀ ଦାବି କରିଛନ୍ତି ଯେ ଏନଡିଏ ଶାସନ ସମୟରେ କେନ୍ଦ୍ରୀୟ ଅନୁସନ୍ଧାନକାରୀ ସଂସ୍ଥା ନିଜର ବିଶ୍ୱସନୀୟତା ହରାଇଛନ୍ତି।

ଅପରପକ୍ଷରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦଳ ଜେଡିୟୁ କହିଛି ଯେ ସିବିଆଇକୁ ସମ୍ମତି ପ୍ରତ୍ୟାହାର କରିବା ପାଇଁ ଏହା ହେଉଛି ଉପଯୁକ୍ତ ସମୟ। ବିହାର ମନ୍ତ୍ରୀ ତଥା ଜେଡିୟୁ ନେତା ମଦନ ସାହନି କହିଛନ୍ତି ଯେ ବିରୋଧୀଦଳର ନେତାଙ୍କ ଭାବମୂର୍ତ୍ତି ନଷ୍ଟ କରିବା ପାଇଁ ସିବିଆଇ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏବଂ ଆୟକର ବିଭାଗ ଭଳି କେନ୍ଦ୍ରୀୟ ଏଜେନ୍ସିର ଅପବ୍ୟବହାର କରାଯାଉଛି । ବିହାରର ଲୋକମାନେ ଏହା ଦେଖୁଛନ୍ତି ଏବଂ ସେମାନେ ଠିକ୍ ସମୟରେ ଏହାର ଉପଯୁକ୍ତ ଜବାବ ଦେବେ।

ଉଲ୍ଲେଖଯୋଗ୍ୟ ଯେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ରେଳମନ୍ତ୍ରୀ ଥିବାବେଳେ ହୋଇଥିବା ‘ଜମି ବଦଳରେ ଚାକିରି’ ଦୁର୍ନୀତି ପରିପ୍ରେକ୍ଷୀରେ ସିବିଆଇ ବୁଧବାର ଲାଲୁଙ୍କ ଘନିଷ୍ଠ କୁହାଯାଉଥିବା ବିହାରର କିଛି ନେତାଙ୍କ ଠିକଣାରେ ଚଢାଉ କରିଥିଲା। ରାଜ୍ୟ ବିଧାନସଭାରେ ନୀତୀଶ କୁମାରଙ୍କ ନେତୃତ୍ଵାଧୀନ ମହାମେଣ୍ଟ ସରକାରର ଆସ୍ଥା ଭୋଟ ଦିନ ଏହି ଚଢାଉ କରାଯାଇଥିଲା।