ବ୍ରହ୍ମପୁର ବୁଢ଼ି ଠାକୁରାଣୀଙ୍କ ଯାତ୍ରା: ବାହାରିଲା ବାଘ ବେଶ  | News Room Odisha

ବ୍ରହ୍ମପୁର ବୁଢ଼ି ଠାକୁରାଣୀଙ୍କ ଯାତ୍ରା: ବାହାରିଲା ବାଘ ବେଶ 

ବ୍ରହ୍ମପୁର: ରେଶମ ସହରରେ ଦୁଇ ବର୍ଷକୁ ଥରେ ହେଉଥିବା ବୁଢ଼ି ଠାକୁରାଣୀ ଯାତ୍ରାରେ ଦିନକୁ ଦିନ ଶ୍ରଦ୍ଧାଳୁଙ୍କ ସମାଗମ ବୃଦ୍ଧି ପାଉଛି। ଦିନ ଯେତିକି ବୃଦ୍ଧି ପାଉଛି ଯାତ୍ରାର ଭବ୍ୟ ଆୟୋଜନ ଓ ଆଧ୍ୟାତ୍ମିକ ପରିବେଶ ସେତିକି ମହକିବାରେ ଲାଗିଛି। ନିୟମିତ ଦେବୀ ପରିକ୍ରମାରେ ଯାଇ ବିଭିନ୍ନ ରଥ ଓ କଳାକୁଞ୍ଜକୁ ନିମନ୍ତ୍ରଣ କରୁଛନ୍ତି। ଏଥିସହ ଭିନ୍ନ ଭିନ୍ନ ସାହି ଓ ଗଳିକନ୍ଦିରେ ରଥ, କଳାକୁଞ୍ଜ ନିର୍ମାଣ ପ୍ରକ୍ରିୟା ଆରମ୍ଭ ହେବା କାରଣରୁ ଯାତ୍ରାସ୍ଥଳ ତଥା ବଡ଼ବଜାର ଅଞ୍ଚଳରେ ଯାତ୍ରା ମାହୋଲ ଅଧିକ ବ୍ୟାପକ ହେଉଛି।

ମା’ ବୁଢ଼ି ଠାକୁରାଣୀ ଯାତ୍ରାର ନବମ ଦିନ ବୁଧବାର ସନ୍ଧ୍ୟାରେ ଅସ୍ଥାୟୀ ପୀଠରୁ ବାହାରି ରାଜବାଟୀରେ ପହଞ୍ଚିଥିଲେ। ସେଠି ମହୁରୀ ରାଜ ପରିବାରର ଭୋଗ ଓ ପୂଜା ଗ୍ରହଣ ପରେ ଚୀନା ବଜାର, ସାଆନ୍ତାଣୀ ସାହି ବୁଲି ଲାଲା ସାହିରେ ପହଞ୍ଚି କଳାକୁଞ୍ଜକୁ ନିମନ୍ତ୍ରଣ କରିଥିଲେ। ସେଠାରୁ ବାହାରି ଭୂତ ସାହି ଦେଇ ନୂଆ ସାହିରେ ଦ୍ବିତୀୟ ଏବଂ ବନ୍ଧ ସାହି ହୋଇ କପିଳେଶ୍ଵରପେଟା ସାହିରେ ଆଉ ଏକ କଳାକୁଞ୍ଜକୁ ନିମନ୍ତ୍ରଣ ଦେଇଥିଲେ। ବାଲାଜୀପେଟା ଗୌଡ଼ ସାହିରେ ଶ୍ରୀକୃଷ୍ଣ ରଥ, ବାଲାଜୀପେଟା ମୁଖ୍ୟ ସାହିରେ ଈଶ୍ବର ରଥ, କୁମ୍ଭାର ସାହିରେ ମହାଲକ୍ଷ୍ମୀ ରଥକୁ ନିମନ୍ତ୍ରଣ କରିଥିଲେ ମା’ ସାଆନ୍ତାଣୀ। ଏହାପରେ କେଉଟ ସାହି ଦେଇ ଦେଶୀବେହେରା ସାହି ସ୍ଥିତ ଅସ୍ଥାୟୀ ପୀଠକୁ ଫେରିଥିଲେ।

ଯାତ୍ରା ଦିନ ଯେତିକି ଗଡୁଛି ମା’ ବୁଢ଼ି ଠାକୁରାଣୀଙ୍କ ଦର୍ଶନ ସକାଶେ ଶ୍ରଦ୍ଧାଳୁଙ୍କ ଭିଡ଼ ସାଙ୍ଗକୁ ମାନସିକ କରିଥିବା ବେଶଧାରୀଙ୍କ ସଂଖ୍ୟା ମଧ୍ୟ ସେଠାରେ ଅଧିକରୁ ଅଧିକ ପରିଲକ୍ଷିତ ହେଉଛି। କୃଷ୍ଣ, ବଳରାମ, ସୁଭଦ୍ରା, ରାମ, ଲକ୍ଷ୍ମଣ, ସୀତା, ହନୁମାନ, ପର୍ଶୁରାମ, ଶିବ ପାର୍ବତୀ, ମହାଲକ୍ଷ୍ମୀ, କାଳୀ, ଦୁର୍ଗା, ମୁନି ଋଷି, ସାଧୁ ସନ୍ଥ, ଭିକାରୀ, ବାଳବ୍ରହ୍ମଚାରୀ ଆଦି କେତେ ନା କେତେ ବେଶ ଏବେ ଯାତ୍ରାସ୍ଥଳରେ ଦେଖିବାକୁ ମିଳୁଛି। ବୁଧବାର ଜଣେ ବ୍ୟକ୍ତି ବାଘ ବେଶ ଧାରଣ କରି ଅସ୍ଥାୟୀ ପୀଠକୁ ଆସି ଦେବୀଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ।

ଠାକୁରାଣୀ ଯାତ୍ରାରେ ବିଭିନ୍ନ ବେଶଭୂଷା ମଧ୍ୟରେ ବାଘ ବେଶ ଅନ୍ୟତମ ଆକର୍ଷଣ ପାଲଟିଥାଏ। ଏହା ଯେତେ ସୁନ୍ଦର, ସେତେ ଅଧିକ କଠୋର ଓ ବ୍ୟୟବହୁଳ ଏବଂ ସମୟସାପେକ୍ଷ ମଧ୍ୟ। ଅନ୍ୟ ବେଶରେ ଶରୀର ଅପେକ୍ଷା ବେଶପୋଷାକକୁ ଗୁରୁତ୍ବ ଦିଆଯାଉ ଥିବା ବେଳେ ବାଘ ବେଶରେ ପ୍ରାୟ ସମଗ୍ର ଶରୀରକୁ ପ୍ରଥମେ ବାଘର‌ ଚମଡା ଅନୁରୂପ ହଳଦିଆ ଓ କଳା, ଧଳା ରଙ୍ଗରେ ସଜ୍ଜିତ କରାଯାଇଥାଏ। ଏହା ପରେ ବାଘ ମୁଣ୍ଡ, ବାଳ, ଲାଞ୍ଜ, ବାହୁବନ୍ଧ, ଗାଲ ପଟି, ନଖ ଆଦି ପିନ୍ଧିବାକୁ ପଡ଼େ। ଏସବୁ ଅନ୍ୟ ବେଶ ଅପେକ୍ଷା ବ୍ୟୟବହୁଳ ଓ ସମୟସାପେକ୍ଷ।। ଦେଶୀ ଚାଙ୍ଗୁ ବାଦ୍ୟ ତାଳେ ଜୀବନ୍ତ ବାଘ ଭଳି ଅଭିନୟ ବା ନାଚ କରିବାକୁ ହୁଏ। ଏବେ ବୁଢ଼ି ଠାକୁରାଣୀ ଯାତ୍ରାରେ ଗୋଟିଏ ଦୁଇଟି ବାଘ ବେଶ ଦେଖିବାକୁ ମିଳିବ। ଆଉ କିଛି ଦିନ ପରେ ସାମୂହିକ ବାଘ ବେଶରେ ୩, ୫ ବା ତା ଠାରୁ ଅଧିକ ସଂଖ୍ୟକ ଲୋକ ଏକାଠି ବେଶଧାରଣ‌ କରିବା ଦେଖିବାକୁ ମିଳିବ।