ବିବାହ ବନ୍ଧନରେ ଆବଦ୍ଧ ହେଲେ ମଲାଲା | News Room Odisha

ବିବାହ ବନ୍ଧନରେ ଆବଦ୍ଧ ହେଲେ ମଲାଲା

ଲଣ୍ଡନ: ନୋବେଲ ଶାନ୍ତି ପୁରସ୍କାର ବିଜେତା ମଲାଲା ୟୁସୁଫଜାଇ ନିଜ ସାଥୀ ଅସରଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ସୋସିଆଲ ମିଡିଆରେ ମଲାଲା ଓ ଅସର ନିଜ ବିବାହ ସମ୍ପର୍କରେ ସୂଚନା ଦେଇଛନ୍ତି। ମଲାଲା ଏବଂ ଅସରଙ୍କ ବିବାହ ସମାରୋହ ବ୍ରିଟେନର ବର୍ମିଂହାମସ୍ଥିତ ବାସଭବନରେ ଅନୁଷ୍ଠିତ ହୋଇଥିଲା। ୟୁସୁଫଜାଇ ମଙ୍ଗଳବାର ସୋସିଆଲ ମିଡିଆରେ ଏହି ଶୁଭ ମୁହୂର୍ତ୍ତର କିଛି ଫଟୋ ସେୟାର କରିଛନ୍ତି।

ମାଲାଲା ତାଙ୍କ ଅଫିସିଆଲ ହ୍ୟାଣ୍ଡେଲରୁ ଟୁଇଟ୍ କରି କହିଛନ୍ତି ଯେ ଆଜି ମୋ ଜୀବନର ଏକ ମୂଲ୍ୟବାନ ଦିନ | ଅସର ଏବଂ ମୁଁ ବିବାହ ବନ୍ଧନରେ ଆବଦ୍ଧ ହୋଇଛୁ | ସେ ଟ୍ୱିଟରେ ଲେଖିଛନ୍ତି ଯେ ବର୍ମିଂହାମରେ ଆମ ପରିବାର ସଦସ୍ୟଙ୍କ ଗହଣରେ ଏକ ଛୋଟ ବିବାହ ସମାରୋହର ଆୟୋଜନ କରିଥିଲୁ। ଆମ ପାଇଁ ପ୍ରାର୍ଥନା କରନ୍ତୁ | ଏହି ଯାତ୍ରାକୁ ଏକାଠି ବିତାଇବାକୁ ଆମେ ଉତ୍ସାହିତ |

ୟୁସୁଫଜାଇ ପାକିସ୍ତାନରେ ଜନ୍ମଗ୍ରହଣ କରିଥିଲେ। ୨୦୧୨ରେ ପାକିସ୍ତାନରେ ବାଳିକା ଶିକ୍ଷାକୁ ସମର୍ଥନ କରିବାରୁ ମଲାଲା ୟୁସୁଫଜାଇଙ୍କ ଉପରେ ତାଲିବାନ ଆତଙ୍କବାଦୀମାନେ ଘାତକ ଆକ୍ରମଣ କରିଥିଲେ। ସେତେବେଳେ ତାଙ୍କୁ ୧୫ ବର୍ଷ ହୋଇଥିଲା | ବାଳିକାମାନଙ୍କ ଶିକ୍ଷା ତଥା ଅଧିକାର ପାଇଁ ଲଢିଥିବା ମଲାଲା ପାକିସ୍ତାନରେ ଆତଙ୍କବାଦୀଙ୍କ ଟାର୍ଗେଟରେ ଥିଲେ।

ସ୍କୁଲରୁ ଘରକୁ ଫେରୁଥିବା ବେଳେ ମଲାଲା ତାଲିବାନ ଆକ୍ରମଣର ଶିକାର ହୋଇଥିଲେ । ତାଙ୍କ ମୁଣ୍ଡରେ ଗୁଳି ଲାଗିଥିଲା ‌। ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ ବ୍ରିଟେନ ସ୍ଥାନାନ୍ତର କରାଯାଇଥିଲା । ଦୀର୍ଘ ଦିନର ଚିକିତ୍ସା ପରେ ସେ ସୁସ୍ଥ ହୋଇ ପୁଣି ଥରେ ନିଜର ଅଭିଯାନ ଆରମ୍ଭ କରିଥିଲେ।

ତାଲିବାନ ଆତଙ୍କବାଦୀଙ୍କ ଦ୍ଵାରା ମଲାଲାଙ୍କ ହୋଇଥିବା ଆକ୍ରମଣକୁ ଆନ୍ତର୍ଜାତୀୟ ସ୍ତରରେ ନିନ୍ଦା କରାଯାଇଥିଲା। ଏହି ଆକ୍ରମଣକୁ ବିରୋଧ କରି ସାରା ବିଶ୍ୱରୁ ଲୋକମାନେ ମଲାଲାଙ୍କୁ ସମର୍ଥନ କରିଥିଲେ। ଏହା ପରେ ମଲାଲା ଆଉ ପଛକୁ ଫେରିନଥିଲେ | ମହିଳାଙ୍କ ଅଧିକାର ପାଇଁ ଲଢେ଼ଇ ଜାରି ରଖିଥିଲେ ମଲାଲା। ଏଥିପାଇଁ ୨୦୧୪ରେ ମଲାଲାଙ୍କୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଥିଲା। ମାତ୍ର ୧୭ ବର୍ଷ ବୟସରେ ମଲାଲା ସର୍ବକନିଷ୍ଠ ନୋବେଲ ବିଜେତା ହୋଇଥିଲେ |