ଚେନ୍ନାଇ ସାର କାରଖାନାରୁ ଆମୋନିଆ ଗ୍ୟାସ୍ ଲିକ୍, ୫୦ରୁ ଊର୍ଦ୍ଧ୍ବ ଲୋକ ହସ୍ପିଟାଲରେ ଭର୍ତ୍ତି | News Room Odisha

ଚେନ୍ନାଇ ସାର କାରଖାନାରୁ ଆମୋନିଆ ଗ୍ୟାସ୍ ଲିକ୍, ୫୦ରୁ ଊର୍ଦ୍ଧ୍ବ ଲୋକ ହସ୍ପିଟାଲରେ ଭର୍ତ୍ତି

ଚେନ୍ନାଇ: ଉତ୍ତର ଚେନ୍ନାଇର ଏକ ସାର କାରଖାନାର ପାଣି ପାଇପ୍ ଲାଇନରୁ ଆମୋନିଆ ଗ୍ୟାସ୍ ଲିକ୍ ହେବା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଲୋକମାନେ ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ସହ ବାନ୍ତି ହେଉଥିବା ଅଭିଯୋଗ କରିଛନ୍ତିି । ଆଖପାଖ ଅଞ୍ଚଳର ୫୨ ଜଣ ଲୋକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

ତେବେ ଘଟଣାର ୨୦ ମିନିଟ୍ ମଧ୍ୟରେ ବିଶେଷଜ୍ଞଙ୍କ ସହାୟତାରେ ଗ୍ୟାସ୍ ଲିକ୍ କୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିବା କୁହାଯାଇଛି। ଏବେ ଚିନ୍ତାର କୌଣସି କାରଣ ନାହିଁ ବୋଲି ତାମିଲନାଡୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଟିଏନପିସିବି) କହିଛି। ଗ୍ୟାସ୍ ଲିକ୍ ପରେ ପ୍ଲାଣ୍ଟ ବନ୍ଦ କରିବାକୁ ସ୍ଥାନୀୟ ଲୋକ ଦାବି କରିଥିଲେ।

ଏହି ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର ବିଶେଷଜ୍ଞଙ୍କ ଏକ ଟେକ୍ନିକାଲ କମିଟି ଗଠନ କରିଛନ୍ତି। ୨୪ ଘଣ୍ଟା ମଧ୍ୟରେ ଘଟଣାସ୍ଥଳ ଯାଞ୍ଚ୍ ସହ ତିନି ଦିନ ମଧ୍ୟରେ ସମ୍ପୂର୍ଣ୍ଣ ରିପୋର୍ଟ ଦାଖଲ କରିବାକୁ ଏହି କମିଟିକୁ ନିର୍ଦ୍ଦେଶ ଦିଆଯାଇଛି।

ମଙ୍ଗଳବାର (ଡିସେମ୍ବର ୨୬) ରାତି ପ୍ରାୟ ୧୧.୪୫ ସମୟରେ ଏହି ଗ୍ୟାସ୍ ଲିକ୍ ହୋଇଥିଲା । ସେତେବେଳେ ସମୁଦ୍ର କୂଳରେ ଥିବା କିଛି ମତ୍ସ୍ୟଜୀବୀ ଏବଂ ସ୍ଥାନୀୟ ବାସିନ୍ଦା ସମୁଦ୍ର ତଳେ ବିଛା ଯାଇଥିବା ପାଇପଲାଇନ ଉପରିଭାଗରେ କିଛି ସ୍ଥାନରୁ ଅସ୍ବାଭାବିକ ଶବ୍ଦ ଏବଂ ପାଣି ଫୋଟକା ବାହାରୁଥିବା ଦେଖିଥିଲେ।

ଖୁବ୍ ଶୀଘ୍ର ଉତ୍ତର ଚେନ୍ନାଇ ଅଞ୍ଚଳକୁ ଏକ ଦୁର୍ଗନ୍ଧ ବ୍ୟାପି ଯାଇଥିଲା, ଯାହାର ସଂସ୍ପର୍ଶରେ ଆସି ସ୍ଥାନୀୟ ଲୋକ ଖୁବ୍ ଅସହଜ ଅନୁଭବ କରିଥିଲେ । ଅନେକ ଲୋକ ଅସୁସ୍ଥ ହୋଇପଡ଼ିଥିଲେ।

ଲୋକଙ୍କ ଆଖି, ଗଳା ଏବଂ ଛାତି ପୋଡିଥିଲା । ଅନେକ ଲୋକ ମୂର୍ଚ୍ଛା ହୋଇଯାଇଥିଲେ | ଆଉ କିଛି ଶୋଇଥିବା ଲୋକ ଛାନିଆ ହୋଇ ଉଠିପଡ଼ି ଘର ବାହାରକୁ ପଳାଇଥିଲେ। ସେମାନେ ନିଜ ପଡ଼ୋଶୀମାନଙ୍କୁ ଏଭଳି ଅସ୍ବାଭାବିକ ସ୍ଥିତି ସମ୍ପର୍କରେ ଜଣାଇଥିଲେ । ପରେ ବହୁ ଲୋକ କଣ କରିବେ ଜାଣି ନପାରି ଭୟରେ ମୁଖ୍ୟ ରାସ୍ତାକୁ ଚାଲି ଆସିଥିଲେ।

ନିକଟରେ ତେଲ ଲିକ୍ ପରେ ଉତ୍ତର ଚେନ୍ନାଇର ଲୋକଙ୍କ ପାଇଁ ଆମୋନିୟା ଗ୍ୟାସ୍ ଲିକ୍ ଦ୍ବିତୀୟ ଝଟକା ସଦୃଶ ହୋଇଛି।