ମେସି ଜିତିଲେ ରେକର୍ଡ ସପ୍ତମ ବାଲନ୍ ଡି’ଓର୍ ପୁରସ୍କାର | News Room Odisha

ମେସି ଜିତିଲେ ରେକର୍ଡ ସପ୍ତମ ବାଲନ୍ ଡି’ଓର୍ ପୁରସ୍କାର

ପ୍ୟାରିସ: ଆର୍ଜେଣ୍ଟିନାର ସୁପରଷ୍ଟାର ଫୁଟବଲର୍ ଲିଓନେଲ ମେସି ପୁଣି ଥରେ ବାଲନ୍ ଡି’ଓର୍ ପୁରସ୍କାର ଜିତିଛନ୍ତି | ରେକର୍ଡ ସପ୍ତମ ଥର ପାଇଁ ମେସି ଏହି ପୁରସ୍କାର ଜିତିଛନ୍ତି | ୩୪ ବର୍ଷୀୟ ମେସି ତାଙ୍କ ପ୍ରତିଦ୍ବନ୍ଦୀ ତଥା ପର୍ତ୍ତୁଗାଲର ଷ୍ଟାର୍ କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ବାଯର୍ନ ମ୍ୟୁନିକ୍ ତାରକା ରବର୍ଟ ଲେୱାଣ୍ଡୋସ୍କିଙ୍କୁ ପଛରେ ପକାଇ ପୁଣି ଏହି ସମ୍ମାନଜନକ ପୁରସ୍କାର ହାତେଇଛନ୍ତି | ଏହାପୂର୍ବରୁ ମେସି ୨୦୦୯, ୨୦୧୦, ୨୦୧୧, ୨୦୧୨, ୨୦୧୫ ଏବଂ ୨୦୧୯ରେ ବାଲନ୍ ଡି’ଓର୍ ପୁରସ୍କାର ଜିତିଥିଲେ | ଅନ୍ୟ କୌଣସି ଖେଳାଳି ଏତେ ଥର ଏହି ପୁରସ୍କାର ଜିତି ନାହାଁନ୍ତି |

ମେସିଙ୍କ ପରେ କ୍ରିଷ୍ଟିଆନୋ ରୋନାଲ୍ଡୋ ଦ୍ବିତୀୟ ସର୍ବାଧିକ ଥର ବଲନ୍ ଡି’ଓର୍ ପୁରସ୍କାର ଜିତିଛନ୍ତି | ରୋନାଲ୍ଡୋ ୨୦୦୮, ୨୦୧୩, ୨୦୧୪, ୨୦୧୬, ୨୦୧୭ରେ ଏହି ପୁରସ୍କାର ଜିତିଥିଲେ | ଏହାଛଡ଼ା ଜୋହାନ କ୍ରାୟଫ, ମାଇକେଲ ପ୍ଲାଟିନି, ମାର୍କୋ ୱାନ ବଷ୍ଟେନ ୩-୩ ଥର ଏହି ପୁରସ୍କାର ଜିତିଥିବା ବେଳେ ଫ୍ରେଞ୍ଚ ବେକେନବାଉର, ରୋନାଲ୍ଡୋ ନାଜାରିଓ, ଆଲଫ୍ରେଡୋ ଡି ଷ୍ଟେଫାନୋ, କେଭିନ କିଗାନ, କାର୍ଲ ହେଞ୍ଜ ୨ ଥର ଲେଖାଏଁ ଏହି ସମ୍ମାନ ପାଇଛନ୍ତି।

ବାଲନ୍ ଡି’ଓର୍ ପୁରସ୍କାର ଫ୍ରାନ୍ସର ଫୁଟବଲ୍ ପତ୍ରିକା ବାଲନ୍ ଡି’ଓର୍ ଦ୍ୱାରା ପ୍ରଦାନ କରାଯାଇଛି | ଏହି ପୁରସ୍କାର ପ୍ରତିବର୍ଷ କ୍ଲବ ଏବଂ ଜାତୀୟ ଦଳର ଶ୍ରେଷ୍ଠ ପ୍ରଦର୍ଶନକାରୀ ଖେଳାଳିଙ୍କୁ ଦିଆଯାଏ | ଏହା ୧୯୫୬ ମସିହାରେ ଆରମ୍ଭ ହୋଇଥିଲା । ଷ୍ଟାନଲି ମାଥ୍ୟୁସ୍ ଏହି ପୁରସ୍କାରର ପ୍ରଥମ ବିଜେତା ଥିଲେ | ସେବେଠାରୁ ଏହି ଆଓ୍ବାର୍ଡ ପ୍ରତିବର୍ଷ ଦିଆଯାଉଛି | ତିନି ବର୍ଷ ପୂର୍ବେ ଅର୍ଥାତ୍ ୨୦୧୮ରୁ ମହିଳା ଫୁଟବଲର୍ ମାନଙ୍କୁ ମଧ୍ୟ ଏହି ପୁରସ୍କାର ପ୍ରଦାନ କରାଯାଉଛି।