ତୃତୀୟ ଲହର ଆସନ୍ନ; ଦିଲ୍ଲୀ, ମୁମ୍ବାଇରେ ଦୁଇ ଗୁଣ ବଢ଼ିଲା କରୋନା ମାମଲା | News Room Odisha

ତୃତୀୟ ଲହର ଆସନ୍ନ; ଦିଲ୍ଲୀ, ମୁମ୍ବାଇରେ ଦୁଇ ଗୁଣ ବଢ଼ିଲା କରୋନା ମାମଲା

ନୂଆଦିଲ୍ଲୀ: ଦେଶରେ କରୋନା ମାମଲା ପୁଣି ଥରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି | କୋଭିଡ୍ ଓମିକ୍ରନ୍ ଭାରିଆଣ୍ଟ ଚ୍ୟାଲେଞ୍ଜକୁ ଆହୁରି ବଢାଇ ଦେଇଛି | ଏହି କ୍ରମରେ ଜାତୀୟ ରାଜଧାନୀ ଦିଲ୍ଲୀରେ ଗତ ୨୪ ଘଣ୍ଟା ମଧ୍ୟରେ ମାମଲା ପ୍ରାୟ ଦୁଇ ଗୁଣ ବୃଦ୍ଧି ପାଇଛି। ବୁଧବାର ଦିଲ୍ଲୀରେ ୯୨୩ କରୋନା ମାମଲା ରୁଜୁ ହୋଇଛି। ସଂକ୍ରମିତ ହଠାତ୍ ବୃଦ୍ଧି ପାଇବା ସହ ତୃତୀୟ ଲହରର ସମ୍ଭାବନା ମଧ୍ୟ ବଢ଼ିଛି | ଅନ୍ୟପକ୍ଷରେ ମୁମ୍ବାଇରେ ମଧ୍ୟ କରୋନା ବିସ୍ଫୋରଣ ଦେଖିବାକୁ ମିଳିଛି | ମୁମ୍ବାଇରେ ୨୪ ଘଣ୍ଟା ମଧ୍ୟରେ କରୋନାର ୨୫୧୦ ମାମଲା ରିପୋର୍ଟ କରାଯାଇଛି।

ଏହି ବେଗରେ ଦେଶର ଦୁଇଟି ବଡ଼ ସହରରେ କରୋନା ମାମଲା ବୃଦ୍ଧି ପାଇବା ଚିନ୍ତାର କାରଣ ହୋଇଛି |ମାୟାନାଗରୀ ମୁମ୍ବାଇରେ ମଙ୍ଗଳବାର ୧୩୭୭ ସଂକ୍ରମିତ ଚିହ୍ନଟ ହୋଇଥିଲେ, କିନ୍ତୁ ବୁଧବାର ଏହି ସଂଖ୍ୟା ୨୫୧୦ରେ ପହଞ୍ଚିଛି। ମହାରାଷ୍ଟ୍ରରେ ବୁଧବାର ମୋଟ ୩୯୦୦ କୋଭିଡ -୧୮ ରୋଗୀ ଚିହ୍ନଟ ହୋଇଥିବାବେଳେ ୨୦ ଜଣଙ୍କ ମୃତ୍ୟୁ ହୋଇଛି। ସଂକ୍ରମଣର ନୂଆ ମାମଲାରେ କରୋନା ଭାଇରସର ଓମିକ୍ରନ୍ ପ୍ରକାରର ୮୫ଟି ମାମଲା ମଧ୍ୟ ଅନ୍ତର୍ଭୁକ୍ତ |

ଇତି ମଧ୍ୟରେ ସଂକ୍ରମଣ ଶୃଙ୍ଖଳା ଭାଙ୍ଗିବା ପାଇଁ ଉଭୟ ସହରରେ କଟକଣା ପୁଣି କଡ଼ାକଡ଼ି କରାଯାଇଛି | ମାମଲା ବୃଦ୍ଧିକୁ ଦୃଷ୍ଟିରେ ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଙ୍ଗଳବାର ଦିନ ରାଜଧାନୀରେ ୟେଲୋ ଆଲର୍ଟ ଘୋଷଣା କରିଛନ୍ତି, ଯେଉଁଥିରେ ବିଦ୍ୟାଳୟ, କଲେଜ, ସିନେମା ଏବଂ ଜିମ୍ ବନ୍ଦ ରହିବ। ଏହି ନିର୍ଦ୍ଦେଶରେ ଦର୍ଶାଯାଇଛି ଯେ ଦିଲ୍ଲୀ ମେଟ୍ରୋ କ୍ଷମତାର ୫୦ ପ୍ରତିଶତ ସହ ଚାଲିବ ଏବଂ ଅଟୋ ରିକ୍ସା ଏବଂ କ୍ୟାବରେ ଦୁଇଜଣ ଯାତ୍ରୀ ରହିପାରିବେ।

COVID-19Omicron Variant