କାଶ୍ମୀର କୁଲଗାମରୁ ନିଖୋଜ ସେନା ଯବାନ ଠାବ | News Room Odisha

କାଶ୍ମୀର କୁଲଗାମରୁ ନିଖୋଜ ସେନା ଯବାନ ଠାବ

ଶ୍ରୀନଗର: ଜମ୍ମୁ କାଶ୍ମୀରରୁ ନିଖୋଜ ସେନା ଯବାନ ନାବେଦ ଅହମ୍ମଦ ୱାନିଙ୍କୁ ଶେଷରେ ଠାବ କରାଯାଇଛି । ନିଖୋଜ ହେବାର ପାଞ୍ଚ ଦିନ ପରେ ତାଙ୍କୁ କୁଲଗାମ ଜିଲ୍ଲାରୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଏନେଇ ଜମ୍ମୁକାଶ୍ମୀର ପୋଲିସ ଟ୍ବିଟ୍ କରି ସୂଚନା ଦେଇଛି । ଏବେ ତାଙ୍କୁ ମେଡିକାଲ ଯାଞ୍ଚ ପାଇଁ ପଠାଯିବ। ମେଡିକାଲ ଯାଞ୍ଚ ପରେ ହିଁ ଯବାନଙ୍କୁ ତାଙ୍କ ନିଖୋଜ ରହସ୍ୟ ବିଷୟରେ ଜେରା କରାଯିବ।

କିଛି ଦିନ ତଳେ ସେନା ଯବାନ ନାବେଦ ଅହମ୍ମଦ ୱାନି ନିଖୋଜ ହୋଇଯାଇଥିଲେ। ସେ ଇଦ୍ ପାଳନ ପାଇଁ ଘରକୁ ଆସିଥିଲେ। କିଛି ଖାଦ୍ୟ ପଦାର୍ଥ ଆଣିବା ପାଇଁ ଜୁଲାଇ ୨୯ ରାତିରେ ସେ ତାଙ୍କ କୁଲଗାମ ସ୍ଥିତ ଘରୁ ବାହାରିଥିଲେ । କିନ୍ତୁ ଓ୍ବାନି ଆଉ ଫେରି ନଥିଲେ | ତାଙ୍କୁ ଖୋଜିବା ପାଇଁ ସେନା ସମଗ୍ର ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା। ଓ୍ବାନିଙ୍କୁ ଅପହରଣ କରାଯାଇଥିବା ନେଇ ତାଙ୍କ ପରିବାର ପକ୍ଷରୁ ଆଶଙ୍କା କରାଯାଇଥିଲା । କାରଣ ଘରୁ କିଛି ଦୂରରେ ଏକ ନିଛାଟିଆ ସ୍ଥାନରେ ତାଙ୍କ କାର୍ ମିଳିଥିଲା । କାର୍ ଭିତରେ ଦୁଇଟି ଚପଲ ସହ ରକ୍ତ ଛିଟା ଦେଖିବାକୁ ମିଳିଥିଲା । ହେଲେ ଗୁରୁବାର ତାଙ୍କୁ ଜମ୍ମୁ-କାଶ୍ମୀର ପୋଲିସ ସୁରକ୍ଷିତ ଉଦ୍ଧାର କରିବା ପରେ ଓ୍ବାନିଙ୍କ ପରିବାର ଲୋକ ଆଶ୍ବସ୍ତ ହୋଇଛନ୍ତି ।

କାଶ୍ମୀରରୁ ସୈନିକ ନିଖୋଜ ହେବା ଏହା ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ମଧ୍ୟ ଯବାନମାନେ ନିଖୋଜ ହୋଇଥିଲେ । ଏଥିମଧ୍ୟରୁ ଅଧିକାଂଶ ଅପହରଣ ମାମଲା ଥିଲା |