ଓଡିଶାରେ ପିଏମ୍-ଉଷା କାର୍ଯ୍ୟକ୍ରମ ପାଇଁ ବୁଝାମଣା ପତ୍ର ସ୍ୱାକ୍ଷରିତ | News Room Odisha

ଓଡିଶାରେ ପିଏମ୍-ଉଷା କାର୍ଯ୍ୟକ୍ରମ ପାଇଁ ବୁଝାମଣା ପତ୍ର ସ୍ୱାକ୍ଷରିତ

ଭୁବନେଶ୍ଵର: ଆଜି ରାଜ୍ୟ କୃଷି ଭବନରେ ଓଡିଶାର ଉଚ୍ଚ ଶିକ୍ଷା ବିଭାଗ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ମଧ୍ୟରେ ରାଜ୍ୟରେ ପିଏମ୍-ଉଷା କାର୍ଯ୍ୟକ୍ରମ ଲାଗୁ କରିବା ପାଇଁ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ୨୦୨୫-୨୬ ମଧ୍ୟରେ ଏହା କାର୍ଯ୍ୟକାରୀ କରାଯିବ।

ପିଏମ୍-ଉଷା କାର୍ଯ୍ୟକ୍ରମ ରାଜ୍ୟରେ ସଫଳତାର ସହ କରାଯିବ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ ଯେ ଏହା ଦ୍ୱାରା ଶିକ୍ଷାର ନୂତନ ଭିତ୍ତିଭୂମି ଓ ମନବ ସମ୍ବଳର ବିକାଶ ହେବ। ଏହି ଯୋଜନା ଦକ୍ଷତା ବିକାଶ, ଗବେଷଣା, ନିଯୁକ୍ତିଯୋଗ୍ୟ ଶିକ୍ଷାର ବିକାଶରେ ସହାୟକ ହେବ। ଏହା ଆମର ଶିକ୍ଷା ପରିବେଶକୁ ବିଶ୍ୱସ୍ତରୀୟ କରିବ।

କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ ଯେ ରାଜ୍ୟରେ ସ୍କୁଲ, କଲେଜ ପିଲାଙ୍କୁ ନେଇ ପ୍ରାୟ ୧ କୋଟି ଛାତ୍ରଛାତ୍ରୀ ଅଛନ୍ତି। ରାଜ୍ୟ ଜନସଂଖ୍ୟାର ଏହା ହେଉଛି ଏକ ଚତୁର୍ଥାଂଶ। ତେଣୁ ଏହି ପିଲାମାନଙ୍କର ଠିକ୍‌ ଭାବରେ ଦାୟିତ୍ୱ ନିଆଯାଇ ପାରିଲେ ରାଜ୍ୟର ବିକାଶ ବିଶ୍ୱସ୍ତରୀୟ ହୋଇପାରିବ।

ସେ କହିଲେ ଯେ ଏକ ବିଂଶ ଶତାବ୍ଦୀ ହେଉଛି ଜ୍ଞାନର ଶତାବ୍ଦୀ । ଜ୍ଞାନ ଓ ପ୍ରତିଭା ହେଉଛି ଓଡିଆ ପିଲାଙ୍କ ମୂଳ ଆଧାର। ଏହାର ବିକାଶ ହୋଇପାରିଲେ ଆମ ପିଲାମାନେ ମଧ୍ୟ ବିଶ୍ୱ ସ୍ତରରେ ନିଜର ଦକ୍ଷତା ପ୍ରଦର୍ଶନ କରିପାରିବେ। ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ କଲେଜ ଓ ୟୁନିଭର୍‌ସିଟିର ବିକାଶ ପାଇଁ ୫୦୦ କୋଟି ଟଙ୍କା ଦିଆଯିବ ବୋଲି ସେ ପ୍ରକାଶ କରିଥିଲେ। ଏହା ଯୋଗୁ ଆମ ରାଜ୍ୟର ୧ କୋଟି ପିଲା ବିଶ୍ୱସ୍ତରୀୟ ଶିକ୍ଷା ପାଇପାରିବେ।

ରାଜ୍ୟ ଉଚ୍ଚ ଶିକ୍ଷା, କ୍ରୀଡା ଓ ଯୁବସେବା ତଥା ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଥିଲେ ଯେ ପି.ଏମ୍. ଉଚ୍ଚତର ଶିକ୍ଷା ଅଭିଯାନ ଦ୍ୱାରା ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ସକରାତ୍ମକ ପ୍ରଭାବ ପଢିବ। ଶିକ୍ଷାନୁଷ୍ଠାନ ଗୁଡିକର ଭିତ୍ତିଭୂମି ସୁଦୃଢ ହେବା ସହିତ ପିଲାମାନେ ଗୁଣାତ୍ମକ ଶିକ୍ଷା ପାଇପାରିବେ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଜ୍ୟ ଉଚ୍ଚ ଶିକ୍ଷା, କ୍ରୀଡା ଓ ଯୁବସେବା ତଥା ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଓ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଉପସ୍ଥିତିରେ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଅରବିନ୍ଦ ଅଗ୍ରୱାଲ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ଅତିରିକ୍ତ ଶାସନ ସଚିବ ସୁନିଲ କୁମାର ବର୍ଣ୍ଣୱାଲ ଏହି ବୁଝାମଣା ପତ୍ରରେ ସ୍ୱାକ୍ଷର କରିଥିଲେ।

ଉଚ୍ଚ ଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଅରବିନ୍ଦ ଅଗ୍ରୱାଲ ସ୍ୱାଗତ ଭାଷଣ ଦେଇଥିଲେ।