ଇପିଏଫ୍ ଉପରେ ସୁଧହାର ହ୍ରାସ ନେଇ କେନ୍ଦ୍ରକୁ ମମତାଙ୍କ ସମାଲୋଚନା | News Room Odisha

ଇପିଏଫ୍ ଉପରେ ସୁଧହାର ହ୍ରାସ ନେଇ କେନ୍ଦ୍ରକୁ ମମତାଙ୍କ ସମାଲୋଚନା

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫଏ) ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ପ୍ରୋଭିଡେଣ୍ଟ ଫଣ୍ଡ (ଇପିଏଫ) ଜମା ଉପରେ ସୁଧହାରକୁ ୮.୧ ପ୍ରତିଶତକୁ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି। ଗତ ଚାରି ଦଶନ୍ଧି ମଧ୍ୟରେ ଏହା ହେଉଛି ସର୍ବନିମ୍ନ ସୁଧ ହାର | ୨୦୨୦-୨୧ରେ ଏହି ହାର ୮.୫ ପ୍ରତିଶତ ଥିଲା | ଇପିଏଫ୍ ସୁଧହାର ହ୍ରାସ ନେଇ ବିରୋଧୀ ଦଳ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ବିରୋଧୀ ଦଳର ନେତାମାନେ ଏ ସମ୍ପର୍କରେ ମୋଦି ସରକାରଙ୍କୁ ସମାଲୋଚନା କରିଛନ୍ତି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ରବିବାର ଏହି ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି। କେନ୍ଦ୍ରରେ ମୋଦି ସରକାରଙ୍କୁ ସମାଲୋଚନା କରି ସେ ଏହି ନିଷ୍ପତ୍ତିକୁ ଜନ ବିରୋଧୀ ଏବଂ ଶ୍ରମିକ ବିରୋଧୀ ବୋଲି କହିଛନ୍ତି।

ମମତା ବାନାର୍ଜୀ ଟୁଇଟ୍ କରି କହିଛନ୍ତି, ‘ୟୁପିରେ ବିଜୟ ପରେ ବିଜେପି ସରକାର ତୁରନ୍ତ ଲୋକଙ୍କ ‘ଉପହାର’ ଆଣିଛି। କର୍ମଚାରୀଙ୍କ ଭବିଷ୍ୟନିଧି ପାଣ୍ଠି ଜମା ଉପରେ ସୁଧ ହାର ଗତ ୪ ଦଶନ୍ଧିରେ ସର୍ବନିମ୍ନ ସ୍ତରକୁ କମିଛି। ଏହି ନିଷ୍ପତ୍ତି ବିଜେପିର ପ୍ରକୃତ ଚେହେରାର ପର୍ଦ୍ଦାଫାସ କରିଛି। ଏହି ନିଷ୍ପତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ କରୋନା ମହାମାରୀ ଯୋଗୁଁ ଦେଶର ମଧ୍ୟବିତ୍ତ ଏବଂ ନିମ୍ନ ମଧ୍ୟବିତ୍ତ ଶ୍ରମିକ ଏବଂ କର୍ମଚାରୀମାନେ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ମୋଦି ସରକାରର ଏଭଳି ଜନ ବିରୋଧୀ ଓ ଶ୍ରମ ବିରୋଧୀ ନୀତିକୁ ଏକାଠି ହୋଇ ବିରୋଧ କରିବାକୁ ସବୁ ଦଳକୁ ଆହ୍ବାନ କରିଛନ୍ତି ।