ଅଗ୍ନିପଥ ଯୋଜନା ନାଁରେ ବିଜେପି ନିଜର ସଶସ୍ତ୍ର କ୍ୟାଡର ଗଢ଼ିବାକୁ ଚେଷ୍ଟା କରୁଛି: ମମତା | News Room Odisha

ଅଗ୍ନିପଥ ଯୋଜନା ନାଁରେ ବିଜେପି ନିଜର ସଶସ୍ତ୍ର କ୍ୟାଡର ଗଢ଼ିବାକୁ ଚେଷ୍ଟା କରୁଛି: ମମତା

କୋଲକାତା: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ଦିନ ଅଗ୍ନିପଥ ଯୋଜନାକୁ ନେଇ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି।

ସେ ଅଭିଯୋଗ କରିଛନ୍ତି ଯେ ଏହି ନୂଆ ପ୍ରତିରକ୍ଷା ନିଯୁକ୍ତି ଯୋଜନା ମାଧ୍ୟମରେ ଗୈରିକ ଦଳ ନିଜର ଏକ ସଶସ୍ତ୍ର କ୍ୟାଡର ଗଠନ କରିବାକୁ ଉଦ୍ୟମ କରୁଛି।

ସେ କହିଛନ୍ତି ଯେ ଏହି ଯୋଜନା ଦେଶର ସଶସ୍ତ୍ର ବାହିନୀ ପାଇଁ ଅପମାନ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମଧ୍ୟ ଆଶ୍ଚର୍ଯ୍ୟ ପ୍ରକଟ କରି କହିଛନ୍ତି ଯେ ଚାରିବର୍ଷର ଚାକିରି ଶେଷ ହେବା ହେବା ପରେ ବିଜେପି ଏହି ଅଗ୍ନିବୀରଙ୍କୁ ନିଜ ପାର୍ଟି ଅଫିସରେ ଚୌକିଦାର ଭାବେ ନିଯୁକ୍ତ କରିବାକୁ ଯୋଜନା କରିଛି।

ରାଜ୍ୟ ବିଧାନସଭାକୁ ସମ୍ବୋଧିତ କରି ମମତା ବାନାର୍ଜୀ କହିଛନ୍ତି, “ବିଜେପି ନିଜର ସଶସ୍ତ୍ର କ୍ୟାଡର ବେସ୍ ପ୍ରସ୍ତୁତ କରିବାକୁ ଚେଷ୍ଟା କରୁଛି। ଚାରି ବର୍ଷ ପୂରଣ କରିବା ପରେ ଏହି ଲୋକମାନେ (ଅଗ୍ନିବୀର) କଣ କରିବେ? ବିଜେପି ଏହି ଯୁବକମାନଙ୍କ ହାତରେ ଅସ୍ତ୍ର ରଖିବାକୁ ଚାହୁଁଛି।”

ମମତା ବାନାର୍ଜୀ କହିଛନ୍ତି ଯେ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ଏଭଳି ଯୋଜନା ଘୋଷଣା କରି ଜନସାଧାରଣଙ୍କୁ ବୋକା ବନାଇବାକୁ ଚେଷ୍ଟା କରୁଛି।

ସେ କହିଛନ୍ତି, “ସେମାନେ ପ୍ରତିବର୍ଷ ଦୁଇ କୋଟି ଚାକିରୀ ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। କିନ୍ତୁ ବର୍ତ୍ତମାନ ସେମାନେ କେବଳ ଏଭଳି ଯୋଜନା ନାମରେ ଦେଶର ଲୋକଙ୍କୁ ବୋକା ବନାଉଛନ୍ତି।”

ପଶ୍ଚିମବଙ୍ଗ ବିଧାନସଭାରେ ଭାରତୀୟ ଜନତା ପାର୍ଟିର ବିଧାୟକମାନେ ଅଗ୍ନିପଥ ଯୋଜନାରେ ମମତା ବାନାର୍ଜୀଙ୍କ ଏହି ମନ୍ତବ୍ୟକୁ ବିରୋଧ କରି ଗୃହରୁ ଓ୍ବାକ୍ଆଉଟ୍ କରିଥିଲେ।