ଲାଞ୍ଚ ବଦଳରେ ପ୍ରଶ୍ନ ବିବାଦ: ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କ ସ୍ବୀକାରୋକ୍ତି ଉପରେ ଜବାବ ରଖିଲେ ମହୁଆ ମଇତ୍ର | News Room Odisha

ଲାଞ୍ଚ ବଦଳରେ ପ୍ରଶ୍ନ ବିବାଦ: ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କ ସ୍ବୀକାରୋକ୍ତି ଉପରେ ଜବାବ ରଖିଲେ ମହୁଆ ମଇତ୍ର

ନୂଆଦିଲ୍ଲୀ: ଲାଞ୍ଚ ବଦଳରେ ପ୍ରଶ୍ନ ଅଭିଯୋଗରେ ଛନ୍ଦି ହୋଇପଡିଥିବା ଟିଏମସି ସାଂସଦ ମହୁଆ ମଇତ୍ର ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କ ସ୍ବୀକାରୋକ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି । ସୋସିଆଲ ମିଡ଼ିଆ ପୋଷ୍ଟରେ ମହୁଆ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍ଓ) ବିରୋଧରେ ଗୁରୁତର ଅଭିଯୋଗ କରିଛନ୍ତି। ମହୁଆ ଲେଖିଛନ୍ତି ଯେ ତିନି ଦିନ ପୂର୍ବେ ହିରାନନ୍ଦାନୀ ଗ୍ରୁପ୍ ଏକ ପ୍ରେସ ବିଜ୍ଞପ୍ତି ଜାରି କରି ସେମାନଙ୍କ ବିରୋଧରେ ସମସ୍ତ ଅଭିଯୋଗକୁ ଭିତ୍ତିହୀନ ବୋଲି କହିଥିଲେ। ବର୍ତ୍ତମାନ ମିଡ଼ିଆରେ ତାଙ୍କର ଏକ ସତ୍ୟପାଠ ଲିକ୍ ହୋଇଛି, ଯେଉଁଥିରେ କୌଣସି ଲେଟରହେଡ୍ ନାହିଁ । ଏହା କେଉଁଠାରୁ ଲିକ୍ ହୋଇଛି ତାହା ମଧ୍ୟ ଜଣା ପଡିନାହିଁ। ଯାହା ଫଳରେ ଅନେକ ଗମ୍ଭୀର ପ୍ରଶ୍ନ ଉଠିଛି ବୋଲି ସେ କହିଛନ୍ତି ।

ପ୍ରେସ ବିବୃତ୍ତିରେ ମହୁଆ ମଇତ୍ର‌ କହିଛନ୍ତି ଯେ, ସିବିଆଇ କିମ୍ବା ସଂସଦର ଏଥିକ୍ସ କମିଟି କିମ୍ବା କୌଣସି ଅନୁସନ୍ଧାନକାରୀ ସଂସ୍ଥା ଏପର୍ଯ୍ୟନ୍ତ ଦର୍ଶନ ହିରାନନ୍ଦାନୀଙ୍କୁ ଜେରା ପାଇଁ ଡାକି ନାହାଁନ୍ତି। ଏପରି ସ୍ଥିତିରେ ସେ କାହା ନିକଟରେ ଏହି ସତ୍ୟପାଠ ଦାଖଲ କରିଥିଲେ ?

କୌଣସି ଲେଟରହେଡ୍ କିମ୍ବା ନୋଟାରୀ ବଦଳରେ ଏହି ସତ୍ୟପାଠ ଏକ ଧଳା କାଗଜରେ ଦିଆଯାଇଛି । ଦର୍ଶନ ହିରାନନ୍ଦାନୀଙ୍କୁ ବନ୍ଧୁକମୁନରେ ବୟାନ ଦେବାକୁ ବାଧ୍ୟ କରାଯାଇଛି ବୋଲି ମଇତ୍ର ଅଭିଯୋଗ କରିଛନ୍ତି ।

ଉଲ୍ଲେଖଯୋଗ୍ୟ ଗୁରୁବାର ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀ ତାଙ୍କ ଦସ୍ତଖତ ସହିତ ଏକ ସତ୍ୟପାଠ ଜାରି କରିଥିଲେ । ଏଥିରେ ସେ ଅଭିଯୋଗ କରିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭାବମୂର୍ତ୍ତି ଖରାପ କରିବାକୁ ମହୁଆ ମଇତ୍ର‌ ଆଦାନୀଙ୍କୁ ଟାର୍ଗେଟ କରିବାକୁ ସହଜ ରାସ୍ତା ଆପଣାଇଥିଲେ । ଦର୍ଶନ ଦାବି କରିଥିଲେ ଯେ ଆଦାନୀକୁ ଟାର୍ଗେଟ କରିବା ପାଇଁ ମହୁଆ ମଇତ୍ର ତାଙ୍କୁ ନିଜ ଏମପି ଆକାଉଣ୍ଟର ଲଗଇନ୍ ଓ ପାସୱାର୍ଡ ଦେଇଥିଲେ । ସେ ମହୁଆଙ୍କ ଲଗଇନ୍ ପାସଓ୍ବାର୍ଡ ବ୍ୟବହାର କରି ତାଙ୍କ ପାଇଁ ସଂସଦରେ ପ୍ରଶ୍ନ ପ୍ରସ୍ତୁତ କରୁଥିଲେ। ଏଥିପାଇଁ ଟିଏମସି ସାଂସଦ ମହୁଆ ମଇତ୍ର ତାଙ୍କ ଠାରୁ ଟଙ୍କା ଓ ଉପହାର ଆକାରରେ ଲାଞ୍ଚ ନେଇଥିଲେ ବୋଲି ଦର୍ଶନ ହିରାନନ୍ଦାନୀ ଦାବି କରିଥିଲେ ।

ମହୁଆ ମଇତ୍ର‌ ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କ ଠାରୁ ଲାଞ୍ଚ ନେଇ ସଂସଦରେ ପ୍ରଶ୍ନ ପଚାରୁଛନ୍ତି ବୋଲି ବିଜେପି ସାଂସଦ ନିଶିକାନ୍ତ ଦୁବେ ନିକଟରେ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଚିଠି ଲେଖି ଅଭିଯୋଗ କରିଥିଲେ । ଏହି ମାମଲାକୁ ଲୋକସଭା ବାଚସ୍ପତି ଗୃହର ଏଥିକ୍ସ କମିଟି ନିକଟକୁ ପଠାଇଛନ୍ତି ।