ଅର୍ଜୁନ ପୁରସ୍କାର ଦୌଡ଼ରେ ମହମ୍ମଦ ସାମି | News Room Odisha

ଅର୍ଜୁନ ପୁରସ୍କାର ଦୌଡ଼ରେ ମହମ୍ମଦ ସାମି

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ୍‌ରେ ଚମତ୍କାର ପ୍ରଦର୍ଶନ କରିଥିବା ଦ୍ରୁତ ବୋଲର ମହମ୍ମଦ ସାମି ଅର୍ଜୁନ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ଅନ୍ୟପକ୍ଷରେ ଷ୍ଟାର ବ୍ୟାଡମିଣ୍ଟନ ପୁରୁଷ ଯୋଡ଼ି ସାତ୍ତ୍ୱିକସାଇରାଜ ରଙ୍କିରେଡି ଓ ଚିରାଗ ଶେଟ୍ଟି ଏଥର ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ପୁରସ୍କାର ପାଇବେ। ଦିନିକିଆ ବିଶ୍ୱକପରେ ୩୩ ବର୍ଷୀୟ ସାମି ଚମତ୍କାର ପ୍ରଦର୍ଶନ କରିଥିଲେ | ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲରେ ଅଷ୍ଟ୍ରେଲିଆ ଠାରୁ ହାରିଥିଲା ଭାରତ ।

କ୍ରୀଡା ମନ୍ତ୍ରଣାଳୟ ସୂତ୍ର ଅନୁଯାୟୀ, ଦେଶର ଦ୍ୱିତୀୟ ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ଅର୍ଜୁନ ପୁରସ୍କାର ତାଲିକାରେ ସାମିଙ୍କ ନାମ ସାମିଲ କରିବାକୁ ବିସିସିଆଇ ବିଶେଷ ଭାବେ ଅନୁରୋଧ କରିଥିଲା । ଏହା ପୂର୍ବରୁ ତାଙ୍କ ନାମ ଏହି ତାଲିକାରେ ନଥିଲା। ଦିନିକିଆ ବିଶ୍ୱକପ୍‌ରେ ସାମି ସର୍ବାଧିକ ୱିକେଟ୍ ହାସଲକାରୀ ବୋଲର ହୋଇଥିଲେ। ସେ ମାତ୍ର ୭ଟି ମ୍ୟାଚରେ ୨୪ ୱିକେଟ୍ ନେଇଥିଲେ। ପ୍ରଥମ ଚାରିଟି ମ୍ୟାଚରୁ ବଞ୍ଚିତ ହେବା ପରେ ସାମି ଯେତେବେଳେ ସୁଯୋଗ ପାଇଥିଲେ, ସେ ଏହାର ସମ୍ପୂର୍ଣ୍ଣ ଫାଇଦା ଉଠାଇଥିଲେ | ସେ ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ବିପକ୍ଷ ଆଗାମୀ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଖେଳିପାରନ୍ତି।

ସାମିଙ୍କ ବ୍ୟତୀତ ଆଉ ୧୬ ଖେଳାଳି ମଧ୍ୟ ଅର୍ଜୁନ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ହକି ଖେଳାଳି କ୍ରିଷ୍ଣା ବାହାଦୂର ପଠକ ଏବଂ ସୁଶୀଲା ଚାନୁ, ତୀରନ୍ଦାଜ ଓଜସ୍ ପ୍ରବୀଣ ଦେଓତାଲେ ଏବଂ ଆଦିତ୍ୟ ଗୋପୀଚାନ୍ଦ ସ୍ବାମୀ, ବକ୍ସର ମହମ୍ମଦ ହୁସାମୁଦ୍ଦିନ, ଚେସ୍ ଖେଳାଳି ଆର ବୈଶାଲୀ, ଗଲ୍ଫର ଦିଶା ଡାଗର, ସୁଟର ଐଶ୍ୱର୍ଯ୍ୟା ପ୍ରତାପ ସିଂହ ତୋମର, ରେସଲର ଅନନ୍ତ ପାଙ୍ଗିଲ ଏବଂ ଟେବୁଲ ଟେନିସ ଖେଳାଳି ଅୟହିକା ମୁଖାର୍ଜୀ ଅଛନ୍ତି।

ଚଳିତ ବର୍ଷର ମେଜର ଧ୍ୟାନ ଚାନ୍ଦ ଖେଳରତ୍ନ ପୁରସ୍କାର ଏବଂ ଅର୍ଜୁନ ପୁରସ୍କାର ବିଜେତାଙ୍କ ତାଲିକା ପ୍ରସ୍ତୁତ କରିବାକୁ କ୍ରୀଡ଼ା ମନ୍ତ୍ରଣାଳୟ ଏକ ୧୨ ଜଣିଆ କମିଟି ଗଠନ କରିଛି । ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଏମ ଖାନୱିଲକର ଏହି କମିଟିର ମୁଖ୍ୟ । ତାଙ୍କ ବ୍ୟତୀତ ପୂର୍ବତନ ହକି ଖେଳାଳି ଧନରାଜ ପିଲ୍ଲେ, ପୂର୍ବତନ ଟେବୁଲ ଟେନିସ ଖେଳାଳି କମଲେଶ ମେହେଟ୍ଟା, ପୂର୍ବତନ ବକ୍ସର ଅଖିଲ କୁମାର, ମହିଳା ସୁଟର ତଥା ବର୍ତ୍ତମାନର ଜାତୀୟ କୋଚ୍ ଶୁମା ଶିରୁର, ପୂର୍ବତନ କ୍ରିକେଟର ଅଞ୍ଜୁମ ଚୋପ୍ରା, ବ୍ୟାଡମିଣ୍ଟନ ଖେଳାଳି ତୃପ୍ତି ମୁର୍ଗୁଣ୍ଡେ ଏବଂ ପାୱାରଲିଫ୍ଟର ଫରମାନ ପାଶା ମଧ୍ୟ ଏହି କମିଟିର ସଦସ୍ୟ ଅଛନ୍ତି ।