ପଞ୍ଚଭୂତରେ ଲୀନ ହେଲେ ମୁଲାୟମ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୈତୃକ ଗ୍ରାମ ସୈଫାଇରେ ଶେଷକୃତ୍ୟ ସମ୍ପନ୍ନ | News Room Odisha

ପଞ୍ଚଭୂତରେ ଲୀନ ହେଲେ ମୁଲାୟମ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୈତୃକ ଗ୍ରାମ ସୈଫାଇରେ ଶେଷକୃତ୍ୟ ସମ୍ପନ୍ନ

ସୈଫାଇ: ପଞ୍ଚଭୂତରେ ଲୀନ ହୋଇଛନ୍ତି ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବ । ମଙ୍ଗଳବାର ପୈତୃକ ଗ୍ରାମ ସୈଫାଇରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ମୁଲାୟମଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ସୈଫାଇର ମେଳା ପଡ଼ିଆର ଏହି ଭେଟେରାନ ନେତାଙ୍କ ଅନ୍ତିମ ସଂସ୍କାର ହୋଇଥିଲା । ପୁଅ ଅଖିଳେଶ ଯାଦବ ମୁଖାଗ୍ନି ଦେଇଥିଲେ। ଦେଶର ବହୁ ନେତା, ଶିଳ୍ପପତି ଓ ଫିଲ୍ମ ସେଲେବ୍ରିଟି ମୁଲାୟମଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇ ‘ନେତାଜୀ’ଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେଇଥିଲେ ।

ମୁଲାୟମଙ୍କ ଅନ୍ତିମ ସଂସ୍କାରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଏବଂ ବହୁ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ସାମିଲ ହୋଇଥିଲେ। ମୁଲାୟମ ସିଂହ ଯାଦବଙ୍କ ଘନିଷ୍ଠ କୁହାଯାଉଥିବା ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ପୁଅ ଅଭିଷେକ ବଚ୍ଚନ ଓ ପତ୍ନୀ ଜୟା ମଧ୍ୟ ସୈଫାଇ ପହଞ୍ଚି ସମାଜବାଦୀ ପାର୍ଟି ସୁପ୍ରିମୋଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ସାହାରା ମୁଖ୍ୟ ସୁବ୍ରତ ରୟ ଏବଂ ଶିଳ୍ପପତି ଅନିଲ ଅମ୍ବାନୀ ମଧ୍ୟ ମୁଲାୟମଙ୍କୁ ଅନ୍ତିମ ବିଦାୟ ଜଣାଇଥିଲେ ।

ମୁଲାୟମଙ୍କ ଅନ୍ତିମ ସଂସ୍କାରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ, ୟୁପି ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଏବଂ ବ୍ରିଜେଶ ପାଠକ, ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ, ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା କମଲ ନାଥ, ମଲ୍ଲିକାର୍ଜୁନ ଖଡଗେ, ଏହାଛଡ଼ା ଏନସିପି ମୁଖ୍ୟ ଶରଦ ପାୱାର, ତାଙ୍କ ଝିଅ ସୁପ୍ରିୟା ସୁଲେ, ବିଜେପି ସାଂସଦ ବରୁଣ ଗାନ୍ଧୀ, ମନେକା ଗାନ୍ଧୀ, ଆରଏଲଡି ସଭାପତି ଜୟନ୍ତ ଚୌଧୁରୀ ପ୍ରମୁଖ ନେତା ଉପସ୍ଥିତ ଥିଲେ। ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ, ବିଜେପି ସାଂସଦ ରୀତା ବହୁଗୁଣା ଯୋଶୀ ଏବଂ ଯୋଗ ଗୁରୁ ବାବା ରାମଦେବ ମଧ୍ୟ ମୁଲାୟମଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ମୁଲାୟମଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟରେ ତିନି ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି। ସେ ସୋମବାର ନିଜେ ସୈଫାଇରେ ପହଞ୍ଚି ମୁଲାୟମଙ୍କର ଶେଷ ଦର୍ଶନ କରିଥିଲେ।

ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ସୋମବାର ସକାଳ ୮:୧୬ରେ ଚିକିତ୍ସାଧୀନ ଅବସ୍ଥାରେ ମୁଲାୟମଙ୍କ ୮୨ ବର୍ଷ ବୟସରେ ପରଲୋକ ହୋଇଥିଲା । ନିମ୍ନ ରକ୍ତଚାପ ସହ ୟୁରିନ ଇନଫେକ୍ସନ ସମସ୍ୟା ଯୋଗୁଁ ମୁଲାୟମ ଅଗଷ୍ଟ ୨୨ରୁ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।ସ୍ବାସ୍ଥ୍ୟବସ୍ଥା ବିଗିଡ଼ି ଯିବାରୁ ଅକ୍ଟୋବର ୨ରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା ।