ରାଜ୍ୟକୁ ଅଗ୍ରସର ହେଲା ମୌସୁମୀ | News Room Odisha

ରାଜ୍ୟକୁ ଅଗ୍ରସର ହେଲା ମୌସୁମୀ

ଭୁବନେଶ୍ୱର – ଆଜି ରାଜ୍ୟକୁ ଅଗ୍ରସର ହୋଇଛି ଦକ୍ଷିଣ ପଶ୍ଚିମ-ମୌସୁମୀ ବାୟୁ । ଆଜି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ମାଲକାନଗିରି ଜିଲ୍ଲାର ଅଧିକାଂଶ ଅଞ୍ଚଳ, କୋରାପୁଟ ଏବଂ ଗଜପତି ଜିଲ୍ଲାର କିଛି ଅଞ୍ଚଳକୁ ଅଗ୍ରସର ହୋଇଛି । ଆଗାମୀ ଦୁଇଦିନ ମଧ୍ୟରେ ମୌସୁମୀ ସାରା ଓଡିଶାକୁ ଅଗ୍ରସର ହେବାପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏଣେ ଆଜି ଉପକୂଳ ଓ ଦକ୍ଷିଣ ଓଡ଼ିଶାର ଅନେକ ଅଞ୍ଚଳରେ ପ୍ରାକ୍ ମୌସୁମୀ ବର୍ଷା ହୋଇଥିବାରୁ ବେଶ୍ କିଛି ଦିନର ଅସହ୍ୟ ଗରମ ଓ ଗୁଳୁଗୁଳିରୁ ଲୋକଙ୍କୁ ଆଶ୍ୱସ୍ତି ମିଳିଛି।

ରାଜଧାନୀ ଭୁବନେଶ୍ଵରର ଅନେକ ସ୍ଥାନରେ ଆଜି ସକାଳୁ ବର୍ଷା ଆରମ୍ଭ ହୋଇଯାଇଥିଲା। କଟକ, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର କିଛି ସ୍ଥାନରେ ମଧ୍ୟ ଆଜି ବର୍ଷା ହୋଇଛି । ରାଜ୍ୟର ଅନେକ ସ୍ଥାନରେ ଆଜି ପାଗରେ ପରିବର୍ତ୍ତନ ହୋଇଥିବାରୁ ତାପମାତ୍ରା ହ୍ରାସ ପାଇଛି । ଆସନ୍ତାକାଲି ରାଜ୍ୟର ଅନେକ ସ୍ଥାନରେ ବର୍ଷା ବିସ୍ତୃତି ବଢିବା ସମ୍ଭାବନା ରହିଛି।