ବେଙ୍ଗାଲୁରୁ ବୁଡ଼ି ରହିଥିବା ବେଳେ ବିଜେପି ସାଂସଦ ତେଜସ୍ୱୀ ସୂର୍ଯ୍ୟା ଦୋସା ଖାଉଥିବା ଭିଡ଼ିଓ ଭାଇରାଲ, ବିରୋଧୀଙ୍କ ଭର୍ତ୍ସନା | News Room Odisha

ବେଙ୍ଗାଲୁରୁ ବୁଡ଼ି ରହିଥିବା ବେଳେ ବିଜେପି ସାଂସଦ ତେଜସ୍ୱୀ ସୂର୍ଯ୍ୟା ଦୋସା ଖାଉଥିବା ଭିଡ଼ିଓ ଭାଇରାଲ, ବିରୋଧୀଙ୍କ ଭର୍ତ୍ସନା

ବେଙ୍ଗାଲୁରୁ: ଲଗାଣ ବର୍ଷା ଯୋଗୁଁ ଦେଶର ଆଇଟି ରାଜଧାନୀ ବେଙ୍ଗାଲୁରୁର ସ୍ଥିତି ବେହାଲ୍ ହୋଇପଡ଼ିଛି। ସମଗ୍ର ସହର ଜଳବନ୍ଦୀ ହୋଇ ରହିଥିବା ବେଳେ ଜୀବନଯାତ୍ରା ବ୍ୟାହତ ହୋଇଛି । ଏଭଳି ପରିସ୍ଥିତିରେ ଦକ୍ଷିଣ ବେଙ୍ଗାଲୁରୁର ବିଜେପି ସାଂସଦ ତେଜସ୍ୱୀ ସୂର୍ଯ୍ୟାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ସେ ଦୋସା ଖାଉଥିବା ଦେଖିବାକୁ ମିଳିଛି ଏବଂ ସେ ଦୋସାର ସ୍ବାଦ ଓ ମାନକୁ ପ୍ରଶଂସା ମଧ୍ୟ କରୁଛନ୍ତି | ଏହି ଭିଡ଼ିଓ ସାମ୍ନାକୁ ଆସିବା ପରେ ବିରୋଧୀ ତେଜସ୍ୱୀ ସୂର୍ଯ୍ୟାଙ୍କୁ ଟାର୍ଗେଟ କରିଛନ୍ତି। ସୋସିଆଲ ମିଡିଆରେ ମଧ୍ୟ ତେଜସ୍ୱୀ ସୂର୍ଯ୍ୟଙ୍କୁ ସମାଲୋଚନା କରାଯାଉଛି।

ତେଜସ୍ୱୀ ସୂର୍ଯ୍ୟାଙ୍କୁ ସମାଲୋଚନା କରି ବିରୋଧୀ ଦଳ କହିଛି ଯେ ସହରର ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ବିଜେପି ସାଂସଦ ନିଜ ନିର୍ବାଚନମଣ୍ଡଳୀରେ ଏକ ରେଷ୍ଟୁରାଣ୍ଟ ପାଇଁ ପ୍ରଚାର କରୁଛନ୍ତି ଓ ଦୋସା ଖାଉଛନ୍ତି ।

ଏହି ୪୦ ସେକେଣ୍ଡର ଭିଡିଓକୁ କଂଗ୍ରେସର ସୋସିଆଲ ମିଡିଆ ଜାତୀୟ ସହ ସଂଯୋଜିକା ଲାବଣ୍ୟା ବଲାଲ ସେୟାର କରି କହିଛନ୍ତି, ଏହା ସେପ୍ଟେମ୍ବର ୫ର ଭିଡିଓ । ବାଙ୍ଗାଲୋର ବୁଡ଼ି ଯାଉଥିବା ବେଳେ ତେଜସ୍ୱୀ ସୂର୍ଯ୍ୟା ଜଳଖିଆ ଉପଭୋଗ କରୁଛନ୍ତି । ସେ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି କି? ‘ ସେ ଅନ୍ୟ ଏକ ଟ୍ୱିଟରେ ଲେଖିଛନ୍ତି, ‘ତେଜସ୍ୱୀ ସୂର୍ଯ୍ୟ ଏବଂ ତାଙ୍କ ସହକର୍ମୀଙ୍କ ସହ କେହି କଥା ହୋଇଛନ୍ତି କି? ସେ ବାଙ୍ଗାଲୋରରେ ଅଛନ୍ତି କି? ‘

ଏହି ଭିଡିଓରେ ବିଜେପି ଯୁବମୋର୍ଚ୍ଚାର ଜାତୀୟ ସଭାପତି ତେଜସ୍ୱୀ ସୂର୍ଯ୍ୟା ପଦ୍ମନାଭ ନଗରର ଏକ ହୋଟେଲରେ ‘ବଟର ମସାଲା ଦୋସା’ ଏବଂ ଉତ୍ପମ୍ ଖାଉଥିବା ଏବଂ ଖାଦ୍ୟର ସ୍ୱାଦ ଏବଂ ମାନକୁ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି। ଭିଡିଓରେ ସାଂସଦ ମଧ୍ୟ ଲୋକଙ୍କୁ ସେଠାକୁ ଆସି ସୁସ୍ୱାଦୁ ଖାଦ୍ୟ ଉପଭୋଗ କରିବାକୁ କହୁଛନ୍ତି ।

ଆମ୍ ଆଦମୀ ପାର୍ଟି ମୁଖପାତ୍ର ତଥା କର୍ଣ୍ଣାଟକ ଆପ୍ ର ସଂଯୋଜକ ପ୍ରୀତି ରେଡ୍ଡୀ ମଧ୍ୟ ଏହି ଭିଡିଓ ସେୟାର କରି ତେଜସ୍ୱୀ ସୂର୍ଯ୍ୟାଙ୍କୁ ଟାର୍ଗେଟ କରିଛନ୍ତି। ସେ ଲେଖିଛନ୍ତି, ‘ରୋମ ଜଳୁଥିବାବେଳେ ନିରୋ ବଂଶୀ ବଜାଉଛନ୍ତି। ଯେତେବେଳେ ବେଙ୍ଗାଲୁରୁ ବୁଡ଼ିଯାଉଛି, ତେଜସ୍ୱୀ ସୂର୍ଯ୍ୟା ଦୋସା ଖାଉଛନ୍ତି । ଏବଂ ଏବେ ସେହି ଲୋକମାନେ ତାଙ୍କୁ ଉପହାସ କରୁଛନ୍ତି ଯେଉଁମାନେ ତାଙ୍କୁ ଭୋଟ୍ ଦେଇଥିଲେ ! ପରବର୍ତ୍ତୀ ସମୟରେ ଯେତେବେଳେ ଆପଣ ଭୋଟ୍ ଦେବେ ଏହି ଫଟୋ ଏବଂ ତା’ଙ୍କ ହସକୁ ମନେରଖିବେ । ‘

ଅନେକ ୟୁଜର ମଧ୍ୟ ସାଂସଦ ତେଜସ୍ୱୀ ସୂର୍ଯ୍ୟାଙ୍କ ଭିଡିଓ ସେୟାର ତାଙ୍କୁ ଟ୍ରୋଲ କରିଛନ୍ତି |