ତୱାଙ୍ଗ ପ୍ରସଙ୍ଗକୁ ନେଇ ଲୋକସଭାରେ ବିରୋଧୀଙ୍କ ହଙ୍ଗାମା, ଗୃହ ଦୁଇଥର ମୁଲତବୀ | News Room Odisha

ତୱାଙ୍ଗ ପ୍ରସଙ୍ଗକୁ ନେଇ ଲୋକସଭାରେ ବିରୋଧୀଙ୍କ ହଙ୍ଗାମା, ଗୃହ ଦୁଇଥର ମୁଲତବୀ

ନୂଆଦିଲ୍ଲୀ: ତୱାଙ୍ଗ ସଂଘର୍ଷ ପ୍ରସଙ୍ଗରେ ସଂସଦରେ ଅଚଳାବସ୍ଥା ଜାରି ରହିଛି । ଆଜି ମଧ୍ୟ ଏହି ପ୍ରସଙ୍ଗରେ ବିରୋଧୀ ବିତର୍କ ଦାବି କରି ଲୋକସଭାରେ ପ୍ରବଳ ହଟ୍ଟଗୋଳ କରିଛନ୍ତି । ଫଳରେ ଗୃହକାର୍ଯ୍ୟ ଚାଲିପାରିନଥିଲା । ବାଚସ୍ପତି ଗୃହକୁ ଦୁଇ ଥର ମୁଲତବୀ ରଖିଥିଲେ ।

ପ୍ରଥମ ଥର ମୁଲତବୀ ପରେ ମଧ୍ୟାହ୍ନ ୧୨ ଟାରୁ ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଗୃହକୁ ପୁଣି ମୁଲତବୀ ରଖିବାକୁ ପଡିଥିଲା। ବିରୋଧୀ ବାରମ୍ବାର ଏହି ପ୍ରସଙ୍ଗରେ ଆଲୋଚନା ଦାବି କରି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଗୃହକୁ ଡାକିବାକୁ ଦାବି କରିଥିଲେ।

ହୋହଲ୍ଲା ମଧ୍ୟରେ ଷ୍ଟାଣ୍ଡିଂ କମିଟିର ରିପୋର୍ଟ ଏବଂ ଅନ୍ୟାନ୍ୟ ଦଲିଲ ଗୃହର ଟେବୁଲ ଉପରେ ରଖାଯାଇଥିଲା।

ଗୃହକୁ ସୁରୁଖୁରୁରେ ଚଳାଇବା ପାଇଁ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରଧାନ ପଟେଲ ସାଂସଦମାନଙ୍କୁ ନିବେଦନ କରିଛନ୍ତି। ସେ କହିଛନ୍ତି ଯେ ଶୀତ ଅଧିବେଶନ ଶୁକ୍ରବାର ଶେଷ ହେବ । ଅନେକ ପ୍ରସଙ୍ଗ ଉପରେ ଆଲୋଚନା ହେବାର ଅଛି।

ଏହାଛଡ଼ା ସେ କହିଥିଲେ ପୂର୍ବରୁ ୟୁପିଏ ଅମଳରେ ମଧ୍ୟ ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ କୌଣସି ‘ବିସ୍ତୃତ ଆଲୋଚନା’ ହୋଇନଥିଲା।

ସେ କହିଛନ୍ତି ଯେ ସେନା ମଧ୍ୟ ଏ ବାବଦରେ ଏକ ବିବୃତ୍ତି ଜାରି କରିଛି । ବିରୋଧୀ ଦଳ ଅନ୍ତତଃ ସେନା ଅଧିକାରୀଙ୍କ ବିବୃତ୍ତି ଉପରେ ବିଶ୍ୱାସ କରିବା ଉଚିତ୍।