ଆବେଦନ କରିବାର ୨୮ ବର୍ଷ ପରେ ମିଳିଲା ଚାକିରି | News Room Odisha

ଆବେଦନ କରିବାର ୨୮ ବର୍ଷ ପରେ ମିଳିଲା ଚାକିରି

ନୂଆଦିଲ୍ଲୀ: ଆବେଦନ କରିବାର ୨୮ ବର୍ଷ ପରେ ଜଣେ ବ୍ୟକ୍ତିଙ୍କୁ ମିଳିଛି ଚାକିରି । ଚାକିରି ପାଇଁ ପ୍ରାୟ ତିନି ଦଶନ୍ଧି ଧରି କୋର୍ଟ କଚେରୀ ଦୌଡ଼ିବା ପରେ ଶେଷରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ତାଙ୍କୁ ନ୍ୟାୟ ମିଳିଛି । ଚାକିରି ପାଇଁ ଆବେଦନ କରିବାର ୨୮ ବର୍ଷ ପରେ ତାଙ୍କୁ ନିଯୁକ୍ତି ଦେବାକୁ ଡ଼ାକ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ତାଙ୍କୁ ଚାକିରି ପାଇଁ ଅଯୋଗ୍ୟ କରିବାରେ ଭୁଲ୍ ହୋଇଥିଲା ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି।

ଅଙ୍କୁର ଗୁପ୍ତା ନାମକ ଜଣେ ବ୍ୟକ୍ତି ୧୯୯୫ ମସିହାରେ ଡ଼ାକ ବିଭାଗରେ ଡ଼ାକ ସହାୟକ ପଦ ପାଇଁ ଆବେଦନ କରିଥିଲେ। ତାଙ୍କୁ ମଧ୍ୟ ପ୍ରାକ୍ ନିଯୁକ୍ତି ତାଲିମ ପାଇଁ ମନୋନୀତ କରାଯାଇଥିଲା । ହେଲେ ସେ ‘ଧନ୍ଦାମୂଳକ ବିଷୟ’ରେ ଦ୍ୱାଦଶ ପାସ୍ କରିଥିବା ଦର୍ଶାଇ ଡ଼ାକ ବିଭାଗ ପରେ ତାଙ୍କୁ ମନୋନୀତ ପ୍ରାର୍ଥୀ ତାଲିକାରୁ ବାଦ୍ ଦେଇଥିଲା । ଅନ୍ୟ ଅସଫଳ ପ୍ରାର୍ଥୀଙ୍କ ସହ ଅଙ୍କୁର ଗୁପ୍ତା ଏହା ବିରୋଧରେ ୧୯୯୯ରେ କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବ୍ୟୁନାଲ (କ୍ୟାଟ୍) ନିକଟକୁ ଯାଇଥିଲେ। କ୍ୟାଟ୍ ତାଙ୍କ ସପକ୍ଷରେ ରାୟ ଦେଇଥିଲା ।

ତେବେ ଟ୍ରିବ୍ୟୁନାଲର ରାୟକୁ ଚ୍ୟାଲେଞ୍ଜ କରି ଡ଼ାକ ବିଭାଗ ୨୦୦୦ରେ ଆହ୍ଲାବାଦ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲା । ହାଇକୋର୍ଟ ୨୦୧୭ରେ ଡ଼ାକ ବିଭାଗ ଆବେଦନକୁ ଖାରଜ କରି କ୍ୟାଟ୍ ଆଦେଶକୁ କାଏମ ରଖିଥିଲେ । ଏପରିକି ଡ଼ାକ ବିଭାଗର ରିଭ୍ୟୁ ପିଟିସନକୁ ମଧ୍ୟ ହାଇକୋର୍ଟ ୨୦୨୧ରେ ଖାରଜ କରିଥିଲେ। ଏହା ପରେ ବିଭାଗ ସୁପ୍ରିମକୋର୍ଟ ଯାଇଥିଲା।

ସୁପ୍ରିମକୋର୍ଟ ମଧ୍ୟ ଅଙ୍କୁର ଗୁପ୍ତାଙ୍କ ସପକ୍ଷରେ ରାୟ ଦେଇଛନ୍ତି । ଜଷ୍ଟିସ ବେଲା ଏମ୍ ତ୍ରିବେଦୀ ଏବଂ ଜଷ୍ଟିସ ଦୀପଙ୍କର ଦତ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ଚାକିରି ପାଇଁ ପ୍ରାର୍ଥୀଙ୍କ ଆବେଦନ ଆରମ୍ଭରୁ ଖାରଜ କରାଯାଇ ନଥିଲା । ତାଙ୍କୁ ଚୟନ ପ୍ରକ୍ରିୟାରେ ଭାଗ ନେବାକୁ ଅନୁମତି ଦିଆଯାଇଥିଲା। ତାଙ୍କ ନାମ ପ୍ରାଥମିକ ତାଲିକାରେ ମଧ୍ୟ ସ୍ଥାନ ପାଇଥିଲା ।

ଖଣ୍ଡପୀଠ କହିଛନ୍ତି, ଅଙ୍କୁର ଗୁପ୍ତାଙ୍କ ପ୍ରତି ଭେଦଭାବ କରାଯାଇଥିଲା ଏବଂ ଡ଼ାକ ବିଭାଗର ମନମାନି ଯୋଗୁଁ ସେ ଚାକିରିରୁ ବଞ୍ଚିତ ହୋଇଥିଲେ ।