ରାଷ୍ଟ୍ରପତିଙ୍କ ଉପରେ ନିଜ ମନ୍ତ୍ରୀଙ୍କ ଅଶାଳୀନ ମନ୍ତବ୍ୟ ପାଇଁ କ୍ଷମା ମାଗିଲେ ମମତା | News Room Odisha

ରାଷ୍ଟ୍ରପତିଙ୍କ ଉପରେ ନିଜ ମନ୍ତ୍ରୀଙ୍କ ଅଶାଳୀନ ମନ୍ତବ୍ୟ ପାଇଁ କ୍ଷମା ମାଗିଲେ ମମତା

କୋଲକାତା: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପରେ ନିଜ ମନ୍ତ୍ରୀଙ୍କ ଆପତ୍ତିଜନକ ମନ୍ତବ୍ୟ ପାଇଁ ଶେଷରେ କ୍ଷମା ମାଗିଛନ୍ତି ତୃଣମୂଳ କଂଗ୍ରେସ ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ରାଷ୍ଟ୍ରପତିଙ୍କ ରୂପ ଉପରେ ଟିଏମସି ନେତା ଅଖିଳ ଗିରିଙ୍କ ଅଶାଳୀନ ମନ୍ତବ୍ୟ ପାଇଁ ବିରୋଧୀ ମମତାଙ୍କଠାରୁ କ୍ଷମା ପ୍ରାର୍ଥନା ଦାବି କରିଥିଲେ ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପରେ ବିବାଦୀୟ ମନ୍ତବ୍ୟ ପାଇଁ ମମତା ସୋମବାର କ୍ଷମା ମାଗି କହିଛନ୍ତି ଯେ, ‘ସେ ଜଣେ ବହୁତ ଭଲ ମହିଳା। ମୁଁ ମୋର ବିଧାୟକଙ୍କ ମନ୍ତବ୍ୟକୁ ନିନ୍ଦା କରୁଛି। ମୁଁ କ୍ଷମା ମାଗୁଛି । ଅଖିଳ ଗିରି ଯାହା କରିଛନ୍ତି ତାହା ଭୁଲ । ଭବିଷ୍ୟତରେ ଯଦି ଏଭଳି ହୁଏ ତେବେ ଦଳ ଆକ୍ସନ୍ ନେବ।

ନନ୍ଦିଗ୍ରାମରେ ଏକ ସଭାକୁ ସମ୍ବୋଧନ ବେଳେ ଅଖିଳ ଗିରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପରେ ଅରୁଚିକର ମନ୍ତବ୍ୟ ଦେଇଥିଲେ। ତାଙ୍କର ଏହି ଭିଡ଼ିଓ ଭାଇରାଲ ହେବା ପରେ ବିରୋଧୀ ଶାସକ ଦଳ ଟିଏମସି ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସମାଲୋଚନା କରିଥିଲେ । ଅଖିଳ ଗିରିଙ୍କୁ ବରଖାସ୍ତ କରିବା ସହ ମମତା ସର୍ବସାଧାରଣରେ କ୍ଷମା ମାଗନ୍ତୁ ବୋଲି ସେମାନେ ଦାବି କରିଥିଲେ ।

ସେପଟେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପରେ ଅପମାନଜନକ ମନ୍ତବ୍ୟ ଦେଇଥିବାରୁ ରାଜ୍ୟ ମନ୍ତ୍ରୀ ଅଖିଳ ଗିରିଙ୍କ ବିରୋଧରେ ସୋମବାର କଲିକତା ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରାଯାଇଛି। ଏହି ଜନସ୍ବାର୍ଥ ମାମଲାରେ ଅଖିଳ ଗିରିଙ୍କୁ ସମ୍ବିଧାନର ସର୍ବୋଚ୍ଚ ପଦବୀକୁ ଅସମ୍ମାନ ପାଇଁ ଦଣ୍ଡିତ କରିବାକୁ ଦାବି ହୋଇଛି।