ଏଆଇଏଡିଏମକେ ନେତୃତ୍ବ ଲଢ଼େଇ: ପଲାନିସ୍ୱାମୀଙ୍କୁ ଝଟକା, ସ୍ଥିତାବସ୍ଥା ବଜାୟ ରଖିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ | News Room Odisha

ଏଆଇଏଡିଏମକେ ନେତୃତ୍ବ ଲଢ଼େଇ: ପଲାନିସ୍ୱାମୀଙ୍କୁ ଝଟକା, ସ୍ଥିତାବସ୍ଥା ବଜାୟ ରଖିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଚେନ୍ନାଇ: ଦଳର ନେତୃତ୍ବ ଲଢ଼େଇ ମାମଲାରେ ଏଆଇଏଡିଏମକେ ଦଳର ମଧ୍ୟବର୍ତ୍ତୀକାଳୀନ ସାଧାରଣ ସମ୍ପାଦକ ଇ.ପଲାନିସ୍ୱାମୀଙ୍କୁ ମାଡ୍ରାସ ହାଇକୋର୍ଟରୁ ଲାଗିଛି ଝଟକା । ୨୩ ଜୁନର ସ୍ଥିତାବସ୍ଥା ବଜାୟ ରଖିବାକୁ ହାଇକୋର୍ଟ ବୁଧବାର ଦଳକୁ ନିର୍ଦ୍ଦେଶ ଦେଇଛନ୍ତି ।

ଜୁଲାଇ ୧୧ରେ ତାମିଲନାଡୁର ମୁଖ୍ୟ ବିରୋଧୀ ଦଳ ଏଆଇଏଡିଏମକେର ସାଧାରଣ ପରିଷଦ ବୈଠକରେ ଓ.ପନୀରସେଲଭମ୍ ଏବଂ ତାଙ୍କର କିଛି ସହଯୋଗୀଙ୍କୁ ଦଳରୁ “ବହିଷ୍କୃତ” କରାଯାଇଥିଲା ଏବଂ ପଲାନିସ୍ୱାମୀଙ୍କୁ ମଧ୍ୟବର୍ତ୍ତୀକାଳୀନ ସାଧାରଣ ସମ୍ପାଦକ କରାଯାଇଥିଲା।

ବୁଧବାର ଜଷ୍ଟିସ ଜି ଜୟଚନ୍ଦ୍ରନ ଦେଇଥିବା ଏକ ଆଦେଶରେ ସାଧାରଣ ପରିଷଦର ଜୁଲାଇ ୧୧ର ବୈଠକକୁ ଅବୈଧ ଘୋଷଣା କରାଯାଇଛି।

ଜଷ୍ଟିସ ଜୟଚନ୍ଦ୍ରନ କହିଛନ୍ତି ଯେ ସଂଯୋଜକ ଏବଂ ମିଳିତ ସଂଯୋଜକ ହିଁ ସାଧାରଣ ପରିଷଦର ବୈଠକ ଡକାଇବେ। ବୈଠକ କରିବା ପାଇଁ ଜଣେ ପର୍ଯ୍ୟବେକ୍ଷକଙ୍କ ନାମାଙ୍କନ ପାଇଁ ସେ ପରାମର୍ଶ ଦେଇଛନ୍ତି।

ସାଧାରଣ ପରିଷଦର ସଦସ୍ୟ ଓ.ପନୀରସେଲଭମ୍ ଏବଂ ବୈରାମୁଥୁଙ୍କ ଦ୍ଵାରା ଦାଖଲ ହୋଇଥିବା ଦେଓ୍ବାନୀ ମାମଲା ଉପରେ ବୁଧବାର କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।

ଦୁଇ ନେତାଙ୍କ ତରଫରୁ ମିଳିତ ଭାବେ ଜୁନ୍ ୨୩ର ଡକାଯାଇଥିବା ସାଧାରଣ ପରିଷଦ ବୈଠକରେ ଘୋଷଣା କରାଯାଇଥିଲା ଯେ ପଲାନିସ୍ୱାମୀଙ୍କ ସପକ୍ଷରେ ଦଳ ପାଇଁ ଏକକ ନେତୃତ୍ୱ ବ୍ୟବସ୍ଥା ପ୍ରଣୟନ କରିବା ପରିଷଦ ସଦସ୍ୟଙ୍କ ଏକମାତ୍ର ଦାବି।

ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ପନୀରସେଲଭମଙ୍କ ସମର୍ଥକମାନେ ବୁଧବାର ବାଣ ଫୁଟାଇ ଖୁସି ମନାଇଛନ୍ତି ।