ସ୍ବର୍ଣ୍ଣ ମନ୍ଦିରରେ ଅଘଟଣ: ଗୁରୁ ଗ୍ରନ୍ଥ ସାହିବଙ୍କୁ ଅପମାନ ଉଦ୍ୟମ କରୁଥିବା ଯୁବକକୁ ପିଟି ପିଟି ହତ୍ୟା, ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ଚନ୍ନି | News Room Odisha

ସ୍ବର୍ଣ୍ଣ ମନ୍ଦିରରେ ଅଘଟଣ: ଗୁରୁ ଗ୍ରନ୍ଥ ସାହିବଙ୍କୁ ଅପମାନ ଉଦ୍ୟମ କରୁଥିବା ଯୁବକକୁ ପିଟି ପିଟି ହତ୍ୟା, ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ଚନ୍ନି

ଅମୃତସର: ବିଧାନସଭା ନିର୍ବାଚନ ପୂର୍ବରୁ ପଞ୍ଜାବରେ ଏକ ବଡ଼ ଅଘଟଣ ଘଟିଛି। ଅମୃତସରର ପ୍ରସିଦ୍ଧ ସ୍ବର୍ଣ୍ଣ ମନ୍ଦିରର ଦରବାର ସାହିବ (ଗର୍ଭଗୃହ)ରେ ବଳପୂର୍ବକ ପ୍ରବେଶ କରି ଗୁରୁ ଗ୍ରନ୍ଥ ସାହିବଙ୍କୁ ଅପମାନ କରିବାକୁ ଚେଷ୍ଟା କରିଥିବା ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଛି। ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଏହାଛଡ଼ା ସମସ୍ତ ରାଜନୈତିକ ଦଳ ଏହି ଘଟଣା ପଛରେ ଷଡଯନ୍ତ୍ରର ଆଶଙ୍କା ପ୍ରକାଶ କରିଛନ୍ତି।

ଏକ ଆଶ୍ଚର୍ଯ୍ୟଜନକ ଘଟଣାକ୍ରମେ ଅମୃତସରର ସ୍ଵର୍ଣ୍ଣ ମନ୍ଦିରରେ ଜଣେ ଯୁବକ ହଠାତ୍ ରେଲିଂ ଡେଇଁ ଗୁରୁ ଗ୍ରନ୍ଥ ସାହିବଙ୍କ ନିକଟରେ ପହଞ୍ଚି ଖଣ୍ଡା ଉଠାଇଥିଲେ। ସେଠାରେ ଉପସ୍ଥିତ ଥିବା ଲୋକମାନେ ତାଙ୍କୁ ଧରି ବାହାରକୁ ଆଣିଥିଲେ ଏବଂ ଯୁବକକୁ ନିର୍ଦ୍ଧୁମ ପିଟିଥିଲେ | ଏହାପରେ ଯୁବକଙ୍କର ମୃତ୍ୟୁ ହୋଇଥିଲା।

ସ୍ବର୍ଣ୍ଣ ମନ୍ଦିରରେ ଗୁରୁ ଗ୍ରନ୍ଥ ସାହିବଙ୍କୁ ଅପମାନ କରିବା ଘଟଣାକୁ ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚାନ୍ନିଙ୍କ ଠାରୁ ଆରମ୍ଭ କରି ସମସ୍ତ ବଡ ନେତା ନିନ୍ଦା କରିଛନ୍ତି। ସିଏମ୍ ଚନ୍ନି ପୋଲିସ ଅଧିକାରୀଙ୍କୁ ଏହାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମ୍ବେଦନଶୀଳ ପ୍ରସଙ୍ଗରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ପଞ୍ଜାବ ସରକାରଙ୍କୁ ତଦନ୍ତରେ ସହାୟତା କରିବେ ବୋଲି ଆଶ୍ୱାସନା ଦେଇଛନ୍ତି।

ସୂଚନାନୁସାରେ, ମୃତ ଯୁବକ ଉତ୍ତରପ୍ରଦେଶର ବାସିନ୍ଦା ଥିଲେ । କିନ୍ତୁ ଏପର୍ଯ୍ୟନ୍ତ ତାଙ୍କର ସମ୍ପୂର୍ଣ୍ଣ ପରିଚୟ ପ୍ରକାଶ କରାଯାଇ ନାହିଁ।