ମାନସ ସ୍ବାଇଁ ହତ୍ୟା ମାମଲା: ଶେଷରେ ଧରାପଡିଲେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ | News Room Odisha

ମାନସ ସ୍ବାଇଁ ହତ୍ୟା ମାମଲା: ଶେଷରେ ଧରାପଡିଲେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଶେଷରେ ପୋଲିସ ହାତରେ ଧରା ପଡ଼ିଛନ୍ତି । ଶର୍ମିଷ୍ଠା ଓ ତାଙ୍କ ସହଯୋଗୀ ଝୁନା ଭୋଇକୁ ପୁଲିସର ସ୍ବତନ୍ତ୍ର ଟିମ୍ ଆଜି ଗିରଫ କରିଛି ।ଉଭୟଙ୍କୁ ଭଦ୍ରକ ଜିଲ୍ଲାର ନଳାଙ୍ଗ ଅଞ୍ଚଳରୁ ସୋମବାର ସକାଳେ ଗିରଫ କରାଯାଇଛି। ଆଜି ଉଭୟଙ୍କୁ ଚାନ୍ଦବାଲିର ଜେଏମଏଫସି କୋର୍ଟରେ ହାଜର କରାଯିବ। ଉଭୟଙ୍କୁ ୧୦ ଦିନିଆ ରିମାଣ୍ଡରେ ଆଣିବା ଲାଗି ପୁଲିସ ଆବେଦନ କରିବ ବୋଲି ସୂଚନା ମିଳିଛି।

ହତ୍ୟାକାଣ୍ଡରେ ସଂପୃକ୍ତ ଶର୍ମିଷ୍ଠା ରାଉତର ୬ ଜଣ ସହଯୋଗୀ ପୂର୍ବରୁ ଗିରଫ ହୋଇ ଜେଲରେ ଅଛନ୍ତି । ହତ୍ୟାକାଣ୍ଡ ପରଠାରୁ ଶର୍ମିଷ୍ଠା ଫେରାର ଥିଲେ । ହତ୍ୟାକାଣ୍ଡ ଘଟଣାର ଗୁରୁତ୍ବ ଦୃଷ୍ଟିରୁ ଏହାର ତଦନ୍ତ ଭାର କ୍ରାଇମ ବ୍ରାଞ୍ଚ ହାତକୁ ଦେବା ପାଇଁ ପୋଲିସ ଡିଜି ନିଷ୍ପତ୍ତି ନେଇଥିଲେ ।
ଶର୍ମିଷ୍ଠା ରାଜ୍ୟ ବାହାରେ ଲୁଚିଥିଲେ ବୋଲି ଜଣାପଡ଼ିଛି । ସେ କଲିକତା ଓ ଗୌହାଟୀରେ ଶରଣ ନେଇଥିଲେ । ନିକଟରେ ସେ ଭଦ୍ରକ ଫେରିଥିଲେ।

ସୂଚନାଯୋଗ୍ୟ, ନୟାଗଡ଼ ଜିଲା ରଣପୁର ଥାନା ଗୋଡ଼ିପୋଖରୀ ଗାଁର ମାନସ ସ୍ବାଇଁ ଭୁବନେଶ୍ୱରରେ ଶର୍ମିଷ୍ଠା ରାଉତଙ୍କ ଏକ ଓ୍ବେବ୍‌ ପୋର୍ଟାଲରେ କ୍ୟାମେରାମ୍ୟାନ ଭାବେ କାମ କରୁଥିଲେ। ଦରମାକୁ ନେଇ ବିବାଦରୁ ସେ ପରେ କାମ ଛାଡି ଦେଇଥିଲେ । ଚାକିରି ଛାଡ଼ିବା ବେଳେ ମାନସ ଏକ ମେମୋରି ଚିପ୍‌ ନେଇଯାଇଥିବା ଅଭିଯୋଗ ହୋଇଥିଲା। ଯାହାକୁ ଫେରାଇବା ପାଇଁ ଶର୍ମିଷ୍ଠା ମାନସଙ୍କୁ କହିଥିଲେ। କିନ୍ତୁ ମାନସ ତାଙ୍କୁ ଧରାଛୁଆଁ ଦେଇ ନ ଥିଲେ। ଏହା ପରେ ମାନସଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ ଶର୍ମିଷ୍ଠା ଓ ତାଙ୍କ ସହଯୋଗୀ । ଯୋଜନା ମୁତାବକ ମାନସ ଚାନ୍ଦବାଲିରୁ ଫେରୁଥିବା ବେଳେ ତାଙ୍କୁ ଏକ କାର୍‌ରେ ଅପହରଣ କରି ଭୁବନେଶ୍ୱର ଆଣିଥିଲେ। ସେଠାରେ ମାନସଙ୍କୁ ହତ୍ୟା କରି ପରେ ନୟାଗଡ଼ ଯିବା ରାସ୍ତାରେ ମୃତଦେହକୁ ଶର୍ମିଷ୍ଠା ଓ ତାଙ୍କ ସହଯୋଗୀ ପୋତି ଦେଇଥିଲେ।