ବ୍ରହ୍ମପୁର ବୁଢି ଠାକୁରାଣୀ ଯାତ୍ରା: ପ୍ରଥମ ଦିନରୁ ବେଶ ପରମ୍ପରାର ଝଲକ | News Room Odisha

ବ୍ରହ୍ମପୁର ବୁଢି ଠାକୁରାଣୀ ଯାତ୍ରା: ପ୍ରଥମ ଦିନରୁ ବେଶ ପରମ୍ପରାର ଝଲକ

ବ୍ରହ୍ମପୁର: ବ୍ରହ୍ମପୁର ପ୍ରସିଦ୍ଧ ଦ୍ବିବାର୍ଷିକ ମା’ ବୁଢି ଠାକୁରାଣୀ ଯାତ୍ରା ଏଥର ୨୮ ଦିନ ଅବଧିର ରହିଛି। ମା’ସାଆନ୍ତାଣୀ ଆସନ୍ତା ମେ ପହିଲା ପର୍ଯ୍ୟନ୍ତ ବାପ ଘର ଅର୍ଥାତ୍ ଦେଶୀବେହେରା ସାହି ସ୍ଥିତ ଅସ୍ଥାୟୀ ପୀଠରେ ପୂଜା ପାଇବେ। ଆଉ ସେଠାରେ ପ୍ରତ୍ୟହ ସହସ୍ରାଧିକ ଭକ୍ତଙ୍କ ଭିଡ଼ ଜମୁଛି।‌ ଦୂରଦୂରାନ୍ତରୁ ଛୁଟି ଆସୁଛନ୍ତି ଶ୍ରଦ୍ଧାଳୁ। ଉଦ୍ଦେଶ୍ୟ ମା’ଙ୍କ ଦର୍ଶନ କରିବେ, ଝିଅ ରୂପରେ ବିଜେ ହୋଇଥିବା ଦେବୀଙ୍କ ପୂଜା କରି ମନୋସ୍କାମନା ପୂରଣ ପାଇଁ ଆଶୀର୍ବାଦ ଲୋଡ଼ିବେ। ସେଥିପାଇଁ ଯାତ୍ରାସ୍ଥଳ ଏବେ ଚଳଚଞ୍ଚଳ। ଭକ୍ତଙ୍କ ସମାଗମରେ ଦେଶୀବେହେରା ସାହି ଭରି ଉଠୁଛି।

ଠାକୁରାଣୀ ଯାତ୍ରାର ଏକ ବିଶେଷତ୍ତ୍ୱ ହେଉଛି ବେଶ ପରମ୍ପରା। ମାନସିକ କରି ଭକ୍ତମାନେ ନିଜକୁ ବିଭିନ୍ନ ଆଧ୍ୟାତ୍ମିକ ଚରିତ୍ରରେ ସଜାଇ ଅସ୍ଥାୟୀ ପୀଠକୁ ଆଗମନ କରନ୍ତି। ତା ପୂର୍ବରୁ ସାହି ପଡ଼ିଶା ଓ ସମ୍ପର୍କୀୟଙ୍କ ଘରେ ବୁଲି ଆଶୀର୍ବାଦ ଭିକ୍ଷା କରିଥାନ୍ତି। ଶେଷରେ ଦେବୀଙ୍କ ଦର୍ଶନ କରିଥାନ୍ତି। ଏସବୁ ବ୍ୟକ୍ତିଗତ ବେଶ ମଧ୍ୟରେ ରହିଥାଏ ଶ୍ରୀକୃଷ୍ଣ, ବଳରାମ, ଶ୍ରୀରାଧା, ଅର୍ଜୁନ, ଶ୍ରୀରାମ, ଲକ୍ଷ୍ମଣ, ସୀତା, ବୀର ହନୁମାନ, ପର୍ଶୁରାମ ଆଦି ଅନେକ ବେଶ। କୁନି ପିଲାମାନଙ୍କ ଚକଚକିଆ ଓ ରଙ୍ଗୀନ ବେଶ ଆଖିକୁ ଯେତେ ସୁନ୍ଦର ଦିଶେ ମନକୁ ସେତେ ତୃପ୍ତ କରିଥାଏ। ଆଉ ଏଥର ଯାତ୍ରାର ପ୍ରଥମ ଦିନରୁ ହିଁ ଭକ୍ତମାନେ ମାନସିକ ପୂରଣ ପାଇଁ ମା’ ଠାକୁରାଣୀଙ୍କ ଆଗରେ ବେଶଧାରୀ ସାଜିଛନ୍ତି। କିଛି କୁନି ପିଲାଙ୍କ ସମେତ ସାମୂହିକ ବେଶ ଦେଖିବାକୁ ମିଳିଥିଲା। ବେଶ ଧରି ମା’ ସାଆନ୍ତାଣୀଙ୍କ ଦର୍ଶନ କଲେ ଦେବୀଙ୍କ ଆଶୀର୍ବାଦ ମିଳିଥାଏ ବୋଲି ବିଶ୍ଵାସ ରହିଛି।

ପୁରୀରୁ ଆସିଥିଲେ ଏକ ପରିବାର। ତାଙ୍କ ୩ ବର୍ଷର ଶିଶୁ କୃଷ୍ଣ ବେଶ ଧରି ଅସ୍ଥାୟୀ ମଣ୍ଡପରେ ଦେବୀଙ୍କ ଦର୍ଶନ କରିଥିଲେ। କୁମ୍ଭାର ସାହିର ସାମୂହିକ ଘଣ୍ଟ ବେଶ ପ୍ରଥମ ଦିନ ଯାତ୍ରାର ଅନ୍ୟତମ ଆକର୍ଷଣ ଥିଲା। ଆଗମୀ ଦିନରେ ଆହୁରି ଅନେକ ଏକକ ଏବଂ ସାମୂହିକ ବେଶ ଦେଖିବାକୁ ମିଳିବ।