କଥା ରଖିଲେ ମାନ୍ ସରକାର, ସବୁ ଘରକୁ ମିଳିବ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି | News Room Odisha

କଥା ରଖିଲେ ମାନ୍ ସରକାର, ସବୁ ଘରକୁ ମିଳିବ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି

ଚଣ୍ଡିଗଡ଼: ପଞ୍ଜାବର ଭଗଓ୍ବନ୍ତ ମାନ ସରକାର ଏକ ବଡ଼ ଘୋଷଣା କରିଛନ୍ତି । ଜୁଲାଇ ପହିଲାରୁ ରାଜ୍ୟର ସବୁ ଘରକୁ ୩୦୦ ୟୁନିଟ୍ ବିଜୁଳି ମାଗଣାରେ ଯୋଗାଇ ଦିଆଯିବ। ଅର୍ଥାତ୍ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ଖର୍ଚ୍ଚ ପାଇଁ କୌଣସି ଟଙ୍କା ଦେବାକୁ ପଡିବ ନାହିଁ। ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ତରଫରୁ ଏହି ସୂଚନା ଦିଆଯାଇଛି | ନିକଟରେ ଅନୁଷ୍ଠିତ ପଞ୍ଜାବ ବିଧାନସଭା ନିର୍ବାଚନରେ ​​ଆମ୍ ଆଦମୀ ପାର୍ଟି (ଆପ୍) ବିପୁଳ ବିଜୟ ହାସଲ କରିଥିଲା। କ୍ଷମତାକୁ ଆସିଲେ ପ୍ରତ୍ୟେକ ପରିବାରକୁ ମାସିକ ୩୦୦ ୟୁନିଟ୍ ବିଜୁଳି ମାଗଣାରେ ଦିଆଯିବ ବୋଲି ଆପ୍ ପ୍ରତିଶ୍ରୁତି ଦେଇଥିଲା । ଆପ୍ ସରକାର ଏହି ପ୍ରତିଶ୍ରୁତି ପୂରଣ କରି ପ୍ରତ୍ୟେକ ଘରକୁ ୩୦୦ ୟୁନିଟ୍ ବିଜୁଳି ଯୋଗାଇବାକୁ ଘୋଷଣା କରିଛନ୍ତି।

ସୂତ୍ରରୁ ପ୍ରକାଶ ଯେ ପ୍ରତିଶ୍ରୁତି ଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ସରକାରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ସରକାରୀ ଅଧିକାରୀମାନେ ଓଭରଟାଇମ୍ କାମ କରୁଥିବା ଜଣାପଡ଼ଛି । ପଞ୍ଜାବ ଷ୍ଟେଟ ପାୱାର କର୍ପୋରେସନ୍ ଲିମିଟେଡ୍ ସହିତ ଉପଲବ୍ଧ ତଥ୍ୟ ଅନୁଯାୟୀ, ରାଜ୍ୟର ପ୍ରାୟ ୭୩.୮୦ ଲକ୍ଷ ଘରୋଇ ଉପଭୋକ୍ତାଙ୍କ ମଧ୍ୟରୁ ପ୍ରାୟ ୬୨.୨୫ ଲକ୍ଷ ଘର ମାସକୁ ୩୦୦ ୟୁନିଟ୍ ପର୍ଯ୍ୟନ୍ତ କିମ୍ବା ତା’ଠାରୁ କମ୍ ବିଦ୍ୟୁତ୍ ବ୍ୟବହାର କରନ୍ତି । ରାଜ୍ୟ ସରକାରଙ୍କ ଏହି ଘୋଷଣା ଦ୍ବାରା ସେମାନେ ଉପକୃତ ହେବେ ବୋଲି କୁହାଯାଇଛି ।