ହୀରାବେନଙ୍କ ଶେଷକୃତ୍ୟ ସମ୍ପନ୍ନ, ମା'ଙ୍କୁ ମୁଖାଗ୍ନି ଦେଲେ ପ୍ରଧାନମନ୍ତ୍ରୀ ମୋଦୀ | News Room Odisha

ହୀରାବେନଙ୍କ ଶେଷକୃତ୍ୟ ସମ୍ପନ୍ନ, ମା’ଙ୍କୁ ମୁଖାଗ୍ନି ଦେଲେ ପ୍ରଧାନମନ୍ତ୍ରୀ ମୋଦୀ

ଅହମ୍ମଦାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା’ ହୀରାବେନଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ମା’ଙ୍କୁ ମୁଖାଗ୍ନି ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଗାନ୍ଧୀନଗର ସ୍ଥିତ ବାସଭବନରୁ ଶେଷ ଯାତ୍ରା ସମୟରେ ମୋଦୀ ତାଙ୍କ ଭାଇମାନଙ୍କ ସହ ମିଶି ମା’ଙ୍କ ମୃତଦେହକୁ କାନ୍ଧ ଦେଇଥିଲେ । ଅନ୍ତ୍ୟେଷ୍ଟିରେ କେବଳ ମୋଦୀଙ୍କ ପରିବାର ସଦସ୍ୟ ହିଁ ଯୋଗ ଦେଇଥିଲେ।

ଶୁକ୍ରବାର ଭୋର୍ ପ୍ରାୟ ୩:୩୦ଟାରେ ହୀରାବେନ୍ ମୋଦୀଙ୍କ ଅହମ୍ମଦାବାଦର ୟୁଏନ୍ ମେହେଟା ହସ୍ପିଟାଲରେ ପରଲୋକ ହୋଇଥିଲା । ତାଙ୍କୁ ୧୦୦ ବର୍ଷ ବୟସ ହୋଇଥିଲା | ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ପରେ ମଙ୍ଗଳବାର ବିଳମ୍ବିତ ରାତିରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କର ରକ୍ତଚାପ ସମସ୍ୟା ମଧ୍ୟ ଥିଲା।

ମୋଦୀ ନିଜେ ଏକ ଟ୍ବିଟ୍ କରି ତାଙ୍କ ମୃତ୍ୟୁ ବିଷୟରେ ସୂଚନା ଦେଇଥିଲେ । ଏହା ପରେ ସେ ସକାଳ ୭:୪୫ରେ ଅହମ୍ମଦାବାଦରେ ପହଞ୍ଚିଥିଲେ। ଏଠାରୁ ସେ ସିଧାସଳଖ ଗାନ୍ଧିନଗରର ରାଇସାନ ଗ୍ରାମରେ ଭାଇ ପଙ୍କଜ ମୋଦୀଙ୍କ ଘରକୁ ଯାଇଥିଲେ। ପାର୍ଥିବ ଶରୀରକୁ ଏଠାରେ ରଖାଯାଇଥିଲା। ମୋଦୀ ପହଞ୍ଚିବା ପରେ ହୀରାବେନଙ୍କ ଶେଷ ଯାତ୍ରା ଆରମ୍ଭ ହୋଇଥିଲା। ଗାନ୍ଧୀନଗର ସେକ୍ଟର-୩୦ ସ୍ଥିତ ଶ୍ମଶାନରେ ହୀରାବେନଙ୍କ ଅନ୍ତିମ ସଂସ୍କାର ହୋଇଥିଲା |