ବ୍ରହ୍ମପୁର ଠାକୁରାଣୀ ଯାତ୍ରା: ରଥ ସବୁ ଦର୍ଶାଏ ପ୍ରାଚୀନ ଓ ପୌରାଣିକ ପରମ୍ପରା  | News Room Odisha

ବ୍ରହ୍ମପୁର ଠାକୁରାଣୀ ଯାତ୍ରା: ରଥ ସବୁ ଦର୍ଶାଏ ପ୍ରାଚୀନ ଓ ପୌରାଣିକ ପରମ୍ପରା 

ବ୍ରହ୍ମପୁର: ଦ୍ବିବାର୍ଷିକ ବ୍ରହ୍ମପୁର ମା’ ବୁଢ଼ି ଠାକୁରାଣୀ ଯାତ୍ରା ଶେଷ ସପ୍ତାହରେ ଆଗେଇ ଚାଲିଛି। ଆଜିକୁ ମିଶାଇ ଯାତ୍ରା ଅବଧି ଆଉ ମାତ୍ର ୫ ଦିନ ଥିବାରୁ ଭକ୍ତଙ୍କ ଭିଡ଼ ବୃଦ୍ଧି ପାଇବାରେ ଲାଗିଛି। ଏଥିସହ ରଥ, କଳାକୁଞ୍ଜ ଓ ବିଭିନ୍ନ ବେଶଧାରୀଙ୍କ ସମାଗମ ମଧ୍ୟ ବୃଦ୍ଧି ପାଇଛି। ଯାତ୍ରା ସ୍ଥଳ ବଡ଼ବଜାର ଓ ନିକଟସ୍ଥ ପୁରୁଣା ବ୍ରହ୍ମପୁର ଅଞ୍ଚଳରେ ଏ ମଧ୍ୟରେ ପ୍ରାୟ ୨୦ଟି ରଥ ଓ କଳାକୁଞ୍ଜ ଖୋଲି ସାରିଲାଣି। ଏହାକୁ ଦେଖିବା ପାଇଁ ଶ୍ରଦ୍ଧାଳୁ ଓ ଆଗନ୍ତୁକମାନଙ୍କ ଗହଳି ଚହଳି ପରିଲକ୍ଷିତ ହେଉଛି। ଆଲୋକମାଳାରେ ଅଞ୍ଚଳ ଝଲସି ଉଠୁଛି।

ଠାକୁରାଣୀ ଯାତ୍ରାରେ ଚଳିତ ବର୍ଷ ପ୍ରାୟ ୨୫ରୁ ଅଧିକ ରଥ ଓ କଳାକୁଞ୍ଜ ନିର୍ମାଣ କରାଯାଇଛି। ପ୍ରାଚୀନ ରଥ ଭାବେ ପରିଚିତ ତଥା ଦେବୀଙ୍କ ପ୍ରିୟ କୁହାଯାଉଥିବା ବିଞ୍ଚଣା ରଥ ବାଚୁବାରୀ ସାହିରେ, ଦୋଳି ରଥ ସାନ୍ତାରାଣୀ ସାହିରେ ପ୍ରଦର୍ଶିତ ହେଉଛି। ପ୍ରାଚୀନ ନୌବାଣିଜ୍ୟ ପରମ୍ପରାର ପ୍ରତୀକ ବୋଇତ ରଥ ଚନ୍ଦ୍ରମା ସାହିରେ ଖୋଲିଛି। ସେହିପରି ଜ୍ୱାଳାମୁଖୀ ରଥ କାଳୁ ପାତ୍ର ସାହି, ଶିବାଋଢ କାଳୀ ରଥ ଷଣ୍ଢ ମହାନ୍ତି ସାହି, ଜ୍ବାଳା ରଥ କେଦାରେଶ୍ୱର ମନ୍ଦିର ରାସ୍ତା, ଧନଲକ୍ଷ୍ମୀ ରଥ କୁମ୍ଭାର ସାହି, କନକ ଦୁର୍ଗା ରଥ ଆଗା ସାହି, ଶ୍ୟାମାକାଳୀ ରଥ ବାଲୁଙ୍କେଶ୍ୱର ମନ୍ଦିର ଛକ, କନକ ଦୁର୍ଗା ରଥ ପାଓ୍ବାଲ ସାହି ଠାରେ ଦେଖିବାକୁ ମିଳୁଛି।

ସେହିପରି ବିଶ୍ଵରୂପ ରଥ ପୁରୁଣା ବ୍ରହ୍ମପୁର ତ୍ରିନାଥ ମନ୍ଦିର ଛକ, ନାରାୟଣ ରଥ ମାର୍ଥାପେଟା ସାହି, ଜଗନ୍ନାଥ ରଥ ଜେମାଦେଇପେଣ୍ଠ ସାହି, ଶ୍ରୀକୃଷ୍ଣ ରଥ ଗୌଡ଼ ସାହି, ରାମଚନ୍ଦ୍ର ରଥ ଶଙ୍କରପୁର ସାହି, ଶ୍ରୀରାମ ରଥ କେଉଟ ସାହି, ବୀର ଲକ୍ଷ୍ମଣ ରଥ ଜେନା ସାହି, ମହାବୀର ଲକ୍ଷ୍ମଣ ରଥ ଶଙ୍ଖାରି ସାହି, ମହାଦେବ ରଥ ବାଲାଜୀପେଣ୍ଠ ସାହି, ମହାବୀର ହନୁମାନ ରଥ ଚନ୍ଦ୍ରଶେଖର ମନ୍ଦିର ସାହି, ନାଗାର୍ଜୁନ ରଥ ସୀତାରାମ ସାହି, ହରି ଅର୍ଜୁନ ରଥ ଖାସପା ସାହି, ପର୍ଶୁରାମ ରଥ କଂସାରୀ ସାହି, କାମଧେନୁ ରଥ ବଡ଼ ରେଡିକା ସାହି, ମହାବୀର କର୍ଣ୍ଣ ରଥ ପୁରୁଣା ବ୍ରହ୍ମପୁର ସାହିରେ ଶୋଭା ପାଉଛି। ଏସବୁ ରଥ ବ୍ୟତୀତ ଆହୁରି ଅନେକ କଳାକୁଞ୍ଜ ଯାହା ପୌରାଣିକ ଓ ସାମ୍ପ୍ରତିକ ତଥା ଆଧ୍ୟାତ୍ମିକ ଓ ଆଧୁନିକ ପ୍ରସଙ୍ଗର ବ୍ୟାଖ୍ୟାନ କରୁଛି ତାହା ମଧ୍ୟ ଖୋଲିଲାଣି। ଯାତ୍ରାର ଆକର୍ଷଣ ବୃଦ୍ଧି କରିବା ସହ ଶ୍ରଦ୍ଧାଳୁ ଓ ଆଗନ୍ତୁକମାନଙ୍କୁ ଯାତ୍ରା ସ୍ଥଳକୁ ଟାଣି ଆଣୁଛି।