ଲୋକସଭାରେ ଆତଙ୍କ ସୃଷ୍ଟି କରିଥିବା ଯୁବକଙ୍କୁ ପାସ୍ ଦେଇଥିଲେ ବିଜେପି ସାଂସଦ | News Room Odisha

ଲୋକସଭାରେ ଆତଙ୍କ ସୃଷ୍ଟି କରିଥିବା ଯୁବକଙ୍କୁ ପାସ୍ ଦେଇଥିଲେ ବିଜେପି ସାଂସଦ

ନୂଆଦିଲ୍ଲୀ: ଲୋକସଭାର ସୁରକ୍ଷା ବ୍ୟବସ୍ଥାରେ ବୁଧବାର ଏକ ବଡ଼ ଧରଣର ତ୍ରୁଟି ଦେଖିବାକୁ ମିଳିଛି। ଗୃହକାର୍ଯ୍ୟ ଚାଲିଥିବାବେଳେ ଅପରାହ୍ନ ପ୍ରାୟ ଗୋଟାଏ ବେଳେ ଦର୍ଶକ ଗ୍ୟାଲେରୀରୁ ହଠାତ୍ ଦୁଇଜଣ ଯୁବକ ସୁରକ୍ଷା ବଳୟ ଭେଦ କରି ଲୋକସଭାକୁ ଡେଇଁଥିଲେ । ସେମାନେ ନିଜ ଜୋତାରେ ଲୁଚାଇ ଆଣିଥିବା ଗ୍ୟାସ ନିର୍ଗତକାରୀ ସାମଗ୍ରୀ ବହାର କରି ହଳଦିଆ ରଙ୍ଗର ଧୂଆଁ ସ୍ପ୍ରେ କରିଥିଲେ । ଏହି ଘଟଣା ଯୋଗୁଁ ଲୋକସଭାରେ ଆତଙ୍କ ଖେଳିଯାଇଥିଲା । କିଛି ସାଂସଦ ଦୁଇ ଯୁବକଙ୍କୁ କାବୁ କରି ସୁରକ୍ଷା କର୍ମୀଙ୍କୁ ହସ୍ତାନ୍ତର କରିଥିଲେ । ସଂସଦ ଉପରେ ଆତଙ୍କବାଦୀ ଆକ୍ରମଣର ୨୨ତମ ବାର୍ଷିକୀରେ ଏପରି ଘଟଣା ଘଟିଥିବାରୁ ସୁରକ୍ଷା ବ୍ୟବସ୍ଥା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଲୋକସଭାରେ ପଶିଥିବା ଦୁଇ ଯୁବକଙ୍କୁ ଅଟକ ରଖାଯାଇଛି। ଏମାନଙ୍କ ମଧ୍ୟରୁ ସାଗର ଶର୍ମା ନାମକ ଯୁବକଙ୍କୁ ମହୀଶୂରର ବିଜେପି ସାଂସଦ ପ୍ରତାପ ସିହ୍ନାଙ୍କ ନାମରେ ପାସ୍ ଜାରି କରାଯାଇଥିଲା । ଆଉ ଜଣେ ଯୁବକ ହେଉଛନ୍ତି ମହୀଶୂର ବାସିନ୍ଦା ଡି.ମନୋରଞ୍ଜନ । ସେ‌ ପେସାରେ ଜଣେ ଇଞ୍ଜିନିୟର ବୋଲି ଜଣାପଡ଼ିଛି।

ଏହି ଘଟଣା ପରେ ଖୁବ ଗୃହକୁ ଅପରାହ୍ନ ୨ଟା ଯାଏଁ ମୁଲତବୀ ରଖାଯାଇଥିଲା।

ସାଗର ଶର୍ମା ନାମକ ଯୁବକ ବିଜେପି ସାଂସଦ ପ୍ରତାପ ସିହ୍ନାଙ୍କ ନାଁରେ ପାସ୍ ପାଇଥିବା ବେଳେ ସେ ସ୍ମୋକ୍ କ୍ୟାନିଷ୍ଟର ଧରି ଲୋକସଭା ଗ୍ୟାଲେରୀ ଭିତରକୁ କିପରି ପ୍ରବେଶ କରିବାରେ ସଫଳ ହୋଇଥିଲେ ତାହା ସମସ୍ତଙ୍କୁ ଚକିତ କରିଛି ।

ଦର୍ଶକ ଗ୍ୟାଲେରୀରୁ ଲୋକସଭାକୁ ଡେଇଁବା ପରେ ଦୁଇ ଯୁବକ ‘ତାନାଶାହୀ ନହିଁ ଚଲେଗି (ଏକଛତ୍ରବାଦ ଚଳିବନି)’ ଭଳି ସ୍ଲୋଗାନ ମଧ୍ୟ ଦେଇଥିଲେ ।

ସଂସଦ ବାହାରେ ମଧ୍ୟ ରଙ୍ଗୀନ ଧୂଆଁ ସ୍ପ୍ରେ କରି ବିକ୍ଷୋଭ ପ୍ରଦର୍ଶନ କରୁଥିବା ଜଣେ ମହିଳାଙ୍କ ସହ ଆଉ ଦୁଇ ଜଣଙ୍କୁ ଗିରଫ କରାଯାଇଥିଲା ବୋଲି ପୋଲିସ କହିଛି।