ମାଧୱାଲଙ୍କ କମାଲ, ଲକ୍ଷ୍ନୌକୁ ବିଦା କଲା ମୁମ୍ବାଇ ଇଣ୍ଡିଆନ୍ସ | News Room Odisha

ମାଧୱାଲଙ୍କ କମାଲ, ଲକ୍ଷ୍ନୌକୁ ବିଦା କଲା ମୁମ୍ବାଇ ଇଣ୍ଡିଆନ୍ସ

ଚେନ୍ନାଇ: ପାଞ୍ଚ ଥର ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ୍-୨୦୨୩ର ଏଲିମିନେଟର୍ ମ୍ୟାଚରେ ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ୮୧ ରନରେ ହରାଇଛି । ଏହି ବିଜୟ ସହ ରୋହିତ ଶର୍ମାଙ୍କ ଦଳ କ୍ୱାଲିଫାୟର୍-୨ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ବେଳେ ଲକ୍ଷ୍ନୌ ଟୁର୍ଣ୍ଣାମେଣ୍ଟରୁ ବିଦା ହୋଇଛି । ମେ ୨୬ରେ କ୍ୱାଲିଫାୟର-୨ରେ ମୁମ୍ବାଇ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଡିଫେଣ୍ଡିଂ ଚାମ୍ପିଅନ୍ ଗୁଜରାଟ ଟାଇଟାନ୍ସକୁ ଭେଟିବ।

ଚେନ୍ନାଇର ଚେପକ୍ ଷ୍ଟାଡିୟମରେ ଅନୁଷ୍ଠିତ ଏଲିମିନେଟର ମୁକାବିଲାରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ୨୦ ଓଭରରେ ୮ ୱିକେଟ୍ ହରାଇ ୧୮୨ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ଲକ୍ଷ୍ନୌ ୧୬.୩ ଓଭରରେ ୧୦୧ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା।

ମୁମ୍ବାଇର ବିଜୟରେ କମ୍ ଜଣାଶୁଣା ଦ୍ରୁତ ବୋଲର ଆକାଶ ମାଧୱାଲ ହିରୋ ସାଜିଥିଲେ । ସେ ମାତ୍ର ୫ ରନ୍ ବିନିମୟରେ ୫ଟି ୱିକେଟ୍ ନେଇଥିଲେ। ଆଇପିଏଲ୍ ପ୍ଲେ ଅଫରେ ଏହା ହେଉଛି ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ । ଏହା ପୂର୍ବରୁ ଏହି ରେକର୍ଡ ଚେନ୍ନାଇର ଡଗ୍ ବଲିଞ୍ଜରଙ୍କ ନାମରେ ଥିଲା । ୨୦୧୦ରେ ଦିଲ୍ଲୀ ବିପକ୍ଷରେ ବଲିଞ୍ଜର ୧୩ ରନ୍ ଦେଇ ୪ଟି ୱିକେଟ୍ ନେଇଥିଲେ। ମାଧୱାଲଙ୍କ ପ୍ରଦର୍ଶନ ଆଇପିଏଲର ପଞ୍ଚମ ଶ୍ରେଷ୍ଠ । ତାଙ୍କ ପୂର୍ବରୁ ଅନିଲ କୁମ୍ବଲେ ୨୦୦୯ ରେ ରାଜସ୍ଥାନ ବିପକ୍ଷରେ ୩ ରନ୍ ଦେଇ ୫ ୱିକେଟ୍ ନେଇଥିବାବେଳେ ଆଡାମ ଜାମ୍ପା, ସୋହେଲ ତନବୀର ଏବଂ ଅଲଜାରୀ ଯୋସେଫ ଗୋଟିଏ ମ୍ୟାଚରେ ୬-୬ ୱିକେଟ୍ ନେଇଛନ୍ତି ।

୧୮୩ ରନ୍‌ର ଟାର୍ଗେଟକୁ ପିଛାକରି ଲକ୍ଷ୍ନୌ ଦୃଢ଼ ଆରମ୍ଭ କରିଥିଲେ ମଧ୍ୟ ମଝିରେ ନିୟମିତ ୱିକେଟ୍ ହରାଇ ଲକ୍ଷ୍ୟ ଠାରୁ ୮୧ ରନ୍ ଦୂରରେ ରହିଯାଇଥିଲା ।

ଟସ୍ ଜିତି ବ୍ୟାଟିଂ କରିଥିବା ମୁମ୍ବାଇ ପକ୍ଷରୁ କ୍ୟାମେରନ୍ ଗ୍ରୀନ୍ ୨୩ଟି ବଲରୁ ୪୧ ରନ୍ ସଂଗ୍ରହ କରିଥିବାବେଳେ ସୂର୍ଯ୍ୟକୁମାର ଯାଦବ ୩୩ ରନ୍ ସଂଗ୍ରହ କରିଥିଲେ। ଶେଷରେ ନେହଲ ୱାଧେରା ୧୨ ବଲରୁ ୨୩ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ସେ ୨ଟି ଚୌକା ଓ ୨ଟି ଛକା ମାରିଥିଲେ।

ଲକ୍ଷ୍ନୌ ତରଫରୁ ନବୀନ ଉଲ୍ ହକ୍ ୩୮ ରନ୍ ଦେଇ ୪ଟି ୱିକେଟ୍ ନେଇଥିବା ବେଳେ ୟଶ ଠାକୁର ଦୁଇଟି ସଫଳତା ପାଇଲେ ।

୧୮୩ ରନର ବିଜୟ ଲକ୍ଷ୍ୟ ଜବାବରେ ଲକ୍ଷ୍ନୌ ପକ୍ଷରୁ ମାର୍କସ୍ ଷ୍ଟୋଇନିସ୍ ୪୦ ଏବଂ କାଇଲ୍ ମେୟର୍ସ୍ ୧୮ ରନ୍ ସଂଗ୍ରହ କରିଥିଲେ। ଦଳର ଅବଶିଷ୍ଟ ବ୍ୟାଟ୍ସମ୍ୟାନ୍ ୧୫ରୁ ଅଧିକ ରନ୍ କରିପାରିନଥିଲେ। ମୁମ୍ବାଇ ପକ୍ଷରୁ ଆକାଶ ମାଧୱାଲ ୫ ରନ୍ ଦେଇ ୫ ୱିକେଟ୍ ନେଇଥିବା ବେଳେ କ୍ରିସ୍ ଜୋର୍ଡାନ ଏବଂ ପୀୟୁଷ ଚାୱଲା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।