ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ସିରିଜ୍ ପୂର୍ବରୁ ଭାରତ ଫେରିଲେ ମହମ୍ମଦ ସିରାଜ | News Room Odisha

ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ସିରିଜ୍ ପୂର୍ବରୁ ଭାରତ ଫେରିଲେ ମହମ୍ମଦ ସିରାଜ

ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହେଉଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ସିରିଜରୁ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କୁ ବିଶ୍ରାମ ଦିଆଯାଇଛି।

ବିସିସିଆଇ କହିଛି ଯେ ସିରାଜଙ୍କ ଗୋଡରେ କିଛି ଅସୁବିଧା ଅଛି । ତେଣୁ ଡାକ୍ତରୀ ଦଳ ତାଙ୍କୁ କିଛି ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି।

ଚଳିତ ବର୍ଷ ଭାରତରେ ଦିନିକିଆ ବିଶ୍ୱକପ ଖେଳାଯିବାକୁ ଥିବା ବେଳେ ସିରାଜଙ୍କ କାର୍ଯ୍ୟଭାର ପରିଚାଳନାକୁ ଗୁରୁତ୍ବ ଦେଇଛି ଭାରତୀୟ ବୋର୍ଡ । ସିରିଜ୍ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଖେଳିଥିଲେ ।

ଟେଷ୍ଟ ସିରିଜ୍ ପରେ ଆର.ଆଶ୍ୱିନ, ଅଜିଙ୍କ୍ୟ ରାହାଣେ, କେ.ଏସ୍ ଭରତ ଏବଂ ନବଦୀପ ସାଇନିଙ୍କ ସହ ସିରାଜ ଭାରତ ଫେରିଛନ୍ତି। ଭାରତ ଟେଷ୍ଟ ସିରିଜକୁ ୧-୦ରେ ଜିତିଥିଲା ।

ତେବେ ଆଜିଠାରୁ ବାରବାଡୋସରେ ଆରମ୍ଭ ହେଉଥିବା ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ସିରାଜଙ୍କ ସ୍ଥାନ କିଏ ନେବେ ସେନେଇ ବିସିସିଆଇ ପକ୍ଷରୁ କିଛି ସୂଚନା ଦିଆଯାଇ ନାହିଁ ।

ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦୁଇଟି ଯାକ ଟେଷ୍ଟ ମ୍ୟାଚରେ ଖେଳିଥିଲେ ସିରାଜ୍ । ସେ ଦ୍ୱିତୀୟ ଟେଷ୍ଟରେ ୬୦ ରନ୍ ଦେଇ ପାଞ୍ଚଟି ୱିକେଟ୍ ନେଇଥିଲେ।

ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ତିନୋଟି ଦିନିକିଆ ମ୍ୟାଚ୍ ଜୁଲାଇ ୨୭, ୨୯ ଓ ଅଗଷ୍ଟ ୧ରେ ଅନୁଷ୍ଠିତ ହେବ |