ବ୍ରହ୍ମପୁର ବୁଢ଼ି ଠାକୁରାଣୀ ଯାତ୍ରା: ଘଟ ମଧ୍ୟରେ ଦେବୀଙ୍କ ପ୍ରବେଶ, ପରିକ୍ରମା ଆରମ୍ଭ  | News Room Odisha

ବ୍ରହ୍ମପୁର ବୁଢ଼ି ଠାକୁରାଣୀ ଯାତ୍ରା: ଘଟ ମଧ୍ୟରେ ଦେବୀଙ୍କ ପ୍ରବେଶ, ପରିକ୍ରମା ଆରମ୍ଭ 

ବ୍ରହ୍ମପୁର: ରେଶମ ସହରରେ ଚାଲିଥିବା ପ୍ରସିଦ୍ଧ ଦ୍ବିବାର୍ଷିକ ମା’ ବୁଢ଼ି ଠାକୁରାଣୀଙ୍କ ଯାତ୍ରାରେ ଗୁରୁବାର ସନ୍ଧ୍ୟାରୁ ଘଟ ପରିକ୍ରମା ଆରମ୍ଭ ହୋଇଛି। ନୀତି ମୁତାବକ ମା’ଙ୍କ ଘଟ ପ୍ରଥମ ସନ୍ଧ୍ୟାରେ ଦେଶୀବେହେରା ସାହିରେ ଥିବା ଅସ୍ଥାୟୀ ପୀଠରୁ ବାହାରି କିଛି ଦୂରରେ ଥିବା ରାଜବାଟୀ ପର୍ଯ୍ୟନ୍ତ ଯାଇଥିଲା। ସେଠାରେ ରୀତିନୀତି ମୁତାବକ ମହୁରୀ ରାଜା ମା’ଙ୍କୁ ପାଛୋଟି ନେଇ ପୂଜାର୍ଚ୍ଚନା କରି ଜଗତର ମଙ୍ଗଳ କାମନା କରିଥିଲେ। ଏହାପରେ ଘଟ ପୁଣି ଦେଶୀବେହେରା ସାହି ଶେଷ ଯାଏଁ ଯାଇ ସେଠାରୁ ଅସ୍ଥାୟୀ ପୀଠକୁ ଫେରି ଆସିଥିଲା।

ବ୍ରହ୍ମପୁର ମା’ବୁଢ଼ି ଠାକୁରାଣୀ ଯାତ୍ରାର ଏହି ପରମ୍ପରା ନିଆରା କହିଲେ ଅତ୍ୟୁକ୍ତି ହେବ ନାହିଁ। ବାସ୍ତବରେ ଏହା ହେଉଛି ମା’ ବୁଢ଼ି ସାଆନ୍ତାଣୀଙ୍କ ଘଟ ମଧ୍ୟରେ ପ୍ରବେଶ ପରମ୍ପରା। ଦେବୀ ନିଜ ମୂଳ ମନ୍ଦିରରୁ ବାପା ଘର ଅର୍ଥାତ୍ ଦେଶୀବେହେରା ସାହିରେ ଥିବା ଅସ୍ଥାୟୀ ପୀଠକୁ ଆସିବା ପର୍ଯ୍ୟନ୍ତ ଇଟିମଳା ଫୁଲ ଚାଙ୍ଗୁଡ଼ିରେ ବିଜେ ହୋଇ ରହିଥାନ୍ତି। ଯାତ୍ରାର ତୃତୀୟ ଦିନରେ ଦେବୀଙ୍କ ଆଧ୍ୟାତ୍ମିକ ରୂପାନ୍ତରଣ ଘଟିଥାଏ। ଅର୍ଥାତ୍ ସେ ଫୁଲ ଚାଙ୍ଗୁଡ଼ିରେ ଘଟକୁ ବିଜେ ହୋଇ ଆସିବା ସାଙ୍ଗକୁ ଘଟ ପରିକ୍ରମା ଆରମ୍ଭ ହୋଇଥାଏ। ଏଥିନିମନ୍ତେ ମାଟି ହାଣ୍ଡିକୁ ଚିତ୍ରିତ ଓ ପୂଜା କରି ଗୋଟିଏ ମୁଖ୍ୟ ଘଟ ସହିତ ୮ଗୋଟି ପାର୍ଶ୍ବ ଘଟ ପ୍ରସ୍ତୁତ କରାଯାଏ। ଏହି ସମସ୍ତ ଘଟକୁ ପାରମ୍ପରିକ ଚିତ୍ରକାର ପରିବାର ଦେଶୀବେହେରାଙ୍କ ଘରେ ଚିତ୍ରିତ କରିଥାନ୍ତି।

ଶହ ଶହ ବର୍ଷର ପରମ୍ପରା ଅନୁସାରେ ମୁଖ୍ୟଘଟକୁ ଯାତ୍ରାର ମୁଖ୍ୟ ଆୟୋଜକ ପି.ଦୁର୍ଗାପ୍ରସାଦଙ୍କ ପତ୍ନୀ ତଥା ବୁଢ଼ି ସାଆନ୍ତାଣୀଙ୍କ ମା’ ଭାବେ ମାନ୍ୟତା ପାଇଥିବା ପି.ଦେବକୀ ଠାକୁରାଣୀଙ୍କ ଘଟ ମୁଣ୍ଡରେ ବୋହି ପଟୁଆରରେ ଆଗକୁ ଆଗକୁ ବଢ଼ି ଚାଲିଥିଲେ। ପାର୍ଶ୍ବ ଘଟଗୁଡିକୁ ତାଙ୍କ ପରିବାର ଓ ସମ୍ପର୍କୀୟ ୮ ଜଣ ମହିଳା ମୁଣ୍ଡରେ ଧରି ପରିକ୍ରମାରେ ସାମିଲ ହୋଇଥିଲେ। ଯାତ୍ରାର ତୃତୀୟ ଦିନରେ ମା’ଙ୍କୁ ଦର୍ଶନ କରିଥିଲେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଓ ବିଏମସି କମିଶନର୍ ଜେ. ସୋନାଲ ପ୍ରମୁଖ।