ମରାଠା ଆନ୍ଦୋଳନ: ଏନସିପି ବିଧାୟକଙ୍କ ଘର ଜାଳିଦେଲେ ବିକ୍ଷୋଭକାରୀ | News Room Odisha

ମରାଠା ଆନ୍ଦୋଳନ: ଏନସିପି ବିଧାୟକଙ୍କ ଘର ଜାଳିଦେଲେ ବିକ୍ଷୋଭକାରୀ

ମୁମ୍ବାଇ : ସଂରକ୍ଷଣ ପାଇଁ ଆନ୍ଦୋଳନ କରୁଥିବା ମରାଠା ବିକ୍ଷୋଭକାରୀମାନେ ମହାରାଷ୍ଟ୍ର ବିଡ୍ ସ୍ଥିତ ଏନସିପି ବିଧାୟକ ପ୍ରକାଶ ସୋଲଙ୍କେଙ୍କ ଘର ଜାଳି ଦେଇଛନ୍ତି । ଆକ୍ରମଣ ବେଳେ ବିଧାୟକ ଘରେ ଥିଲେ। ତେବେ ସୌଭାଗ୍ୟ ବଶତଃ ସେ ଓ ତାଙ୍କ ପରିବାର ସଦସ୍ୟ ବର୍ତ୍ତି ଯାଇଛନ୍ତି । ହେଲେ ଏହି ଆକ୍ରମଣରେ ବିଧାୟକଙ୍କ ବାସଭବନ କ୍ଷତିଗ୍ରସ୍ତ ହୋଇଛି ।

ଏନସିପି ବିଧାୟକ ପ୍ରକାଶ ସୋଲଙ୍କେଙ୍କ ବିଡ୍ ବାସଭବନ ଉପରେ ହୋଇଥିବା ଆକ୍ରମଣ ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି, ମନୋଜ ଜାରେଞ୍ଜ ପାଟିଲ (ମରାଠା ସଂରକ୍ଷଣ କାର୍ଯ୍ୟକର୍ତ୍ତା) ଏହି ପ୍ରତିବାଦ କେଉଁ ଆଡକୁ ଯାଉଛି ସେଥି ପ୍ରତି ଧ୍ୟାନ ଦେବା ଉଚିତ। ଏହି ଆନ୍ଦୋଳନ ଭୁଲ୍ ଦିଗରେ ଯାଉଛି | ସୋମବାର ମରାଠା ସଂରକ୍ଷଣ ସମ୍ପର୍କରେ ସିନ୍ଦେ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକ ପରେ ରାଜ୍ୟ ମୁଖ୍ୟମନ୍ତ୍ରୀ ସିନ୍ଦେ କହିଥିଲେ ମରାଠା ସମ୍ପ୍ରଦାୟକୁ ସଂରକ୍ଷଣ ଦେବା ପାଇଁ ଗଠିତ ଜଷ୍ଟିସ ସିନ୍ଦେ କମିଟି ଏହାର ପ୍ରଥମ ରିପୋର୍ଟ ଆମ ନିକଟରେ ଦାଖଲ କରିଛି। କମିଟିର କାର୍ଯ୍ୟକାଳ ଦୁଇ ମାସ ବୃଦ୍ଧି କରାଯାଇଛି।