ସୁପ୍ରିମକୋର୍ଟ ଆଗରେ ଆତ୍ମାହୁତି ଉଦ୍ୟମ କରିଥିବା ଯୁବକଙ୍କର ମୃତ୍ୟୁ | News Room Odisha

ସୁପ୍ରିମକୋର୍ଟ ଆଗରେ ଆତ୍ମାହୁତି ଉଦ୍ୟମ କରିଥିବା ଯୁବକଙ୍କର ମୃତ୍ୟୁ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଜଣେ ସାଂସଦଙ୍କ ବିରୋଧରେ ବଳାତ୍କାର ଅଭିଯୋଗ କରି ସୁପ୍ରିମକୋର୍ଟ ଆଗରେ ଆତ୍ମାହୁତି ଉଦ୍ୟମ କରିଥିବା ଯୁବକଙ୍କ ମୃତ୍ୟୁ ହୋଇଛି । ଉତ୍ତର ପ୍ରଦେଶ ଘାସିରୁ ବହୁଜନ ସମାଜ ପାର୍ଟି ସାଂସଦ ଅତୁଲ ରାୟଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆଣି ଗତ ସୋମବାର ଜଣେ ମହିଳା ଓ ତାଙ୍କ ସହ ଉକ୍ତ ଯୁବକ ଜଣକ ଆତ୍ମାହୁତି ଉଦ୍ୟମ କରିଥିଲେ । ପୋଲିସ୍ ସେମାନଙ୍କୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ରାମମନୋହର ଲୋହିଆ ହସ୍ପିଟାଲରେ ଭର୍ତ୍ତି କରିଥିଲା । ଉଭୟ ୪୦% ପ୍ରତିଶତ ଜଳି ଯାଇଥିଲେ । ଆଜି ଯୁବକ ଜଣଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି ।

ଆତ୍ମାହୁତି ଉଦ୍ୟମ କରିଥିବା ମହିଳା ଜଣକ ନିଜକୁ ବଳାତ୍କାର ପୀଡ଼ିତା ବୋଲି ଦାବି କରିଥିଲେ । ଯୁବକ ଜଣ ବଳାତ୍କାର ଘଟଣାର ସାକ୍ଷୀ ଥିଲେ । ଆତ୍ମାହୁତି ଉଦ୍ୟମ ବେଳେ ଉଭୟ ଏହି ଘଟଣା ସୋସିଆଲ ମିଡ଼ିଆରେ ଲାଇଭ୍ କରିଥିଲେ ।
ଆତ୍ମହତ୍ୟା ଉଦ୍ୟମ କରିବା ପୂର୍ବରୁ ଉଭୟ ଗେଟ୍ ନମ୍ବର ‘ଡି’ ଦେଇ ସୁପ୍ରିମକୋର୍ଟ ଭିତରକୁ ପ୍ରବେଶ କରିବାକୁ ଚାହିଁଥିଲେ । ତେବେ ଆବଶ୍ୟକ ପରିଚୟ ପତ୍ର ନଥିବାରୁ ସୁରକ୍ଷାକର୍ମୀ ସେମାନଙ୍କୁ ଭିତରକୁ ଛାଡ଼ିନଥିଲା । ଏହାପରେ ସେମାନେ ଗେଟ୍ ବାହାରେ ନିଜକୁ ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ କରିଥିଲେ ।
ବିଏସ୍‌ପି ସାଂସଦ ଅତୁଲ ରାୟ ୟୁପିର ମଉ ଜିଲ୍ଲା ଘାସିରୁ ସାଂସଦ ଅଛନ୍ତି । ପୂର୍ବରୁ ତାଙ୍କ ବିରୋଧରେ ନିଜ ସହପାଠିନୀଙ୍କୁ ବଳାତ୍କାର କରିବା ଅଭିଯୋଗ ହୋଇଥିଲା । ଉକ୍ତ ମାମଲାରେ ବର୍ତ୍ତମାନ ସେ ଜେଲ୍‌ରେ ଅଛନ୍ତି ।