ସ୍କୁଲ ପିଲା ଆଉ ପଢ଼ିବେନି ମୋଗଲ ଶାସକଙ୍କ ଇତିହାସ, ସିଲାବସରୁ ହଟାଇଲେ ୟୁପି ବୋର୍ଡ, ସିବିଏସ୍ଇ | News Room Odisha

ସ୍କୁଲ ପିଲା ଆଉ ପଢ଼ିବେନି ମୋଗଲ ଶାସକଙ୍କ ଇତିହାସ, ସିଲାବସରୁ ହଟାଇଲେ ୟୁପି ବୋର୍ଡ, ସିବିଏସ୍ଇ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ବୋର୍ଡ ଏବଂ ସିବିଏସ୍ଇର ଦ୍ୱାଦଶ ଶ୍ରେଣୀ ପିଲାଙ୍କୁ ଆଉ ମୋଗଲ ଶାସକଙ୍କ ଇତିହାସ ପଢ଼ାଯିବ ନାହିଁ। ୨୦୨୩-୨୪ ଶିକ୍ଷା ବର୍ଷ ପାଇଁ ଦ୍ବାଦଶ ଶ୍ରେଣୀ ଇତିହାସ ସିଲାବସରେ ଏକ ବଡ଼ ପରିବର୍ତ୍ତନ କରାଯାଇଛି । ଜାତୀୟ ଶୈକ୍ଷିକ ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏନସିଇଆରଟି) ମୋଗଲ ସାମ୍ରାଜ୍ୟ ସହ ଜଡିତ ଅଧ୍ୟାୟଗୁଡ଼ିକୁ ଏହାର ପାଠ୍ୟ ପୁସ୍ତକରୁ ହଟାଇ ଦେଇଛି। ଏନସିଇଆରଟି ସିଲାବସ ଅନୁସରଣ କରୁଥିବା ସିବିଏସ୍ଇ ବୋର୍ଡ, ୟୁପି ବୋର୍ଡ ଏବଂ ଅନ୍ୟ ରାଜ୍ୟ ବୋର୍ଡର ସିଲାବସ୍ ମଧ୍ୟ ବଦଳିବ |

ଏନସିଇଆରଟି ୨୦୨୩-୨୪ ଶିକ୍ଷାବର୍ଷ ପାଇଁ ନୂଆ ସିଲାବସ୍ ପ୍ରସ୍ତୁତ କରିଛି | ସଂଶୋଧିତ ସିଲାବସ୍ ଅନୁଯାୟୀ ଏନସିଇଆରଟି ମୋଗଲ୍ ସାମ୍ରାଜ୍ୟ (୧୬ଶ ଏବଂ ୧୭ଶ ଶତାବ୍ଦୀ) ଏବଂ ଏହାର ଶାସକ ଓ ସେମାନଙ୍କ ଇତିହାସ ସମ୍ବନ୍ଧିତ ଅଧ୍ୟାୟକୁ ହଟାଇ ଦେଇଛି | ଇତିହାସ ସହ ଦ୍ୱାଦଶ ଶ୍ରେଣୀ ସାମାଜିକ ବିଜ୍ଞାନ ବହିରେ ମଧ୍ୟ ପରିବର୍ତ୍ତନ କରାଯାଇଛି | ଏନସିଇଆରଟି ଦ୍ବାଦଶ ଶ୍ରେଣୀ ସାମାଜିକ ବିଜ୍ଞାନ ବହିରୁ ‘ବିଶ୍ବ ରାଜନୀତିରେ ଆମେରିକାର ପ୍ରାଧାନ୍ୟ’ ଏବଂ ‘ଶୀତଳ ଯୁଦ୍ଧ ଯୁଗ’ ଭଳି ଅଧ୍ୟାୟକୁ ବାଦ୍ ଦେଇଛି | ଏଥିସହ ସ୍ବାଧୀନ ଭାରତରେ ରାଜନୀତି ବିଜ୍ଞାନ ବହିରୁ ‘ଜନ ଆନ୍ଦୋଳନର ଉଦୟ’ ଏବଂ ‘ଗୋଟିଏ ଦଳର ପ୍ରାଧାନ୍ୟର ଯୁଗ’ କୁ ହଟାଇ ଦିଆଯାଇଥିବା ଜଣାପଡିଛି। ଏଥିରେ କଂଗ୍ରେସ ଦଳର ଆଧିପତ୍ୟ, ସମାଜବାଦୀ, ସିପିଆଇ (ଏମ୍), ସିପିଆଇ, ଭାରତୀୟ ଜନ ସଂଘ ଆଦି ବିଷୟ ପଢ଼ା ଯାଉଥିଲା ।

ଦ୍ୱାଦଶ ଶ୍ରେଣୀର ସହ ଏନସିଇଆରଟି ଦଶମ ଓ ଏକାଦଶ ଶ୍ରେଣୀ ପାଠ୍ୟକ୍ରମରେ ମଧ୍ୟ ସଂଶୋଧନ କରିଛି | ‘ସେଣ୍ଟ୍ରାଲ୍ ଇସଲାମିକ୍ ଲ୍ୟାଣ୍ଡସ୍’, ‘କ୍ଲାସ୍ ଅଫ୍ କଲଚର୍ସ’ ଏବଂ ‘ଇଣ୍ଡଷ୍ଟ୍ରିଆଲ୍ ରିଭୋଲ୍ୟୁସନ୍’ ଭଳି ଅଧ୍ୟାୟ ଏକାଦଶ ଶ୍ରେଣୀ ପୁସ୍ତକ ‘ଥିମ୍ ଇନ୍ ୱାର୍ଲ୍ଡ ହିଷ୍ଟ୍ର’ରୁ’ ବାଦ୍ ଦିଆଯାଇଛି।

‘ଗଣତନ୍ତ୍ର ଏବଂ ବିବିଧତା’, ‘ଲୋକପ୍ରିୟ ସଂଗ୍ରାମ ଏବଂ ଆନ୍ଦୋଳନ’, ‘ଗଣତନ୍ତ୍ରର ଆହ୍ବାନ’ ଭଳି ଅଧ୍ୟାୟ ଗୁଡିକୁ ଦଶମ ଶ୍ରେଣୀ ପୁସ୍ତକ ‘ଗଣତାନ୍ତ୍ରିକ ରାଜନୀତି-୨’ରୁ ହଟାଯାଇଛି। ଏହି ସବୁ ପରିବର୍ତ୍ତନ ଏନସିଇଆରଟି ସିଲାବସ୍ ଅନୁସରଣ କରୁଥିବା ବୋର୍ଡଗୁଡିକର ସିଲାବସରେ ମଧ୍ୟ ଲାଗୁ କରାଯିବ |