ଭାରତ ଓ ନେପାଳ ମଧ୍ୟରେ ରେଳ ସେବାର ଶୁଭାରମ୍ଭ କଲେ ମୋଦି, ଦେଓବା; ପାରସ୍ପରିକ ସହଯୋଗ ବୃଦ୍ଧି ଉପରେ ସହମତି | News Room Odisha

ଭାରତ ଓ ନେପାଳ ମଧ୍ୟରେ ରେଳ ସେବାର ଶୁଭାରମ୍ଭ କଲେ ମୋଦି, ଦେଓବା; ପାରସ୍ପରିକ ସହଯୋଗ ବୃଦ୍ଧି ଉପରେ ସହମତି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ନେପାଳ ପ୍ରତିପକ୍ଷ ଶେର ବାହାଦୂର ଦେଓବା ଶନିବାର ଦିନ ସୀମା ପାର ରେଳ ସେବା ଏବଂ ବିଦ୍ୟୁତ ପରିବହନ ଲାଇନର ଉଦଘାଟନ କରିଛନ୍ତି। ନେପାଳରେ ଭାରତର ‘ରୂପେ’ ପେମେଣ୍ଟ କାର୍ଡର ମଧ୍ୟ ପ୍ରଚଳନ ଆରମ୍ଭ ହୋଇଛି |
ରେଳବାଇ ଏବଂ ଶକ୍ତି କ୍ଷେତ୍ରରେ ସହଯୋଗକୁ ବିସ୍ତାର କରିବାକୁ ଦୁଇ ପକ୍ଷ ଚାରୋଟି ଚୁକ୍ତି ସ୍ୱାକ୍ଷର କରିଥିବାବେଳେ ବିଭିନ୍ନ କ୍ଷେତ୍ରରେ ବ୍ୟାପକ ସହଯୋଗ କରିବାକୁ ସଂକଳ୍ପ କରିଛନ୍ତି ।

ଗଣମାଧ୍ୟମକୁ ଦିଆଯାଇଥିବା ବିବୃତ୍ତିରେ ମୋଦି କହିଛନ୍ତି, “ଭାରତ ଏବଂ ନେପାଳର ବନ୍ଧୁତା, ଆମ ଲୋକଙ୍କ ପାରସ୍ପରିକ ସମ୍ପର୍କ, ଏପରି ଉଦାହରଣ ଦୁନିଆର ଅନ୍ୟ କ କୌଣସି ସ୍ଥାନରେ ଦେଖାଯାଉ ନାହିଁ। ଆମର ସଭ୍ୟତା, ଆମର ସଂସ୍କୃତି, ଆମର ଯୋଗାଯୋଗର ସମ୍ପର୍କ ପ୍ରାଚୀନ କାଳରୁ ରହିଆସିଛି | ପ୍ରାଚୀନ କାଳରୁ ଆମେ ପରସ୍ପରର ସୁଖ ଏବଂ ଦୁଃଖର ସାଥୀ ହୋଇ ଆସିଛୁ |

ସେ କହିଛନ୍ତି ଯେ ଶାନ୍ତି, ସମୃଦ୍ଧି ଏବଂ ବିକାଶ ପାଇଁ ନେପାଳର ଯାତ୍ରାରେ ଭାରତ ଏକ ଶକ୍ତ ଅଂଶୀଦାର ହୋଇଛି ଏବଂ ରହିବ।

ଉଭୟ ପକ୍ଷର ଶକ୍ତି ସହଯୋଗ ଉପରେ ମିଳିତ ବିବୃତ୍ତି ଏହି କ୍ଷେତ୍ରରେ ଭବିଷ୍ୟତରେ ସହଯୋଗ ପାଇଁ ଏକ ବ୍ଲୁ ପ୍ରିଣ୍ଟ ସାବ୍ୟସ୍ତ ହେବ ବୋଲି ମୋଦି କହିଛନ୍ତି।

ନେପାଳର ଜଳ ବିଦ୍ୟୁତ୍ ବିକାଶ ଯୋଜନାରେ ଭାରତୀୟ କମ୍ପାନୀଗୁଡିକର ଅଧିକ ଅଂଶଗ୍ରହଣ ଉପରେ ଏକ ଚୁକ୍ତିନାମା ହୋଇଛି ବୋଲି ସେ କହିଛନ୍ତି।

ଦେଓବା କହିଛନ୍ତି ଯେ ଭାରତ ସହ ନେପାଳର ସମ୍ପର୍କ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ଏକ ଉଚ୍ଚ ସ୍ତରୀୟ ପ୍ରତିନିଧୀଙ୍କ ସହ ତିନି ଦିନିଆ ଗସ୍ତରେ ନେପାଳ ପ୍ରଧାନମନ୍ତ୍ରୀ ଶୁକ୍ରବାର ଦିନ ନୂଆଦିଲ୍ଲୀରେ ପହଞ୍ଚିଥିଲେ ।

କାଠମାଣ୍ଡୁରେ ରାଜନୈତିକ ଅସ୍ଥିରତା ପରେ ଗତ ବର୍ଷ ଜୁଲାଇରେ ପ୍ରଧାନମନ୍ତ୍ରୀ ହେବା ପରେ ଏହା ଦେଓବାଙ୍କର ପ୍ରଥମ ଦ୍ୱିପାକ୍ଷିକ ବିଦେଶ ଗସ୍ତ।