'ପ୍ରେସିଡେଣ୍ଟ ଅଫ୍ ଭାରତ' ପରେ 'ପ୍ରାଇମ୍ ମିନିଷ୍ଟର ଅଫ୍ ଭାରତ' ! | News Room Odisha

‘ପ୍ରେସିଡେଣ୍ଟ ଅଫ୍ ଭାରତ’ ପରେ ‘ପ୍ରାଇମ୍ ମିନିଷ୍ଟର ଅଫ୍ ଭାରତ’ !

ନୂଆଦିଲ୍ଲୀ: ‘ଇଣ୍ଡିଆ’ ବନାମ ‘ଭାରତ’ କୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଦେଶର ସମ୍ଭାବ୍ୟ ନାମ ପରିବର୍ତ୍ତନ ନେଇ ପୁଣି ଏକ ଆଭାସ ମିଳିଛି ‌। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଇଣ୍ଡୋନେସିଆ ଗସ୍ତ ପାଇଁ ସରକାରୀ ନୋଟରେ ମଧ୍ୟ ‘ପ୍ରାଇମ୍ ମିନିଷ୍ଟର ଅଫ୍ ଭାରତ’ ଲେଖାଯାଇଛି ।

ବିଂଶତମ ଆସିଆନ୍-ଭାରତ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଇଣ୍ଡୋନେସିଆ ଯିବେ | ତେବେ ଏହି ଗସ୍ତର ସରକାରୀ ନୋଟରେ ‘ପ୍ରାଇମ୍ ମିନିଷ୍ଟର ଅଫ୍ ଇଣ୍ଡିଆ’ ପରିବର୍ତ୍ତେ ‘ପ୍ରାଇମ୍ ମିନିଷ୍ଟର ଅଫ୍ ଭାରତ’ ଲେଖାଯାଇଛି ।

ଉଲ୍ଲେଖଯୋଗ୍ୟ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜି-୨୦ ସମ୍ମିଳନୀରେ ଯୋଗଦେବାକୁ ଦିଲ୍ଲୀ ଆସିଥିବା ବିଭିନ୍ନ ଦେଶର ଅତିଥିମାନଙ୍କ ପାଇଁ ଏକ ନୈଶଭୋଜି ଲାଗି ନିମନ୍ତ୍ରଣରେ ନିଜକୁ ‘ପ୍ରେସିଡେଣ୍ଟ ଅଫ୍ ଇଣ୍ଡିଆ’ ବଦଳରେ ‘ପ୍ରେସିଡେଣ୍ଟ ଅଫ୍ ଭାରତ’ ବୋଲି ଉଲ୍ଲେଖ କରିଥିଲେ । ପ୍ରଥମ ଥର ପାଇଁ ସରକାରୀ ନିମନ୍ତ୍ରଣରେ ଦେଶର ନାମ ‘ଭାରତ’ ବୋଲି ଉଲ୍ଲେଖ କରାଯାଇଥିଲା । ରାଷ୍ଟ୍ରପତି ଭବନର ଏହି ନିମନ୍ତ୍ରଣକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ଏନେଇ ବିରୋଧୀ ସରକାରଙ୍କୁ ଘେରିଛନ୍ତି । ବିରୋଧୀ ମେଣ୍ଟର ନାମ ‘ଇଣ୍ଡିଆ’ ରଖାଯିବା ପରେ କେନ୍ଦ୍ରର ବିଜେପି ସରକାର ଦେଶର ନାମ ବଦଳାଉଛନ୍ତି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି ।

ରାଷ୍ଟ୍ରପତି ଭବନର ଚର୍ଚ୍ଚିତ ନିମନ୍ତ୍ରଣ ପତ୍ର ସାମ୍ନାକୁ ଆସିବାର ଚାରି ଦିନ ପୂର୍ବରୁ ଆରଏସ୍ଏସ୍ ମୁଖ୍ୟ ମୋହନ ଭାଗବତ ଦେଶର ନାମ ‘ଭାରତ’ ଭାବେ ବ୍ୟବହାର କରିବାକୁ ଆହ୍ବାନ ଦେଇଥିଲେ । ଭାଗବତଙ୍କ ବୟାନର ଚାରି ଦିନ ମଧ୍ୟରେ ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ ପତ୍ରରେ ଏଭଳି ‘ଇଣ୍ଡିଆ’ ବଦଳରେ ‘ଭାରତ’ ଶବ୍ଦ ବ୍ୟବହାର କରାଯିବା ନେଇ ଦେଶର ରାଜନୀତି ସରଗରମ ହୋଇଛି। ଏହି ପ୍ରସଙ୍ଗରେ ବିରୋଧୀ ଓ ଶାସକ ଦଳ ମୁହାଁମୁହିଁ ହୋଇଛନ୍ତି।