ସିଭିସି ରିପୋର୍ଟ: ଗୃହ ମନ୍ତ୍ରଣାଳୟ, ରେଳବାଇ ଏବଂ ବ୍ୟାଙ୍କ ଅଧିକାରୀଙ୍କ ବିରୋଧରେ ସର୍ବାଧିକ ଦୁର୍ନୀତି ଅଭିଯୋଗ | News Room Odisha

ସିଭିସି ରିପୋର୍ଟ: ଗୃହ ମନ୍ତ୍ରଣାଳୟ, ରେଳବାଇ ଏବଂ ବ୍ୟାଙ୍କ ଅଧିକାରୀଙ୍କ ବିରୋଧରେ ସର୍ବାଧିକ ଦୁର୍ନୀତି ଅଭିଯୋଗ

ନୂଆଦିଲ୍ଲୀ: ଗତ ବର୍ଷ (୨୦୨୨) କେନ୍ଦ୍ର ଗୃହ ମନ୍ତ୍ରଣାଳୟ ବିରୋଧରେ ସର୍ବାଧିକ ଦୁର୍ନୀତି ଅଭିଯୋଗ ଆସିଥିଲା । ଗୃହ ମନ୍ତ୍ରଣାଳୟ ପରେ ରେଳବାଇ ଏବଂ ବ୍ୟାଙ୍କ ଅଧିକାରୀମାନଙ୍କ ବିରୋଧରେ ହୋଇଥିଲା ଅଧିକ ଦୁର୍ନୀତି ଅଭିଯୋଗ । କେନ୍ଦ୍ରୀୟ ଭିଜିଲାନ୍ସ କମିଶନ (ସିଭିସି)ର ସଦ୍ୟତମ ବାର୍ଷିକ ରିପୋର୍ଟରେ ଏହି ଖୁଲାସା ହୋଇଛି । ରିପୋର୍ଟରେ କୁହାଯାଇଛି ଯେ ୨୦୨୨ରେ କେନ୍ଦ୍ର ସରକାରଙ୍କ ସବୁ ବିଭାଗ ଓ ସଂସ୍ଥାର ସମସ୍ତ ବର୍ଗର ଅଧିକାରୀ ଏବଂ କର୍ମଚାରୀଙ୍କ ବିରୋଧରେ ମୋଟ ୧,୧୫,୨୦୩ ଅଭିଯୋଗ ଆସିଥିଲା। ଏଥିମଧ୍ୟରୁ ୮୫,୪୩୭ ଅଭିଯୋଗର ସମାଧାନ ହୋଇଥିବା ବେଳେ ୨୯,୭୬୬ ମାମଲା ବିଚାରାଧୀନ ଅଛି । ସେଥିମଧ୍ୟରୁ ୨୨,୦୩୪ ମାମଲା ତିନି ମାସରୁ ଅଧିକ ସମୟ ଧରି ବିଚାରାଧୀନ ରହିଛି ।

ମୁଖ୍ୟ ଭିଜିଲାନ୍ସ ଅଧିକାରୀମାନେ ଅଭିଯୋଗର ତଦନ୍ତ ତିନିମାସ ମଧ୍ୟରେ କରିବାକୁ କେନ୍ଦ୍ରୀୟ ଭିଜିଲାନ୍ସ କମିଶନ ସମୟ ସୀମା ଧାର୍ଯ୍ୟ କରିଛନ୍ତି। କିନ୍ତୁ ବିଭିନ୍ନ ସରକାରୀ ବିଭାଗ ବିରୋଧରେ ଦୁର୍ନୀତି ଅଭିଯୋଗ ତିନି ମାସରୁ ଊର୍ଦ୍ଧ୍ବ ସମୟ ଧରି ନାଲିଫିତା ତଳେ ପଡ଼ିରହିଛି ।

ଗତ ବର୍ଷ ଗୃହ ମନ୍ତ୍ରଣାଳୟ ଏହାର କର୍ମଚାରୀଙ୍କ ବିରୋଧରେ ୪୬,୬୪୩ ଅଭିଯୋଗ ଗ୍ରହଣ କରିଥିବାବେଳେ ରେଳବାଇକୁ ୧୦,୫୮୦ ଏବଂ ବ୍ୟାଙ୍କ ଗୁଡ଼ିକୁ ୮,୧୨୯ ଟି ଅଭିଯୋଗ ଆସିଥିଲା । ସିଭିସି ରିପୋର୍ଟରେ କୁହାଯାଇଛି ଯେ ଗୃହ ମନ୍ତ୍ରଣାଳୟର କର୍ମଚାରୀଙ୍କ ବିରୋଧରେ ହୋଇଥିବା ମୋଟ ଅଭିଯୋଗ ମଧ୍ୟରୁ ୨୩,୯୧୯ ମାମଲାର ଫୈସଲା ହୋଇଛି ଏବଂ ୨୨,୭୨୪ ଟି ବିଚାରାଧୀନ ଅଛି । ସେଥିମଧ୍ୟରୁ ୧୯,୧୯୮ ମାମଲା ତିନିମାସରୁ ଅଧିକ ସମୟ ଧରି ବିଚାରାଧୀନ ଅଛି।

ରିପୋର୍ଟରେ କୁହାଯାଇଛି ଯେ ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟ (କେନ୍ଦ୍ରୀୟ ଜନସ୍ୱାସ୍ଥ୍ୟ ବିଭାଗ ସମେତ), ଦିଲ୍ଲୀ ବିକାଶ ପ୍ରାଧିକରଣ, ଦିଲ୍ଲୀ ମେଟ୍ରୋ ରେଳ ନିଗମ, ଦିଲ୍ଲୀ ସହରୀ କଳା ଆୟୋଗ, ହିନ୍ଦୁସ୍ତାନ ପ୍ରିଫାବ ଲିମିଟେଡ, ଗୃହ ଏବଂ ନଗର ଉନ୍ନୟନ ନିଗମ ଲିମିଟେଡ, ଏନବିସିସି, ଏବଂ ଏନସିଆର୍ ଯୋଜନା ବୋର୍ଡର କର୍ମଚାରୀଙ୍କ ବିରୋଧରେ ୪,୭୧୦ଟି ଅଭିଯୋଗ ଆସିଥିଲା।

ସିଭିସି ରିପୋର୍ଟ‌ ମୁତାବକ କୋଇଲା ମନ୍ତ୍ରଣାଳୟ ବିରୋଧରେ ୪,୩୦୪, ଶ୍ରମ ମନ୍ତ୍ରଣାଳୟ ବିରୋଧରେ ୪,୨୩୬ ଏବଂ ପେଟ୍ରୋଲିୟମ ମନ୍ତ୍ରଣାଳୟ ବିରୋଧରେ ୨୬୧୭ ଦୁର୍ନୀତି ଅଭିଯୋଗ ହୋଇଥିଲା ।

ରିପୋର୍ଟରେ କୁହାଯାଇଛି ଯେ ସେଣ୍ଟ୍ରାଲ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସ (ସିବିଡିଟି) କର୍ମଚାରୀଙ୍କ ବିରୋଧରେ ୨,୧୫୦, ପ୍ରତିରକ୍ଷା ମନ୍ତ୍ରଣାଳୟର କର୍ମଚାରୀଙ୍କ ବିରୋଧରେ ୧,୬୧୯, ଟେଲିକମ୍ ବିଭାଗ ବିରୋଧରେ ୧,୩୦୮, ଅର୍ଥ ମନ୍ତ୍ରଣାଳୟ ବିରୋଧରେ ୧,୨୦୨ ଏବଂ ପରୋକ୍ଷ ଟିକସ ଏବଂ କଷ୍ଟମ୍ସ ବୋର୍ଡ ବିରୋଧରେ ୧,୧୦୧ ଦୁର୍ନୀତି ଅଭିଯୋଗ ରୁଜୁ ହୋଇଥିଲା ।

ସିଭିସି ରିପୋର୍ଟରେ କୁହାଯାଇଛି ଯେ ବୀମା କମ୍ପାନୀର କର୍ମଚାରୀଙ୍କ ବିରୋଧରେ ଗତବର୍ଷ ୯୮୭ଟି ଅଭିଯୋଗ ହୋଇଥିବା ବେଳେ କାର୍ମିକ, ଜନ ଅଭିଯୋଗ ଏବଂ ପେନ୍ସନ୍ ମନ୍ତ୍ରଣାଳୟର କର୍ମଚାରୀଙ୍କ ବିରୋଧରେ ୯୭୦ ଏବଂ ଇସ୍ପାତ ମନ୍ତ୍ରଣାଳୟର ବିରୋଧରେ ୯୨୩ଟି ଦୁର୍ନୀତି ଅଭିଯୋଗ ରହିଥିଲା ।