ସଂସଦରୁ ମହୁଆ ମଇତ୍ରଙ୍କୁ ବହିଷ୍କାର ଗଣତନ୍ତ୍ର ପାଇଁ ଦୁର୍ଭାଗ୍ୟଜନକ: ମମତା | News Room Odisha

ସଂସଦରୁ ମହୁଆ ମଇତ୍ରଙ୍କୁ ବହିଷ୍କାର ଗଣତନ୍ତ୍ର ପାଇଁ ଦୁର୍ଭାଗ୍ୟଜନକ: ମମତା

କୋଲକାତା: ତାଙ୍କ ଦଳର ସାଂସଦ ମହୁଆ ମଇତ୍ରଙ୍କୁ ସଂସଦରୁ ବହିଷ୍କାର କରାଯିବା ନେଇ ପ୍ରତିକ୍ରିୟା ରଖିଛନ୍ତି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ। ସେ ଏହାକୁ ଗଣତନ୍ତ୍ର ପାଇଁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ।

ସେ କହିଛନ୍ତି, “ଏହି ଦୁଇ-ତିନି ମାସ କିଛି ଫରକ ପଡ଼ିବ ନାହିଁ। ମହୁଆ ତାଙ୍କ ରାଜନୈତିକ ସଂଗ୍ରାମ ବାହାରୁ ଜାରି ରଖିବେ। ଆମେ ତାଙ୍କ ସହ ଅଛୁ ଏବଂ ଆଗାମୀ ନିର୍ବାଚନରେ ଜନସାଧାରଣ ବିଜେପିକୁ ଶିକ୍ଷା ଦେବେ।”

ମମତା ବାନାର୍ଜୀ କହିଛନ୍ତି, “ମୁଁ ସଂସଦର ପ୍ରକ୍ରିୟା ବିଷୟରେ ବହୁତ ଭଲ ଭାବେ ଜାଣିଛି। ବାଚନିକ ଭୋଟର ଅର୍ଥ ପାସ୍ ପାସ୍ | ଏହା ଗଣତନ୍ତ୍ରକୁ ବାଇପାସ୍ କରିବା ସଦୃଶ। ଗଣତନ୍ତ୍ରକୁ ଶେଷ କରିବା ପାଇଁ ଏହା ହେଉଛି ବିଜେପିର ରାଜନୀତି। ୪୯୫ ପୃଷ୍ଠାର ରିପୋର୍ଟ ପଢ଼ିବାକୁ ଦିଆଯାଇନଥିଲା, ମହୁଆଙ୍କୁ ତାଙ୍କ ପକ୍ଷ ରଖିବାକୁ ମଧ୍ୟ ଅନୁମତି ଦିଆଯାଇ ନଥିଲା।”

“ଲୋକମାନେ ବିଜେପିକୁ ଉପଯୁକ୍ତ ଜବାବ ଦେବେ। ଆମେ ରାଜନୈତିକ ସ୍ତରରେ ଲଢ଼େଇ ଜାରି ରଖିବୁ । ଆସନ୍ତା ନିର୍ବାଚନରେ ସେମାନେ ପରାଜୟର ସମ୍ମୁଖୀନ ହେବେ। ମହୁଆ ଅଧିକ ଶକ୍ତିଶାଳୀ ହେବେ ବୋଲି ମମତା କହିଛନ୍ତି।