ମଣିପୁର ହିଂସା: ଦେଖିବା ମାତ୍ରେ ଗୁଳି ନିର୍ଦ୍ଦେଶ, ଦଙ୍ଗାକାରୀଙ୍କ ଆକ୍ରମଣରେ ବିଜେପି ବିଧାୟକ ଗୁରୁତର | News Room Odisha

ମଣିପୁର ହିଂସା: ଦେଖିବା ମାତ୍ରେ ଗୁଳି ନିର୍ଦ୍ଦେଶ, ଦଙ୍ଗାକାରୀଙ୍କ ଆକ୍ରମଣରେ ବିଜେପି ବିଧାୟକ ଗୁରୁତର

ଇମ୍ଫାଲ: ‘ଆଦିବାସୀ ଓ ଅଣଆଦିବାସୀ ମଧ୍ୟରେ ସଂଘର୍ଷରୁ ମଣିପୁରରେ ଆରମ୍ଭ ହୋଇଥିବା ହିଂସା ଉଗ୍ର ହେବାରେ ଲାଗିଛି ।‌ ବିଜେପି ବିଧାୟକ ଭୁଙ୍ଗଜାଗିନ ୱାଲଟେ ମଧ୍ୟ ହିଂସାର ଶିକାର ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ଏନ୍ ବିରେନ ସିଂଙ୍କୁ ଭେଟି ରାଜ୍ୟ ସଚିବାଳୟରୁ ଫେରୁଥିବା ବେଳେ ଗୁରୁବାର ରାଜଧାନୀ ଇମ୍ଫାଲରେ ଭୁଙ୍ଗଜାଗିନ ଭାଲ୍ଟେଙ୍କ ଉପରେ ଦଙ୍ଗାକାରୀମାନେ ଆକ୍ରମଣ କରିଛନ୍ତି । ସେ ଗୁରୁତର ଆହତ ହୋଇଥିବା ଜଣାପଡିଛି ।

ଫିରଜାୱାଲ ଜିଲ୍ଲାର ଥାନଲନରୁ ତିନିଥର ବିଧାୟକ ଭାଲ୍ଟେ ଇମ୍ଫାଲରେ ଥିବା ତାଙ୍କ ସରକାରୀ ବାସଭବନକୁ ଯାଉଥିବା ବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା । ତାଙ୍କ ଡ଼୍ରାଇଭରଙ୍କ ଉପରେ ମଧ୍ୟ ଆକ୍ରମଣ ହୋଇଥିଲା । ତେବେ ଉତ୍ତ୍ୟକ୍ତ ଭିଡ଼ କବଳରୁ ତାଙ୍କ ପିଏସ୍ଓ ଖସି ପଳାଇବାରେ ସଫଳ ହୋଇଥିଲେ | ବିଧାୟକ ଭୁଙ୍ଗଜାଗିନ ଭାଲ୍ଟେଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତାଙ୍କୁ ଇମ୍ଫାଲର ରିଜିଓନାଲ ମେଡିକାଲ ସାଇନ୍ସ (ରିମ୍ସ) ରେ ଭର୍ତ୍ତି କରାଯାଇଛି। ଭାଲ୍ଟେ‌ ହେଉଛନ୍ତି କୁକି ସମ୍ପ୍ରଦାୟର | ସେ ପୂର୍ବ ବିଜେପି ସରକାରରେ ମଣିପୁରର ଆଦିବାସୀ ବ୍ୟାପାର ମନ୍ତ୍ରୀ ଥିଲେ।

ଆଦିବାସୀ ଏବଂ ଅଣଆଦିବାସୀ ମଧ୍ୟରେ ସଂଘର୍ଷ ପରେ ମଣିପୁରରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡି ଯାଇଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସେନା ଏବଂ ଆସାମ ରାଇଫଲ୍ସକୁ ହିଂସା ପ୍ରଭାବିତ ଅଞ୍ଚଳରେ ମୁତୟନ କରାଯାଇଛି | ତେବେ ସ୍ଥିତି ଅଣାୟତ୍ତ ହେବା ଦେଖି ରାଜ୍ୟ ଗୃହ ବିଭାଗ ଦଙ୍ଗାକାରୀଙ୍କୁ ଦେଖିବା ମାତ୍ରେ ଗୁଳି ନିର୍ଦ୍ଦେଶ ଦେଇଛି। ମଣିପୁରରେ ହୋଇଥିବା ହିଂସା ଯୋଗୁଁ ଆଠଟି ଜିଲ୍ଲା ପ୍ରଭାବିତ ହୋଇଛି।

‘ମେଟେଇ’ ସମ୍ପ୍ରଦାୟକୁ ଏସଟି ବର୍ଗରେ ସାମିଲ କରିବା ଦାବିକୁ ବିରୋଧ କରି ବୁଧବାର ମଣିପୁରର ଅଲ ଟ୍ରାଇବଲ୍ସ ଷ୍ଟୁଡେଣ୍ଟସ ୟୁନିଅନ (ଏଟିଏମ୍) ଦ୍ବାରା ଆହ୍ବାନ ରାଲି ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିଲା।

‘ମେଟେଇ’ ସମ୍ପ୍ରଦାୟକୁ ଏସଟି ମାନ୍ୟତା ପ୍ରଦାନ ନେଇ ଦାବି ଉପରେ ବିଚାର କରିବାକୁ ମଣିପୁର ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶ ପରେ ବିବାଦ ଆରମ୍ଭ ହୋଇଥିଲା । ମଣିପୁର ହାଇକୋର୍ଟଙ୍କ ଆଦେଶକୁ ରାଜ୍ୟର ବହୁ ଆଦିବାସୀ ଗୋଷ୍ଠୀ ତୀବ୍ର ବିରୋଧ କରିଥିଲେ ।