ହରିୟାଣା: ନମାଜ ବେଳେ ମସଜିଦ ଉପରେ ଆକ୍ରମଣ | News Room Odisha

ହରିୟାଣା: ନମାଜ ବେଳେ ମସଜିଦ ଉପରେ ଆକ୍ରମଣ

ସୋନିପତ: ହରିୟାଣାର ସୋନିପତର ସନ୍ଦାଲ କାଲାଁ ଗାଁର ମସଜିଦରେ ନମାଜ ପାଠ କରୁଥିବା ବେଳେ ମୁସଲିମ ସମ୍ପ୍ରଦାୟର ଲୋକଙ୍କ ଉପରେ ଆକ୍ରମଣ ହୋଇଛି । ଏହି ଘଟଣାରେ ପୋଲିସ ଏପର୍ଯ୍ୟନ୍ତ ୧୬ ଜଣ ଯୁବକଙ୍କୁ ଅଟକ ରଖିଛି।

ରବିବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିଲା । ଉକ୍ତ ଗାଁର ପ୍ରାୟ ୨୦ ଜଣ ଯୁବକ ହଠାତ୍ ମସଜିଦ ଭିତରେ ପଶି ନମାଜ ପାଠ କରୁଥିବା ଲୋକଙ୍କ ଉପରେ ଆକ୍ରମଣ କରିଥିଲେ। ଏହି ଘଟଣାରେ ଅନେକ ଲୋକ ଆହତ ହୋଇଛନ୍ତି।

ସୋମବାର ସୋନିପତ ପୋଲିସ କମିଶନର ବି.ସତୀଶ ବାଲାନ ଅଧିକାରୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚି ଘଟଣା ଉପରେ ନଜର ରଖିଥିଲେ। ସେ କହିଛନ୍ତି ଯେ ଏହି ମାମଲାରେ ୧୬ ଜଣ ଯୁବକଙ୍କୁ ଗିରଫ କରାଯାଇଛି ଏବଂ ସମସ୍ତଙ୍କୁ ପଚରାଉଚରା କରାଯାଉଛି।

ଏହି ଘଟଣା ପରେ ସମଗ୍ର ଗାଁରେ ଉତ୍ତେଜନା ଦେଖାଦେଇଛି। ସତର୍କତାମୂଳକ ପଦକ୍ଷେପ ଭାବେ ଗାଁରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରିଛି।

ପୋଲିସ କହିଛି ଯେ ମସଜିଦର ଇମାମଙ୍କ ଅଭିଯୋଗ ମୁତାବକ ଗାଁର କିଛି ଯୁବକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଏଯାବତ୍ ୧୬ ଜଣଙ୍କୁ ହାଜତକୁ ନିଆଯାଇଛି ।