ମଣିପୁର ହିଂସା: ମନ୍ତ୍ରୀଙ୍କ ଘର ଓ ବିଜେପି ଅଫିସରେ ପୋଡ଼ାଜଳା | News Room Odisha

ମଣିପୁର ହିଂସା: ମନ୍ତ୍ରୀଙ୍କ ଘର ଓ ବିଜେପି ଅଫିସରେ ପୋଡ଼ାଜଳା

ଇମ୍ଫାଲ: ମଣିପୁରରେ ସଦ୍ୟତମ ହିଂସା ଘଟଣାରେ ଦଙ୍ଗାକାରୀମାନେ ଶନିବାର ରାଜ୍ୟର ମନ୍ତ୍ରୀ ଏଲ୍ ସୁସିନ୍ଦ୍ରୋ ମୈତେଇଙ୍କ ଏକ ଗୋଦାମ ଘରେ ନିଆଁ ଲଗାଇଦେବା ସହ ସେଠାରେ ଥିବା ଗାଡ଼ି ଗୁଡ଼ିକୁ ପୋଡ଼ି ଦେଇଛନ୍ତି ।

ଆକ୍ରମଣ କରିବାକୁ ଆସିଥିବା ଏକ ଭିଡ଼ ମନ୍ତ୍ରୀଙ୍କ ଘରେ ପ୍ରବେଶ କରି ବିଲ୍ଡିଂରେ ନିଆଁ ଲଗାଇବାକୁ ମଧ୍ୟ ଚେଷ୍ଟା କରିଥିଲେ । କିନ୍ତୁ ସୁରକ୍ଷା ବାହିନୀ ଠିକ୍ ସମୟରେ ସେଠାରେ ପହଞ୍ଚି ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା ।

ମଣିପୁର ପ୍ରଦେଶ ବିଜେପିର ଜଣେ ବରିଷ୍ଠ ନେତା ନାମ ପ୍ରକାଶ ନ କରିବା ସର୍ତ୍ତରେ କହିଛନ୍ତି ଯେ ଆଜି ସକାଳେ ମନ୍ତ୍ରୀ ସୁସିନ୍ଦ୍ରୋଙ୍କ ଘରେ ଉତ୍ତ୍ୟକ୍ତ ଲୋକେ ଆକ୍ରମଣ କରିଥିଲେ ଯେଉଁଥିରେ ଦୁଇଟି ଗାଡି ପୋଡି ଯାଇଥିଲା।

ତେବେ ସୁରକ୍ଷା ବଳ ଠିକ୍ ସମୟରେ ପହଞ୍ଚିବା କାରଣରୁ ନିଆଁ ଲିଭାଇବା ସହିତ ପରିସ୍ଥିତିକୁ ନିୟନ୍ତ୍ରଣକୁ ଅଣାଯାଇଥିଲା ।

ସେହିଭଳି ପୂର୍ବ ଇମ୍ଫାଲର ସାଜିୱା ଜେଲ ନିକଟ ଇଶିରାଉ ଅଞ୍ଚଳରୁ ଜଳାପୋଡ଼ାର ଆଉ ଏକ ଘଟଣା ସାମ୍ନାକୁ ଆସିଛି । ଉପଦ୍ରବୀମାନେ ବିଜେପି କାର୍ଯ୍ୟାଳୟରେ ନିଆଁ ଲଗାଇ ଦେଇଥିଲେ ।

ମଣିପୁରରେ ହୋଇଥିବା ଏହି ହିଂସା ଘଟଣା ଏପରି ସମୟରେ ସାମ୍ନାକୁ ଆସିଛି ଯେତେବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀରେ ମଣିପୁରରେ ପରିସ୍ଥିତି ଉପରେ ଏକ ସର୍ବଦଳୀୟ ବୈଠକ କରୁଛନ୍ତି ।

ସପ୍ତାହକ ତଳେ ଉତ୍ତ୍ୟକ୍ତ ଲୋକେ କେନ୍ଦ୍ର ବୈଦେଶିକ ବ୍ୟାପାର ରାଜ୍ୟମନ୍ତ୍ରୀ ଆର.କେ ରଂଜନଙ୍କ ଘରେ ନିଆଁ ଲଗାଇ ଦେଇଥିଲେ।

ମଣିପୁରର କୁକି ଜନଜାତି ଏବଂ ମୈତେଇ ସମ୍ପ୍ରଦାୟ ମଧ୍ୟରେ ହିଂସା ଆରମ୍ଭ ହେବାର ୫୦ ଦିନରୁ ଅଧିକ ସମୟ ବିତିଥିଲେ ମଧ୍ୟ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିରେ କୌଣସି ଉନ୍ନତି ଘଟିନାହିଁ। ରାଜ୍ୟରେ ସେନା ସହ ପ୍ରାୟ ୪୦ ହଜାର ସୁରକ୍ଷା ବାହିନୀ ମୁତୟନ କରାଯାଇଛି।

ରାଜ୍ୟରେ ଚାଲିଥିବା ହିଂସାରେ ବର୍ତ୍ତମାନ ପର୍ଯ୍ୟନ୍ତ 110 ରୁ ଅଧିକ ଲୋକ ପ୍ରାଣ ହରାଇଥିବାବେଳେ ଉଭୟ ସମ୍ପ୍ରଦାୟର ଚାରି ହଜାରରୁ ଅଧିକ ଘର ପୋଡି ପାଉଁଶ ହୋଇଯାଇଛି। ବର୍ତ୍ତମାନ ୫୦ ହଜାରରୁ ଅଧିକ ବିସ୍ଥାପିତ ଲୋକ ରିଲିଫ କ୍ୟାମ୍ପରେ ରହୁଛନ୍ତି।