ରାଜ୍ୟ ପ୍ରାଶାସନିକ ସ୍ତରରେ ବଡ ଧରଣର ଅଦଳବଦଳ: ଅରିନ୍ଦମ ଡାକୁଆ ହେଲେ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗର ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ | News Room Odisha

ରାଜ୍ୟ ପ୍ରାଶାସନିକ ସ୍ତରରେ ବଡ ଧରଣର ଅଦଳବଦଳ: ଅରିନ୍ଦମ ଡାକୁଆ ହେଲେ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗର ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ

ଭୁବନେଶ୍ୱର – ରାଜ୍ୟର ପ୍ରାଶାସନିକ ସ୍ତରରେ ଅଦଳବଦଳ ହୋଇଛି । ଯାଜପୁର ଜିଲ୍ଲାପାଳ ରଂଜନ କୁମାର ଦାଶଙ୍କୁ ବଦଳି କରାଯାଇ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ସଚିବ ପଦରେ ଅବସ୍ଥାପିତ କରାଯାଇଛି । ବଲାଙ୍ଗିର ଜିଲ୍ଲାପାଳ ଅରିନ୍ଦମ ଡାକୁଆଙ୍କୁ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗର ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି । ନୂଆପଡା ଜିଲ୍ଲାପାଳ ମଧୁସ୍ମିତା ସାହୁଙ୍କୁ ଜଳ ସମ୍ବଳ ବିଭାଗର ଉପ ସଚିବ ଭାବେ ନୂଆ ନିଯୁକ୍ତି ମିଳିଛି । ମୟୁରଭଂଜ ଜିଲ୍ଲା ଡିଆରଡିଏ ପିଡି ଚଂଚଳ ରାଣା ବଲାଙ୍ଗିର ଜିଲ୍ଲାପାଳ ଭାବେ ନିଯୁକ୍ତି ପାଇଛନ୍ତି ।

ବ୍ରହ୍ମପୁର ମହାନଗର ନିଗମର କମିଶନର ଚକ୍ରବର୍ତୀ ସିଂହ ରାଠୋରଙ୍କୁ ଯାଜପୁର ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି । ଗଂଜାମ ଜିଲ୍ଲା ପିଡି, ଡିଆରଡିଏ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଅନୁଗୁଳ ଜିଲ୍ଲାପାଳ ହେବେ । ମୟୂରଭଂଜ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ସ୍ୱଧା ଦେବ ସିଂହଙ୍କୁ ନୂଆପଡାର ଜିଲ୍ଲାପାଳ ଭାବେ ନୂଆ ନିଯୁକ୍ତି ଦିଆଯାଇଛି । ଅନୁଗୁଳର ଜିଲ୍ଲାପାଳ ମନୋଜ କୁମାର ମହାନ୍ତିଙ୍କୁ ବଦଳି କରାଯାଇ ତାଙ୍କୁ ରାଜସ୍ୱ ଓ ଡିଏମ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ବ୍ରହ୍ମପୁର ଉପଜିଲ୍ଲାପାଳ ଦତାରାୟ ଭାଉସାହେବ ସିନ୍ଦେଙ୍କୁ ପିଡି, ଡିଆରଡିଏ ଗଂଜାମ ଭାବେ ନିଯୁକ୍ତି ଦିଆଯାଇଛି । ସିଦ୍ଧେଶ୍ୱର ବଲିରାମ ବୋନ୍ଦାରଙ୍କୁ ବ୍ରହ୍ମପୁର ମହାନଗର ନିଗମର କମିଶନର ଭାବେ ନୂଆ ନିଯୁକ୍ତି ଦିଆଯାଇଛି । ପୂର୍ବରୁ ସେ ଗୁଣପୁରର ଉପଜିଲ୍ଲାପାଳ ଥିଲେ । ଗଂଜାମ ଜିଲ୍ଲା ପାଇଁ ଓଏସଡି ଦାୟିତ୍ୱରେ ଥିବା କୀର୍ତି ଭାସନଙ୍କୁ ବ୍ରହ୍ମପୁର ଉପଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି । ଗଜପତି ଜିଲ୍ଲା ପାଇଁ ଓଏସଡି ଥିବା ଜେ.ସୋନାଲଙ୍କୁ ଗୁଣପୁର ଉପଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି ।