ଲୋକସଭାରୁ ବହିଷ୍କାର ବିରୋଧରେ ସୁପ୍ରିମକୋର୍ଟ ଗଲେ ମହୁଆ ମୈତ୍ର | News Room Odisha

ଲୋକସଭାରୁ ବହିଷ୍କାର ବିରୋଧରେ ସୁପ୍ରିମକୋର୍ଟ ଗଲେ ମହୁଆ ମୈତ୍ର

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ ନେତ୍ରୀ ମହୁଆ ମୈତ୍ର ଲୋକସଭାରୁ ତାଙ୍କ ବହିଷ୍କାର ବିରୋଧରେ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଛନ୍ତି । ସେ ଲୋକସଭାରୁ ତାଙ୍କ ବହିଷ୍କାରକୁ ଚ୍ୟାଲେଞ୍ଜ କରିଛନ୍ତି। ‘ପ୍ରଶ୍ନ ପାଇଁ ଟଙ୍କା’ ମାମଲାରେ ଏଥିକ୍ସ କମିଟି ରିପୋର୍ଟ ଆଧାରରେ ଲୋକସଭାରୁ ତାଙ୍କୁ ଶୁକ୍ରବାର ବହିଷ୍କାର କରାଯାଇଥିଲା ।

ମହୁଆ ମୈତ୍ରଙ୍କ ବିରୋଧରେ ସଂସଦରେ ପ୍ରଶ୍ନ ପଚାରିବା ପାଇଁ ଟଙ୍କା ନେଇଥିବା ଅଭିଯୋଗ ହୋଇଥିଲା। ବିଜେପି ସାଂସଦ ନିଶିକାନ୍ତ ଦୁବେ ଏହି ଅଭିଯୋଗର ତଦନ୍ତ ଦାବି କରି ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଚିଠି ଲେଖିଥିଲେ । ମହୁଆଙ୍କ ପୂର୍ବତନ ବୟଫ୍ରେଣ୍ଡ୍ ଜୟ ଅନନ୍ତ ଦେହାଦ୍ରାଇଙ୍କ ଅଭିଯୋଗ ଆଧାରରେ ନିଶିକାନ୍ତ ଦୁବେ ଏହି ଚିଠି ବାଚସ୍ପତିଙ୍କ ନିକଟକୁ ଲେଖିଥିଲେ । ବାଚସ୍ପତି ଏହି ମାମଲାକୁ ଲୋକସଭା ଏଥିକ୍ସ କମିଟିକୁ ପଠାଇଥିଲେ । ବିଜେପି ସାଂସଦ ବିନୋଦ କୁମାର ସୋନକରଙ୍କ ଅଧ୍ୟକ୍ଷତାରେ ଗଠିତ ଏଥିକ୍ସ କମିଟି ନଭେମ୍ବର ୯ରେ ଏକ ବୈଠକରେ ମହୁଆ ମୈତ୍ରଙ୍କ ଲୋକସଭା ସଦସ୍ୟତା ରଦ୍ଦ କରିବାକୁ ସୁପାରିଶ କରିଥିଲା।

ମହୁଆ ମୈତ୍ର ତାଙ୍କ ସଂସଦୀୟ ଆଇଡି ଏବଂ ପାସୱାର୍ଡ ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କୁ ଦେଇଥିଲେ ବୋଲି ଅଭିଯୋଗ ହୋଇଥିଲା । ଦର୍ଶନ ହିରାନନ୍ଦାନୀଙ୍କ ବ୍ୟବସାୟିକ ପ୍ରତିଦ୍ବନ୍ଦ୍ବୀ ଗୌତମ ଆଦାନୀଙ୍କ କମ୍ପାନୀ ବିରୋଧରେ ସଂସଦରେ ପ୍ରଶ୍ନ ଉଠାଇବା ପାଇଁ ମହୁଆ ହିରାନନ୍ଦାନୀଙ୍କ ଠାରୁ ଟଙ୍କା ସହ ଦାମୀ ଉପହାର ନେଉଥିଲେ । ମହୁଆଙ୍କ ପାଇଁ ଦର୍ଶନ ହିରାନନ୍ଦାନୀ ପ୍ରଶ୍ନ ପ୍ରସ୍ତୁତ କରୁଥିଲେ ବୋଲି ଅଭିଯୋଗ ହୋଇଥିଲା ।

ଏଥିକ୍ସ କମିଟି ଏହାକୁ ଜାତୀୟ ସୁରକ୍ଷା ସହ ଜଡିତ ପ୍ରସଙ୍ଗ ଭାବେ ଦର୍ଶାଇ ମହୁଆ ମୈତ୍ରଙ୍କୁ ଲୋକସଭାରୁ ବହିଷ୍କାର କରିବାକୁ ସୁପାରିଶ କରିଥିଲା । ଟିଏମସି ଟିକେଟ୍ ରେ ପଶ୍ଚିମବଙ୍ଗର କୃଷ୍ଣନଗର ଆସନରୁ ନିର୍ବାଚନ ଜିତି ମହୁଆ ମୈତ୍ର ପ୍ରଥମ ଥର ପାଇଁ ସଂସଦରେ ପହଞ୍ଚିଥିଲେ।

ଲୋକସଭା ସଂସଦରୁ ତାଙ୍କ ବହିଷ୍କାରକୁ ବେଆଇନ ବୋଲି କହିଥିଲେ ମହୁଆ । ପ୍ରଶ୍ନ ପାଇଁ ସେ ଟଙ୍କା ନେଇଥିବାର କୌଣସି ପ୍ରମାଣ ନାହିଁ । ସଂସଦରେ ଆଦାନୀ ଗ୍ରୁପର ଅନିୟମିତତା ସମ୍ପର୍କିତ ପ୍ରଶ୍ନ ଉଠାଇବାରୁ ତାଙ୍କୁ ଦଣ୍ଡ ଦିଆଯାଇଛି ବୋଲି ମହୁଆ ପ୍ରତିକ୍ରିୟାରେ କହିଥିଲେ ।