କିଛି ଲୋକଙ୍କ ଦାୟିତ୍ୱହୀନତା ହିଁ କୋରୋନା ସଂକ୍ରମଣ ବଢାଉଛି : ଏସଆରସି | News Room Odisha

କିଛି ଲୋକଙ୍କ ଦାୟିତ୍ୱହୀନତା ହିଁ କୋରୋନା ସଂକ୍ରମଣ ବଢାଉଛି : ଏସଆରସି

ଭୁବନେଶ୍ୱର – ଲକଡାଉନ କଟକଣା କୋହଳ ହେବା ପରେ ଲୋକେ ବେପରୱା ହୋଇଯାଇଥିବା ଲକ୍ଷ୍ୟ କରାଯାଉଛି । କିଛି ଲୋକଙ୍କ ଦାୟିତ୍ୱହୀନତା ଯୋଗୁଁ କୋରୋନା ବିରୋଧୀ ଲଢେଇ ଦୁର୍ବଳ ହେଉଛି । ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଏହା କହିଛନ୍ତି ।

ଏକ ସାମ୍ବାଦିକ ସମ୍ମିଳନୀର ଏସଆରସି କହିଛନ୍ତି ଯେ, ଗତ ଶୁକ୍ରବାର ଓ ଶନିବାର ଦିନ ଭୁବନେଶ୍ୱର ଓ କଟକର କିଛି ସ୍ଥାନରେ ଲୋକଙ୍କ ଆଚରଣର ଭିିଡିଓ ରେକର୍ଡିଂ କରାଯାଇଥିଲା । ଏଥିରୁ ଜଣାପଡିଥିଲା ଯେ, ଲୋକେ କୋଭିଡ କଟକଣାକୁ ଠିକ୍ ଭାବେ ପାଳନ କରୁନାହାନ୍ତି । ଅନବଶ୍ୟକ ଭାବେ ବଜାରରେ ବୁଲୁଛନ୍ତି । ଆଉ ଲୋକଙ୍କ ଏଭଳି ଆଚରଣ ସଂକ୍ରମଣ ବଢାଉଛି ବୋଲି ଏସଆରସି କହିଛନ୍ତି । ସେ କହିଛନ୍ତି ଯେ, ଦେଶ ଓ ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗତ ମାର୍ଚ୍ଚମାସ ପରଠାରୁ ସରକାର ବିଭିନ୍ନ ପର୍ଯ୍ୟାୟରେ ଲକଡାଉନ ଲାଗୁ କରିଥିଲେ । ଏହାର ପ୍ରଭାବ ଆମ ଅର୍ଥନୀତି ଓ ଲୋକଙ୍କ ଜୀବିକା ଉପରେ ପଡିଛି । ତେଣୁ କେବଳ ସରକାର ନୁହଁନ୍ତି, ଲୋକମାନଙ୍କୁ ମଧ୍ୟ ଦାୟିତ୍ୱବାନ ହୋଇ କାମ କରିବାକୁ ହେବ ।

ସାମାଜିକ ଦୂରତା, ମାସ୍କ ବ୍ୟବହାର , ବ୍ୟକ୍ତିଗତ ଓ ଗୋଷ୍ଠୀଗତ ସ୍ୱାସ୍ଥ୍ୟ ସଚେତନତା ପାଳନ କରିବାକୁ ହେବ । ଘରର ଓ ସାହିର ମୁରବୀମାନେ ଆଗଭର ହୋଇ ସମାଜର ସବୁଲୋକ ଯେପରି କଟକଣା ମାନିବେ ଓ ସଚେତନ ହେବେ, ସେଦିଗରେ ଉଦ୍ୟମ କରିବା ଆବଶ୍ୟକ ବୋଲି ଏସଆରସି ପ୍ରଦୀପ ଜେନା କହିଥିଲେ ।