ରାମ ନବମୀ ହିଂସା: ଟେକାମାଡ଼ କରିଥିବା ଲୋକଙ୍କ ଘର ଭାଙ୍ଗିଲେ ମଧ୍ୟପ୍ରଦେଶ ସରକାର | News Room Odisha

ରାମ ନବମୀ ହିଂସା: ଟେକାମାଡ଼ କରିଥିବା ଲୋକଙ୍କ ଘର ଭାଙ୍ଗିଲେ ମଧ୍ୟପ୍ରଦେଶ ସରକାର

ଭୋପାଳ: ମଧ୍ୟପ୍ରଦେଶର ଖର୍ଗୋନେରେ ରାମ ନବମୀ ଦିନ ଘଟିଥିବା ହିଂସାକୁ ନେଇ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଖାର୍ଗୋନରେ ରାମ ନବମୀ ଶୋଭାଯାତ୍ରାରେ ପଥର ଫିଙ୍ଗିଥିବା ଅଭିଯୁକ୍ତଙ୍କ ଘର ଜିଲ୍ଲା ପ୍ରଶାସନ ଭାଙ୍ଗି ଦେଇଛି। ସୋମବାର ସହରର ଏକ ସମ୍ବେଦନଶୀଳ ଅଞ୍ଚଳ ଭାବରେ ପରିଗଣିତ ଚୋଟି ମୋହନ ଟକିଜ୍ ଅଞ୍ଚଳରେ ପୋଲିସର ଉପସ୍ଥିତିରେ ସରକାରୀ ଅଧିକାରୀମାନେ ସେଠାରେ ବୁଲଡୋଜର ଦ୍ବାରା ହିଂସା ଘଟାଇଥିବା ଅଭିଯୁକ୍ତଙ୍କ ଘର ଭାଙ୍ଗି ଦେଇଥିଲେ।

ମଧ୍ୟ ପ୍ରଦେଶର ଶିବରାଜ ସିଂ ଚୌହାନ ସରକାରର ଏଭଳି ପଦକ୍ଷେପକୁ କଂଗ୍ରେସ ସହ ସବୁ ବିରୋଧୀ ଦଳ କଡ଼ା ସମାଲୋଚନା କରିଛନ୍ତି । କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ ଟୁଇଟ୍ କରି କହିଛନ୍ତି, ‘ମାମା (ଶିବରାଜ)ଙ୍କ ବୁଲଡୋଜର ବଳାତ୍କାରୀ ଓ ଏବଂ ଯେଉଁମାନେ ବଳାତ୍କାରକାରୀଙ୍କୁ ସମର୍ଥନ କରନ୍ତି ସେମାନଙ୍କ ଉପରେ କାମ କରେ ନାହିଁ । କେବଳ ମୁହଁ ଦେଖି ବୁଲଡୋଜର୍ ଚଲାଯାଉଛି |

ପ୍ରକାଶଯୋଗ୍ୟ ଯେ ଏପ୍ରିଲ୍ ୧୦ ରେ ରାମ ନବମୀ ଅବସରରେ ଖର୍ଗୋନରେ ଏକ ଶୋଭାଯାତ୍ରା ବାହାରିଥିଲା । ତେବେ ଶୋଭାଯାତ୍ରା ଉପରେ କିଛି ଲୋକ ପଥର ମାଡ଼ କରିଥିଲେ, ଯାହା ପରେ ସମଗ୍ର ଅଞ୍ଚଳରେ ହିଂସା ଆରମ୍ଭ ହୋଇଯାଇଥିଲା | ହିଂସା ସମୟରେ କିଛି ଲୋକ ପେଟ୍ରୋଲ ବୋମା ମଧ୍ୟ ଫିଙ୍ଗିଥିଲେ। ଏହି ଘଟଣାରେ ସାଧାରଣ ଜନତାଙ୍କ ସମେତ ୨୦ ଜଣ ପୋଲିସ କର୍ମଚାରୀ ଆହତ ହୋଇଥିଲେ।