ବେଶି ଦିନ ରହିଲାନି ମାର୍କ୍ରମଙ୍କ ଦ୍ରୁତତମ ଶତକ ରେକର୍ଡ, ଭାଙ୍ଗିଦେଲେ ମ୍ୟାକ୍ସୱେଲ | News Room Odisha

ବେଶି ଦିନ ରହିଲାନି ମାର୍କ୍ରମଙ୍କ ଦ୍ରୁତତମ ଶତକ ରେକର୍ଡ, ଭାଙ୍ଗିଦେଲେ ମ୍ୟାକ୍ସୱେଲ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍ ଏଡେନ ମାର୍କ୍ରମଙ୍କ ଦ୍ରୁତତମ ବିଶ୍ବକପ୍ ଶତକ ରେକର୍ଡ ବେଶି ଦିନ ରହିନାହିଁ। ତାଙ୍କ ରେକର୍ଡ ଭାଙ୍ଗି ଦେଇଛନ୍ତି ଅଷ୍ଟ୍ରେଲୀୟ ବ୍ୟାଟର ଗ୍ଲେନ୍ ମ୍ୟାକ୍ସୱେଲ । ବୁଧବାର ଏଠାରେ ନେଦରଲାଣ୍ଡ୍ସ ବିପକ୍ଷ ବିଶ୍ୱକପ୍ ମ୍ୟାଚରେ ମ୍ୟାକ୍ସଓ୍ବେଲ ମାତ୍ର ୪୦ ବଲରେ ଶତକ ମାରି ଏକ ନୂଆ ରେକର୍ଡ କରିଛନ୍ତି । ଏହାପୂର୍ବରୁ ଏହି ରେକର୍ଡ ମାର୍କ୍ରାମଙ୍କ ନାଁରେ ଥିଲା। ସେ ମଧ୍ୟ ଅରୁଣ ଜେଟଲୀ ଷ୍ଟାଡିୟମରେ ହିଁ ଚଳିତ ବିଶ୍ୱକପ୍‌ର ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ୪୯ ବଲରେ ଶତକ ପୂରଣ କରିଥିଲେ।

ମ୍ୟାକ୍ସଓ୍ବେଲଙ୍କ ରେକର୍ଡ ଶତକ ସହ ଡେଭିଡ୍ ଓ୍ବାର୍ଣ୍ଣରଙ୍କ ଲଗାତାର ଦ୍ବିତୀୟ ଶତକୀୟ ଇନିଂସ୍ ବଳରେ ଅଷ୍ଟ୍ରେଲିଆ ୮ ୱିକେଟ୍ ହରାଇ ୩୯୯ ରନର ବିଶାଳ ସ୍କୋର୍ ଛିଡ଼ା କରିଛି। ମ୍ୟାକ୍ସଓ୍ବେଲ ୪୪ ଟି ବଲରେ ବିସ୍ଫୋରକ ୧୦୬ ରନ୍ କରିଥିଲେ ।

ଅନ୍ତର୍ଜାତୀୟ ଦିନିକିଆରେ ଏହା ହେଉଛି ଚତୁର୍ଥ ଦ୍ରୁତତମ ଶତକ | ଦିନିକିଆରେ ଦ୍ରୁତତମ ଶତକ ରେକର୍ଡ ଦକ୍ଷିଣ ଆଫ୍ରିକାର ପୂର୍ବତନ ବ୍ୟାଟ୍ସମ୍ୟାନ୍ ଏବି ଡି’ ଭିଲିୟର୍ସ (31 ବଲ)ଙ୍କ ନାଁରେ ଅଛି ।

ମ୍ୟାକ୍ସଓ୍ବେଲ ତାଙ୍କ ଶତକୀୟ ଇନିଂସରେ ୮ଟି ଚୌକା ଓ ୮ଟି ଛକା ମାରିଥିଲେ । ଏହାଛଡ଼ା ମ୍ୟାକ୍ସୱେଲ ସପ୍ତମ ୱିକେଟ୍ ପାଇଁ ଅଧିନାୟକ ପ୍ୟାଟ୍ କମିନ୍ସ (୧୨*) ଙ୍କ ସହ ୪୪ ବଲରେ ୧୦୩ ରନ୍ ଭାଗିଦାରୀ କରିଥିଲେ । ତାଙ୍କର ବିସ୍ଫୋରକ ବ୍ୟାଟିଂ ସମୟରେ ସେ ରିଭର୍ସ ସୁଇପରେ ଛକା ମାରି ଦର୍ଶକଙ୍କ ବେଶ୍ ମନୋରଞ୍ଜନ କରିଥିଲେ। ମ୍ୟାକ୍ସୱେଲଙ୍କ ତୋଫାନୀ ଇନିଂସ ବଳରେ ଅଷ୍ଟ୍ରେଲିଆ ଶେଷ ୧୦ ଓଭରରେ ୧୩୧ ରନ୍ ଉଠାଇଥିଲା ।

ଏହାପୂର୍ବରୁ ଓପନର୍ ଡେଭିଡ୍ ୱାର୍ଣ୍ଣର ୮୩ ବଲରେ ୧୧ଟି ଚୌକା ଓ ୩ଟି ଛକା ସହ ୧୦୩ ରନ୍ କରିଥିଲେ । ଗତ ମ୍ୟାଚରେ ପାକିସ୍ତାନ ବିପକ୍ଷରେ ୧୬୩ ରନ୍ କରିଥିବା ୱାର୍ଣ୍ଣରଙ୍କ ଏହା ହେଉଛି ଦିନିକିଆରେ ୨୨ ତମ ଶତକ |

ୱାର୍ଣ୍ଣର ଦ୍ୱିତୀୟ ୱିକେଟ୍ ପାଇଁ ଷ୍ଟିଭ ସ୍ମିଥଙ୍କ ସହ ୧୧୮ ବଲରେ ୧୩୨ ରନ୍ ଏବଂ ତୃତୀୟ ୱିକେଟ୍ ପାଇଁ ମାର୍ନସ୍ ଲାବୁସେନଙ୍କ ସହ ୭୫ ବଲରେ ୮୪ ରନ୍ ଭାଗିଦାରୀ କରିଥିଲେ। ସ୍ମିଥ୍ ୬୮ଟି ବଲରେ ୭୧ ରନର ଇନିଂସ ବେଳେ ୯ ଚୌକା ଓ ଗୋଟିଏ ଛକା ମାରିଥିବାବେଳେ ଲାବୁସେନ୍ ୪୭ଟି ବଲର ଆକ୍ରମଣାତ୍ମକ ଇନିଂସରେ ୭ ଚୌକା ଓ ଦୁଇଟି ଛକା ସହାୟତାରେ ୬୨ ରନ୍ କରିଥିଲେ।

ନେଦରଲାଣ୍ଡ୍ସ ପାଇଁ ଲୋଗାନ୍ ଭାନ୍ ବିକ୍ ୭୪ ରନ୍ ବ୍ୟୟ କରି ୪ଟି ୱିକେଟ୍ ନେଇଥିଲେ। ବାସ୍ ଡି ଲିଡ୍ ୧୦ ଓଭରରେ ୧୧୫ ରନ୍ ଦେଇ ଦୁଇଟି ସଫଳତା ପାଇଥିଲେ।