ଦାଦା-ପୁତୁରା ଲଢେ଼ଇ ମଧ୍ୟରେ 'ଲୋକ ଜନଶକ୍ତି ପାର୍ଟି'ର ପ୍ରତୀକ ଫ୍ରିଜ୍ କଲେ ନିର୍ବାଚନ ଆୟୋଗ | News Room Odisha

ଦାଦା-ପୁତୁରା ଲଢେ଼ଇ ମଧ୍ୟରେ ‘ଲୋକ ଜନଶକ୍ତି ପାର୍ଟି’ର ପ୍ରତୀକ ଫ୍ରିଜ୍ କଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: ରାମ ବିଳାସ ପାସୱାନଙ୍କ ଦଳ ‘ଲୋକ ଜନଶକ୍ତି ପାର୍ଟି (ଏଲଜେପି)’ ନେତୃତ୍ବ ଲଢେ଼ଇରେ କେନ୍ଦ୍ର ମନ୍ତ୍ରୀ ପଶୁପତି ପାରସଙ୍କୁ ନିର୍ବାଚନ ଆୟୋଗ ପକ୍ଷରୁ ଏକ ବଡ଼ ଝଟକା ଲାଗିଛି । ନିର୍ବାଚନ ଆୟୋଗ ଏଲଜେପିର ନିର୍ବାଚନ ପ୍ରତୀକ ‘ବଙ୍ଗଳା’କୁ ଫ୍ରିଜ୍ କରିଦେଇଛି। ଏବେ ପଶୁପତି ପାରସ କିମ୍ବା ତାଙ୍କ ପୁତୁରା ଚିରାଗ ପାସୱାନଙ୍କୁ ଦଳର ଏହି ନିର୍ବାଚନୀ ପ୍ରତୀକ ମିଳିବ ନାହିଁ। ଉଭୟ ପକ୍ଷରୁ ଏହି ଚିହ୍ନ ପାଇଁ ଦାବି କରାଯାଇଥିଲା।

ନିର୍ବାଚନ ଆୟୋଗ କହିଛନ୍ତି ଯେ ପଶୁପତି ପାରସ କିମ୍ବା ଚିରାଗଙ୍କୁ ଏଲଜେପିର ଚିହ୍ନ ବ୍ୟବହାର କରିବାକୁ ଦିଆଯିବ ନାହିଁ। ଉଭୟ ଦଳ ମଧ୍ୟବର୍ତ୍ତୀକାଳୀନ ପଦକ୍ଷେପ ଭାବରେ ସେମାନଙ୍କ ପ୍ରାର୍ଥୀଙ୍କୁ ନୂଆ ନାମ ଏବଂ ପ୍ରତୀକ ବଣ୍ଟନ କରିପାରିବେ |

ନିଜକୁ ଲୋକସଭାରେ ସଂସଦୀୟ ଦଳର ନେତା ଘୋଷଣା କରିବା ପରେ ପାଶୁପତି ପାରସ ଜାତୀୟ କାର୍ଯ୍ୟନିର୍ବାହୀ ଗଠନ କରି ନିଜକୁ ଦଳର ଅଧ୍ୟକ୍ଷ ଭାବେ ଘୋଷଣା କରିଛନ୍ତି। ଏହା ସତ୍ତ୍ୱେ ନିର୍ବାଚନ ଆୟୋଗରୁ ଏଲଜେପିର ନାମ ଏବଂ ପ୍ରତୀକ ନ ପାଇବା ତାଙ୍କ ପାଇଁ ଏକ ବଡ ଝଟକା | ଏହି ନାମର ପ୍ରତୀକ ପାଇଁ ପ୍ରଥମେ ପାରସ ନିର୍ବାଚନ ଆୟୋଗ ନିକଟରେ ଦାବି କରିଥିଲେ। ପଶୁପତି ପାରସ ଗୋଷ୍ଠୀ ଦ୍ୱାରା ନିଆଯାଇଥିବା ସମସ୍ତ ନିଷ୍ପତ୍ତି ସମ୍ପର୍କରେ ନିର୍ବାଚନ ଆୟୋଗଙ୍କୁ ଜଣାଇ ଦିଆଯାଇଥିଲା।