ଅଡ଼ୁଆରେ ବିଜେପି ସାଂସଦ ରବି କିଶନ, ଆରମ୍ଭ ହେଲା ଆଇନଗତ କାର୍ଯ୍ୟାନୁଷ୍ଠାନ | News Room Odisha

ଅଡ଼ୁଆରେ ବିଜେପି ସାଂସଦ ରବି କିଶନ, ଆରମ୍ଭ ହେଲା ଆଇନଗତ କାର୍ଯ୍ୟାନୁଷ୍ଠାନ

ନୋଏଡା: ଭୋଜପୁରୀ ସୁପରଷ୍ଟାର ତଥା ବିଜେପି ସାଂସଦ ରବି କିଶନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ଏଠାରେ ନିର୍ବାଚନ ପ୍ରଚାର ସମୟରେ କିଶନ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି । ଏନେଇ ପୋଲିସ ତାଙ୍କ ବିରୋଧରେ ମାମଲା ରୁଜୁ କରି ନିର୍ବାଚନ ଅଧିକାରୀଙ୍କୁ ଏକ ବିସ୍ତୃତ ରିପୋର୍ଟ ପଠାଇଛି। ନିର୍ଦ୍ଦେଶ ପାଇବା ପରେ ତାଙ୍କ ବିରୋଧରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ |

ଅତିରିକ୍ତ ଡେପୁଟି ପୋଲିସ୍ କମିଶନର (ଜୋନ୍-୨) ଇଲା ମାରାନ୍ କହିଛନ୍ତି ଯେ ଭୋଜପୁରୀ ଚଳଚ୍ଚିତ୍ର ଅଭିନେତା ତଥା ବିଜେପି ସାଂସଦ ରବି କିଶନ ରବିବାର ଦିନ ନୋଏଡା ବିଧାନସଭା ନିର୍ବାଚନମଣ୍ଡଳୀକୁ ପ୍ରଚାର କରିବାକୁ ଆସିଥିଲେ। ସେ କହିଛନ୍ତି ଯେ ଚୋଟପୁର କଲୋନୀରେ ନିର୍ବାଚନ ପ୍ରଚାର ସମୟରେ ଆଦର୍ଶ ଆଚରଣ ସଂହିତା ଏବଂ କୋଭିଡ -୧୯ ପ୍ରୋଟୋକଲର ଉଲ୍ଲଂଘନ ହୋଇଥିଲା। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନ ରାଲି ଉପରେ କଟକଣା ଲଗାଇଥିଲେ ମଧ୍ୟ କିଶନ ଏହାର ଖୋଲା ଉଲଂଘନ କରିଥିଲେ ।

ସେ କହିଛନ୍ତି, ଏହି ପରିପ୍ରେକ୍ଷୀରେ ସୋସିଆଲ ମିଡିଆରେ ଏକ ଭିଡିଓ ପ୍ରସାରିତ ହୋଇଛି ଯେଉଁଥିରେ ନିୟମ ଉଲ୍ଲଂଘନ କରାଯାଇଥିବା ଦେଖିବାକୁ ମିଳୁଛି। ମାରାନ କହିଛନ୍ତି ଯେ ଭିଡିଓ ଆଧାରରେ ପୋଲିସ ଏକ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରି ନୋଏଡା ବିଧାନସଭାର ରିଟର୍ଣ୍ଣିଂ ଅଫିସରଙ୍କ ନିକଟକୁ ପଠାଇଛି। ତାଙ୍କ ନିର୍ଦ୍ଦେଶ ପରେ ଏହି ପ୍ରସଙ୍ଗରେ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।