ମହୁଆ ମଇତ୍ର‌ଙ୍କ ବଢ଼ିଲା ଅଡ଼ୁଆ, ପ୍ରଶ୍ନ ପାଇଁ ଟଙ୍କା ମାମଲାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଲେ ଲୋକପାଳ | News Room Odisha

ମହୁଆ ମଇତ୍ର‌ଙ୍କ ବଢ଼ିଲା ଅଡ଼ୁଆ, ପ୍ରଶ୍ନ ପାଇଁ ଟଙ୍କା ମାମଲାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଲେ ଲୋକପାଳ

ନୂଆଦିଲ୍ଲୀ: ତୃଣମୂଳ ସାଂସଦ ମହୁଆ ମଇତ୍ର‌ଙ୍କ ବିରୋଧରେ ପ୍ରଶ୍ନ ପାଇଁ ଟଙ୍କା ମାମଲାର ସିବିଆଇ ତଦନ୍ତ ହେବ । ଲୋକପାଳ ଏହି ମାମଲାର ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଛନ୍ତି ବୋଲି ବିଜେପି ସାଂସଦ ନିଶିକାନ୍ତ ଦୁବେ ଦାବି କରିଛନ୍ତି। ସେ ‘ଏକ୍ସ’ରେ ଏକ ପୋଷ୍ଟରେ ଏଭଳି ଦାବି କରିଛନ୍ତି । ତେବେ ଲୋକପାଳଙ୍କ ପକ୍ଷରୁ ଏନେଇ କୌଣସି ସୂଚନା ଦିଆଯାଇନାହିଁ ।

ପ୍ରଶ୍ନ ପାଇଁ ଟଙ୍କା ମାମଲାରେ ମହୁଆ ମଇତ୍ରଙ୍କ ବିରୋଧରେ ଲୋକସଭାର ଏଥିକ୍ସ କମିଟି ମଧ୍ୟ ତଦନ୍ତ କରୁଛି। ଏଥିକ୍ସ କମିଟିର ପରବର୍ତ୍ତୀ ବୈଠକ ଆସନ୍ତାକାଲି ବସିବାକୁ ଥିବାବେଳେ ମହୁଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ ହୋଇପାରେ ।

ସିବିଆଇ ତଦନ୍ତ ନେଇ ଦୁବେଙ୍କ ପୋଷ୍ଟ ପରେ ମହୁଆ ମିତ୍ର ପ୍ରତିକ୍ରିୟା ରଖିଛନ୍ତି । ଏହି ଟିଏମସି ସାଂସଦ କହିଛନ୍ତି, ତାଙ୍କ ମାମଲାର ତଦନ୍ତ ପୂର୍ବରୁ ଆଦାନୀଙ୍କ ବିରୋଧରେ ଆହୁରି ଅନେକ ମାମଲା ରହିଛି ଯାହାର ତଦନ୍ତ କରାଯିବା ଉଚିତ। ଏହା ପରେ ଯଦି ତଦନ୍ତକାରୀ ସଂସ୍ଥା ଚାହାଁନ୍ତି ତେବେ ସେମାନେ ମୋର ଜୋତା ଗଣିବାକୁ ଆସିପାରିବେ |

ସଂସଦରେ ପ୍ରଶ୍ନ କରିବା ପାଇଁ ମହୁଆ ମଇତ୍ର‌ ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କ ଠାରୁ ଟଙ୍କା ଓ ଦାମୀ ଉପହାର ନେଇଥିଲେ ବୋଲି ନିଶିକାନ୍ତ ଦୁବେ ଲୋକସଭା ବାଚସ୍ପତିଙ୍କ ନିକଟକୁ ଚିଠି ଲେଖି ଅଭିଯୋଗ କରିଥିଲେ । ଦୁବେ ଦାବି କରିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଶିଳ୍ପପତି ଗୌତମ ଆଦାନୀଙ୍କ ଭାବମୂର୍ତ୍ତି ମଳିନ କରିବା ପାଇଁ ମଇତ୍ର ଲୋକସଭାରେ ଜାଣିଶୁଣି ଏପରି କିଛି ପ୍ରଶ୍ନ ପଚାରିଥିଲେ ଯାହା ବିବାଦ ସୃଷ୍ଟି କରିଥିଲା। ଶିଳ୍ପପତି ଦର୍ଶନ ହିରାନନ୍ଦାନୀଙ୍କୁ ମଇତ୍ର ତାଙ୍କ ଲୋକସଭା ଲଗଇନ୍ ଆଇଡି ମଧ୍ୟ ଦେଇଥିଲେ ଓ ତାଙ୍କ ପାଇଁ ହିରାନନ୍ଦାନୀ ପ୍ରଶ୍ନ ପ୍ରସ୍ତୁତ କରୁଥିଲେ ।