ମଣିପୁର ହିଂସା: ଏଡିଟର୍ସ ଗିଲ୍ଡର ୪ ସଦସ୍ୟଙ୍କ ବିରୋଧରେ ମାମଲା ରୁଜୁ କଲେ ମଣିପୁର ସରକାର | News Room Odisha

ମଣିପୁର ହିଂସା: ଏଡିଟର୍ସ ଗିଲ୍ଡର ୪ ସଦସ୍ୟଙ୍କ ବିରୋଧରେ ମାମଲା ରୁଜୁ କଲେ ମଣିପୁର ସରକାର

ଇମ୍ଫାଲ: ‘ଏଡିଟର୍ସ ଗିଲ୍ଡ ଅଫ୍ ଇଣ୍ଡିଆ’ର ଅଧ୍ୟକ୍ଷଙ୍କ ସହ ତିନିଜଣ ସଦସ୍ୟଙ୍କ ବିରୋଧରେ ମଣିପୁରର ଏନ୍ ବିରେନ ସିଂ ସରକାର ମାମଲା ରୁଜୁ କରିଛନ୍ତି। ଚାରି ମାସରୁ ଅଧିକ ସମୟ ଧରି ଜାତିଗତ ହିଂସାରେ ଜଳୁଥିବା ଏହି ରାଜ୍ୟର ସ୍ଥିତିକୁ ଆହୁରି ବିଗାଡ଼ିବାକୁ ଉଦ୍ୟମ କରୁଥିବା ଅଭିଯୋଗରେ ମଣିପୁର ସରକାର ଏହି ମାମଲା ରୁଜୁ କରିଛନ୍ତି। ଏଡିଟର୍ସ ଗିଲ୍ଡ ନିକଟରେ ଦାବି କରିଥିଲା ଯେ ମଣିପୁରରେ ଜାତିଗତ ହିଂସା ନେଇ ଗଣମାଧ୍ୟମରେ ଏକତରଫା ରିପୋର୍ଟ ପ୍ରକାଶ ପାଉଛି। ଏହାଛଡ଼ା ଏହି ସଂସ୍ଥା ରାଜ୍ୟ ସରକାର ପକ୍ଷପାତିତା ମନୋଭାବ ପୋଷଣ କରୁଥିବା ଅଭିଯୋଗ କରିଥିଲା।‌

ଏଡିଟର୍ସ ଗିଲ୍ଡର ଯେଉଁ ଚାରି ସଦସ୍ୟଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ କରାଯାଇଛି ସେମାନେ ହେଲେ ଏହାର ସଭାପତି ସୀମା ମୁସ୍ତାଫା ଏବଂ ତିନିଜଣ ସଦସ୍ୟ – ସୀମା ଗୁହା, ଭାରତ ଭୂଷଣ ଏବଂ ସଞ୍ଜୟ କାପୁର।

ଗୁହା, ଭୂଷଣ ଏବଂ କାପୁର ଗତ ମାସରେ ମଣିପୁର ଗସ୍ତ କରି ରାଜ୍ୟରେ ଜାତିଗତ ହିଂସା ନେଇ କିଭଳି ମିଡ଼ିଆ କଭରେଜ୍ କରାଯାଉଛି ତାହା ଅଧ୍ୟୟନ କରିଥିଲେ। ତେବେ ମଣିପୁର ମୁଖ୍ୟମନ୍ତ୍ରୀ ଅଭିଯୋଗ କରିଛନ୍ତି ଯେ ଏଡିଟର୍ସ ଗିଲ୍ଡର ସଦସ୍ୟମାନେ ରାଜ୍ୟର ସ୍ଥିତି ଆହୁରି ବିଗାଡ଼ିବାକୁ ଉଦ୍ୟମ କରିଥିଲେ । ଏଡିଟର୍ସ ଗିଲ୍ଡର ରିପୋର୍ଟକୁ ମଧ୍ୟ ସେ ମିଛ ଓ ମନଗଢ଼ା ବୋଲି କହିଛନ୍ତି ।