'ଦି କେରଳା ଷ୍ଟୋରି'କୁ ନେଇ ଥମୁନି ବିବାଦ, କାର୍ଯ୍ୟାନୁଷ୍ଠାନ ପାଇଁ ଅମିତ ଶାହାଙ୍କୁ ଚିଠି ଲେଖିଲେ ସାଂସଦ ଜନ୍ ବ୍ରିଟାସ୍ | News Room Odisha

‘ଦି କେରଳା ଷ୍ଟୋରି’କୁ ନେଇ ଥମୁନି ବିବାଦ, କାର୍ଯ୍ୟାନୁଷ୍ଠାନ ପାଇଁ ଅମିତ ଶାହାଙ୍କୁ ଚିଠି ଲେଖିଲେ ସାଂସଦ ଜନ୍ ବ୍ରିଟାସ୍

ନୂଆଦିଲ୍ଲୀ: ଅଦା ଶର୍ମାଙ୍କ ଅଭିନୀତ ଫିଲ୍ମ ‘ଦି କେରଳା ଷ୍ଟୋରି’ର ଟିଜର ରିଲିଜ ହେବା ପରଠୁ ଏହାକୁ ନେଇ ବିବାଦ ବଢ଼ିବାରେ ଲାଗିଛି । ଏହି ଫିଲ୍ମ କେରଳକୁ ବଦନାମ କରିବା ପାଇଁ ଷଡ଼ଯନ୍ତ୍ର ବୋଲି ଅଭିଯୋଗ ହୋଇଛି । ‘ଦି କେରଳା ଷ୍ଟୋରି’ ବିରୋଧରେ ମାମଲା ରୁଜୁ ଦାବି ପରେ ଏବେ ସିପିଆଇ (ଏମ୍) ରାଜ୍ୟସଭା ସାଂସଦ ଜନ୍ ବ୍ରିଟାସ୍ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖି ଏହି ଫିଲ୍ମ ନିର୍ମାତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ଅମିତ ଶାହଙ୍କୁ ପତ୍ରରେ ରାଜ୍ୟସଭା ସାଂସଦ ଜନ୍ ବ୍ରିଟାସ କହିଛନ୍ତି ଯେ ‘ଦି କେରଳା ଷ୍ଟୋରୀ’ ଦ୍ବାରା ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇପାରେ । ଏହି ଫିଲ୍ମ ମିଛ ସୂଚନାର ପ୍ରସାର କରୁଛି ଓ କେରଳକୁ ବଦନାମ କରିବାକୁ ଉଦ୍ଦିଷ୍ଟ। ଏହି ଫିଲ୍ମ ବିରୋଧରେ ଆକ୍ସନ୍ ନେବାକୁ ସେ ଦାବି କରିଛନ୍ତି।

ଏହାପୂର୍ବରୁ କେରଳର ଡିଜିପି ଥିରୁବନନ୍ତପୁରମର ପୋଲିସ କମିଶନରଙ୍କୁ ଫିଲ୍ମର ଟିଜର ଉପରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନଙ୍କ ନିକଟକୁ ଫିଲ୍ମ ବିରୋଧରେ ଆସିଥିବା ଅଭିଯୋଗ ପରେ କେରଳ ଡିଜି ଏପରି ନିର୍ଦ୍ଦେଶ ଦେଇଥିଲେ। ଖବର ଅନୁଯାୟୀ, ହାଇ ଟେକ୍ କ୍ରାଇମ୍ ଇନକ୍ୱାରୀ ସେଲ୍ ଏହି ଘଟଣାର ପ୍ରାଥମିକ ଅନୁସନ୍ଧାନ କରି ଏହାର ରିପୋର୍ଟ ଡିଜିପିଙ୍କ ନିକଟକୁ ପଠାଇଛି। କେରଳ କଂଗ୍ରେସ ମଧ୍ୟ ଏହି ଫିଲ୍ମକୁ ବ୍ୟାନ୍ କରିବାକୁ ଦାବି କରିଛି ।

ତେବେ ‘ଦି କେରଳା ଷ୍ଟୋରି’ ଫିଲ୍ମର ଟିଜରକୁ ନେଇ କାହିଁକି ବିବାଦ ସୃଷ୍ଟି ହୋଇଛି ? ଏହି ଫିଲ୍ମରେ କେରଳର ୩୨,୦୦୦ ମହିଳାଙ୍କ ହୃଦୟ ବିଦାରକ କାହାଣୀ ପ୍ରଦର୍ଶିତ କରାଯାଇଛି | ଏଥିରେ ସେହି ମହିଳାମାନଙ୍କୁ କିପରି ଜୋର ଜବରଦସ୍ତ ଆଇଏସ୍ (ଇସଲାମିକ୍ ଇରାକ ଏବଂ ସିରିଆ) ଆତଙ୍କବାଦୀ ଗୋଷ୍ଠୀରେ ସାମିଲ କରାଯାଉଛି ତାହା ପ୍ରଦର୍ଶିତ ହୋଇଛି । ଏହାକୁ ନେଇ ବିବାଦ ସୃଷ୍ଟି ରହିଛି। ଏଥିରେ ଅଭିନେତ୍ରୀ ଅଦା ଶର୍ମା ଏକ ବୁର୍କାରେ ନଜର ଆସୁଛନ୍ତି। ଫିଲ୍ମର ଟିଜରରେ ସେ କହୁଛନ୍ତି – ସେ ପ୍ରଥମେ ଜଣେ ହିନ୍ଦୁ ଥିଲେ ।କିନ୍ତୁ ତାଙ୍କୁ ‘ଶାଳିନୀଋ ଉନିକ୍ରିଷ୍ଣନ’ରୁ ଜବରଦସ୍ତ ‘ଫତିମା’ କରି ଦିଆଯାଇଛି | ସେ ନର୍ସ ହୋଇ ଲୋକଙ୍କ ସେବା କରିବାକୁ ଚାହୁଁଥିଲେ, କିନ୍ତୁ ଆତଙ୍କବାଦୀ ହୋଇଯାଇଛନ୍ତି। ଏହି ଫିଲ୍ମ କେରଳର ପ୍ରାୟ ୩୨ ହଜାର ମହିଳାଙ୍କ ଉପରେ ଆଧାରିତ ଯେଉଁମାନେ ପରବର୍ତ୍ତୀ ସମୟରେ ରାଜ୍ୟରୁ ଗାଏବ୍ ହୋଇଯାଇଥିଲେ |

‘ଦି କେରଳ ଷ୍ଟୋରି’ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସୁଦୀପ୍ତ ସେନ୍। ବିପୁଲ ଅମୃତଲାଲ ଶାହା ଏହାର ନିର୍ମାତା | ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନେତ୍ରୀ ଅଦା ଶର୍ମା ଅଛନ୍ତି। ବର୍ତ୍ତମାନ ଏହାର ଟିଜର ରିଲିଜ୍ ହେବା କ୍ଷଣି ବିବାଦ ଉଠିଛି। ଏଭଳି ସ୍ଥିତିରେ ଏହି ଫିଲ୍ମ ରିଲିଜ ହୋଇପାରୁଛି କି ନାହିଁ ତାହା ଦେଖିବାକୁ ରହିଲା ।