ପୋଷା କୁକୁରକୁ ନେଇ ବଚସାରୁ ଦୁଇ ଜଣଙ୍କୁ ହତ୍ୟା | News Room Odisha

ପୋଷା କୁକୁରକୁ ନେଇ ବଚସାରୁ ଦୁଇ ଜଣଙ୍କୁ ହତ୍ୟା

ଇନ୍ଦୋର: କୁକୁର ବୁଲାଇବାକୁ କେନ୍ଦ୍ର କରି ବଚସାରୁ ଦୁଇଜଣଙ୍କୁ ହତ୍ୟା। କୁକୁରଙ୍କ ମାଲିକଙ୍କ ଗୁଳିମାଡ଼ରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ଇନ୍ଦୋରର ଖଜ୍ରାନା ଅଞ୍ଚଳରେ ଘଟିଛି ଏହି ଘଟଣା । ଗୁଳିମାଡ଼ରେ ୬ ଜଣ ଆହତ ମଧ୍ୟ ହୋଇଛନ୍ତି। ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଘଟଣା ପରେ ଏହି ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଖଜରା ପୋଲିସ ଅଭିଯୁକ୍ତ ରାକ୍ଷୀ ରାଜପାଲ ରାଜାୱତଙ୍କୁ ଗିରଫ କରିଛି। ତାଙ୍କ ନିକଟରୁ ଏକ ଲାଇସେନ୍ସପ୍ରାପ୍ତ ବନ୍ଧୁକ ଜବତ କରାଯାଇଛି। ଏହି ଘଟଣାର ଏକ ଭିଡିଓ ସାମ୍ନାକୁ ଆସିଛି । ଏଥିରେ ଅଭିଯୁକ୍ତ ଛାତ ବାଲକୋନିରୁ ଆଖିବୁଜା ଗୁଳି ଚଳାଉଥିବା ଦେଖିବାକୁ ମିଳୁଛି ।

ପୋଲିସ ସୂଚନା ଅନୁସାରେ, ଅଭିଯୁକ୍ତ ରାକ୍ଷୀ ରାଜପାଲ ରାଜାୱତ ଗୁରୁବାର ରାତିରେ ନିଜ ପୋଷା କୁକୁରକୁ ବୁଲାଉଥିଲେ। ଏହି ସମୟରେ ତାଙ୍କ କୁକୁର ପଡ଼ୋଶୀଙ୍କ କୁକୁରକୁ ଆକ୍ରମଣ କରିଥିଲା । ଏହାକୁ ନେଇ ରାଜାଓ୍ବତ ଓ ତାଙ୍କ ପଡ଼ୋଶୀଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ଅଭିଯୁକ୍ତ ରାଜପାଲ ରାଜାୱତ ତାଙ୍କ ଛାତକୁ ଯାଇ ଲାଇସେନ୍ସପ୍ରାପ୍ତ ବନ୍ଧୁକରୁ ପ୍ରଥମେ ଫାଙ୍କା ଗୁଳିଚାଳନା କରିଥିଲେ। ପରେ ସେ ତଳେ ଥିବା ଲୋକଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ଘଟଣାସ୍ଥଳରେ ହିଁ ରାହୁଲ ବର୍ମା ଏବଂ ବିମଲ ଆମଚା ନାମକ ଦୁଇ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ମୃତକ ଦୁଇ ବ୍ଯକ୍ତି ଭିଣୋଇ-ଶାଳକ ଥିଲେ ବୋଲି ଜଣାପଡ଼ିଛି । କିଛି ଲୋକ ଘଟଣା ବେଳର ଭିଡିଓ ରେକର୍ଡ କରିଛନ୍ତି। ଅଭିଯୁକ୍ତ ରାଜାୱତ ଏକ ବ୍ୟାଙ୍କରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିବା ଜଣାପଡିଛି ‌ ।

ଖଜ୍ରାନା ପୋଲିସ ଏହି ମାମଲାରେ ଅଭିଯୁକ୍ତ ଗାର୍ଡ, ତାଙ୍କ ପୁଅ ଏବଂ ତାଙ୍କର ଜଣେ ସମ୍ପର୍କୀୟଙ୍କୁ ଗିରଫ କରିଛି।